ନୂଆଦିଲ୍ଲୀ: ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ (ଇ-୨୦) ବ୍ୟବସ୍ଥା ବର୍ତ୍ତମାନ ଏକ ଚଳିତ ପରୀକ୍ଷଣ ପର୍ଯ୍ୟାୟରେ ରହିଛି ଏବଂ ଆସନ୍ତା ବର୍ଷ ସୁଦ୍ଧା ଏହାର ବାସ୍ତବ ପ୍ରଭାବ ସ୍ପଷ୍ଟ ହେବ ବୋଲି କେନ୍ଦ୍ର ସରକାର ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି।
କର୍ଣ୍ଣାଟକ ହାଇକୋର୍ଟଙ୍କ ଏକ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସରକାରୀ ତୈଳ କମ୍ପାନି ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ (ବିପିସିଏଲ୍) ପକ୍ଷରୁ ଦାଖଲ ଆବେଦନର ଶୁଣାଣି ବେଳେ ଆଟର୍ଣ୍ଣି ଜେନେରାଲ୍ ଆର୍. ଭେଙ୍କଟରମଣି ଏହି ସୂଚନା ଦେଇଥିଲେ।
ପେଟ୍ରୋଲରେ ଇଥାନଲ ମିଶ୍ରଣ ଯୋଗୁଁ ପୁରୁଣା ଗାଡ଼ିର ଇଞ୍ଜିନ କ୍ଷତିଗ୍ରସ୍ତ ହେବା କିମ୍ବା ମାଇଲେଜ୍ କମିଯିବା ନେଇ ଦେଶବ୍ୟାପୀ ଚର୍ଚ୍ଚା ମଧ୍ୟରେ ସରକାର କହିଛନ୍ତି ଯେ, ଏପର୍ଯ୍ୟନ୍ତ ଇ-୨୦ ଇନ୍ଧନ ଯୋଗୁଁ ଯାନ୍ତ୍ରିକ କ୍ଷତି ହୋଇଥିବାର କୌଣସି ସ୍ପଷ୍ଟ ପ୍ରମାଣ ମିଳିନାହିଁ। ବରଂ ଏହି ନୀତି ଦେଶର ଶକ୍ତି ସୁରକ୍ଷା, ଚାଷୀଙ୍କ ଆୟ ବୃଦ୍ଧି ଓ ପରିବେଶ ସୁରକ୍ଷା ପାଇଁ ଲାଭଦାୟକ ବୋଲି ସରକାର ଦାବି କରିଛନ୍ତି।
ଶୁଣାଣି ସମୟରେ ଆଟର୍ଣ୍ଣି ଜେନେରାଲ୍ କହିଥିଲେ ଯେ, ଇ-୨୦ ବ୍ୟବସ୍ଥାର ପ୍ରଭାବ ଉପରେ ସରକାର ନିରନ୍ତର ନଜର ରଖିଛନ୍ତି ଏବଂ ଆସନ୍ତା ବର୍ଷ ସୁଦ୍ଧା ଏହାର ବିସ୍ତୃତ ମୂଲ୍ୟାଙ୍କନ ସାମ୍ନାକୁ ଆସିବ। ସେ ସ୍ପଷ୍ଟ କରିଥିଲେ ଯେ, ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣ ସରକାରଙ୍କ ଏକ ସ୍ଥାୟୀ ନୀତିଗତ ନିଷ୍ପତ୍ତି ଏବଂ ଏଥିରେ ପରିବର୍ତ୍ତନର କୌଣସି ଯୋଜନା ନାହିଁ। ତେବେ ଚାହିଦା ଅନୁଯାୟୀ ବିଭିନ୍ନ କମ୍ପାନିକୁ ଯୋଗାଣ ପରିମାଣରେ ପରିବର୍ତ୍ତନ ହୋଇପାରେ।
ଭାରତ ଗତ ବର୍ଷ ହିଁ ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ ମିଶ୍ରଣର ଲକ୍ଷ୍ୟ ହାସଲ କରିଥିବା ବେଳେ ବର୍ତ୍ତମାନ ଦେଶବ୍ୟାପୀ ଏହାର ଯୋଗାଣ ଜାରି ରହିଛି। ଏହାସହ ୨୦୩୦ ସୁଦ୍ଧା ଇଥାନଲ ମିଶ୍ରଣକୁ ୩୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ସରକାର ନୂଆ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ଜୁନ୍ ୨୪ରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଜାରି କରିଥିବା ଏକ ବିବୃତିରେ ଇ-୨୦ ପେଟ୍ରୋଲକୁ ସମ୍ପୂର୍ଣ୍ଣ ସୁରକ୍ଷିତ, ଗ୍ରାହକ-ଅନୁକୂଳ ଓ ଅର୍ଥନୈତିକ ଦୃଷ୍ଟିରୁ ଲାଭଦାୟକ ବୋଲି କୁହାଯାଇଥିଲା। ଇ-୨୦ ବ୍ୟବହାର କଲେ ଗାଡ଼ିର ବୀମା ଅବୈଧ ହୋଇଯିବ ବୋଲି ପ୍ରଚାରିତ ଖବରକୁ ମନ୍ତ୍ରଣାଳୟ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଖଣ୍ଡନ କରିଥିଲା।
ସରକାରଙ୍କ କହିବା ଅନୁସାରେ, ଆମେରିକା, ବ୍ରାଜିଲ ଓ ଜାପାନ ଭଳି ଅନେକ ଦେଶରେ ଇଥାନଲ ମିଶ୍ରିତ ଇନ୍ଧନ ସଫଳତାର ସହ ବ୍ୟବହୃତ ହେଉଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭାରତ ଅଶୋଧିତ ତୈଳ ଆମଦାନୀ କମାଇ ପ୍ରାୟ ୧.୪ ଲକ୍ଷ କୋଟି ଟଙ୍କାର ବୈଦେଶିକ ମୁଦ୍ରା ସଞ୍ଚୟ କରିଥିବା ବେଳେ କାର୍ବନ ନିର୍ଗମନ ହ୍ରାସ କରି ସ୍ୱଚ୍ଛ ପରିବହନ ବ୍ୟବସ୍ଥାକୁ ମଧ୍ୟ ପ୍ରୋତ୍ସାହନ ଦେଉଛି।
