Home Featuredଶ୍ରୀଜଗନ୍ନାଥଙ୍କ ଜମି ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ କଡ଼ା ପଦକ୍ଷେପ, ରାଜସ୍ୱ ଅଧିକାରୀଙ୍କୁ ଜାରି ହେଲା ସ୍ୱତନ୍ତ୍ର ନିର୍ଦ୍ଦେଶ

ଶ୍ରୀଜଗନ୍ନାଥଙ୍କ ଜମି ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ କଡ଼ା ପଦକ୍ଷେପ, ରାଜସ୍ୱ ଅଧିକାରୀଙ୍କୁ ଜାରି ହେଲା ସ୍ୱତନ୍ତ୍ର ନିର୍ଦ୍ଦେଶ

by Lokanath Panigrahi
0 comments

ଭୁବନେଶ୍ୱର, ୧୩ ଜୁଲାଇ: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବା ଭୂସମ୍ପତ୍ତିର ସୁରକ୍ଷା, ସଠିକ୍ ରେକର୍ଡ ସଂରକ୍ଷଣ ଓ ଆଇନସମ୍ମତ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ରାଜସ୍ୱ ଡିଭିଜନାଲ କମିଶନର (ଆରଡିସି), ଜିଲ୍ଲାପାଳ, ଭୂ-ଅଭିଲେଖ ଓ ସର୍ଭେ ନିର୍ଦ୍ଦେଶକ (ଡିଏଲଆରଏସ) ସହ ସମ୍ପୃକ୍ତ ଅଧିକାରୀଙ୍କୁ ବିସ୍ତୃତ ନିର୍ଦ୍ଦେଶ ପଠାଯାଇଛି।

ରାଜସ୍ୱ ବିଭାଗ ପକ୍ଷରୁ କୁହାଯାଇଛି ଯେ, ମହାପ୍ରଭୁଙ୍କ ନାମରେ ଥିବା ସମ୍ପତ୍ତିର ସୁରକ୍ଷା କେବଳ ପ୍ରଶାସନର ନୁହେଁ, ବରଂ ସମସ୍ତଙ୍କର ଏକ ସାମୂହିକ ଦାୟିତ୍ୱ। ଏହି ପରିପ୍ରେକ୍ଷୀରେ ଜମିର ରେକର୍ଡ, ପରିଚାଳନା ଓ ସୁରକ୍ଷା ସମ୍ବନ୍ଧୀୟ ମାମଲାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଅଧିକାରୀମାନଙ୍କୁ କୁହାଯାଇଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, ଗଞ୍ଜାମ, କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ତହସିଲରେ ମହାପ୍ରଭୁଙ୍କ ଜମି ସମ୍ବନ୍ଧୀୟ ମୋଟ ୧୧,୬୭୫ଟି ରାଜସ୍ୱ ମାମଲାର ଶୀଘ୍ର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାଛଡ଼ା ଓଡ଼ିଶା ଇଷ୍ଟେଟ୍ସ ଆବୋଲିସନ୍ ଆଇନର ଧାରା ୭(ଏ) ଅନୁଯାୟୀ ଦାଖଲ ହୋଇଥିବା ୨୫୭ଟି ମାମଲାରେ ପୂର୍ବରୁ ଜାରି ହୋଇଥିବା ଆଦେଶଗୁଡ଼ିକର ଶୀଘ୍ର କାର୍ଯ୍ୟକାରିତା ସୁନିଶ୍ଚିତ କରିବାକୁ ମଧ୍ୟ କୁହାଯାଇଛି।

ଜମିର ମାଲିକାନା ସମ୍ବନ୍ଧୀୟ ବିବାଦର ସଠିକ୍ ସମାଧାନ ପାଇଁ ପୁରୁଣା ରେକର୍ଡ ଅଫ୍ ରାଇଟ୍ସ (ଆରଓଆର୍) ଓ ଅନ୍ୟାନ୍ୟ ରାଜସ୍ୱ ଅଭିଲେଖକୁ ଯାଞ୍ଚ କରି ଆବଶ୍ୟକ ସ୍ଥାନରେ ସଂଶୋଧନ କରିବାକୁ ନିର୍ଦ୍ଦେଶ ରହିଛି। ଏହାସହ ଆବଶ୍ୟକ ରେକର୍ଡର ପ୍ରମାଣିତ ନକଲ ଶୀଘ୍ର ସମ୍ପୃକ୍ତ ସଂସ୍ଥାକୁ ଯୋଗାଇବାକୁ କୁହାଯାଇଛି, ଯାହାଦ୍ୱାରା ମାମଲାଗୁଡ଼ିକର ଶୀଘ୍ର ଫଇସଲା ସମ୍ଭବ ହେବ।

ରାଜସ୍ୱ ବିଭାଗ କ୍ଷେତ୍ରସ୍ତରରେ ଜମି ଚିହ୍ନଟ ଓ ସୁରକ୍ଷା କାର୍ଯ୍ୟକୁ ମଧ୍ୟ ଗୁରୁତ୍ୱ ଦେଇଛି। ଏଥିପାଇଁ ରାଜସ୍ୱ ନିରୀକ୍ଷକ, ଅମିନ ଓ ଅନ୍ୟାନ୍ୟ କ୍ଷେତ୍ର କର୍ମଚାରୀଙ୍କୁ ନିୟମିତ ପରିଦର୍ଶନ କରି ବେଆଇନ ଦଖଲ, ଜାଲିଆତି ଓ ଅନଧିକାର ପ୍ରବେଶକୁ ରୋକିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ସମସ୍ତ କାର୍ଯ୍ୟର ଅଗ୍ରଗତିକୁ ଜିଲ୍ଲା, ଉପଖଣ୍ଡ ଓ ତହସିଲସ୍ତରୀୟ ମାସିକ ରାଜସ୍ୱ ବୈଠକରେ ସମୀକ୍ଷା କରାଯିବ। ସେହିପରି ପ୍ରତିମାସର ଅଗ୍ରଗତି ରିପୋର୍ଟ ବିଭାଗକୁ ପଠାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।

ରାଜ୍ୟ ସରକାରଙ୍କ ଲକ୍ଷ୍ୟ ହେଉଛି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତିକୁ ଆଇନସମ୍ମତ ଭାବେ ସୁରକ୍ଷିତ ରଖିବା, ଦେବସମ୍ପତ୍ତିର ସ୍ୱାର୍ଥ ସଂରକ୍ଷଣ କରିବା ଏବଂ ଅନାବଶ୍ୟକ ଜମି ବିବାଦ ଓ ମକଦ୍ଦମାକୁ କମାଇବା।

You may also like

Leave a Comment