Home Odishaଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି ବିରୋଧୀ: ବିରଂଚି ତ୍ରିପାଠୀ

ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି ବିରୋଧୀ: ବିରଂଚି ତ୍ରିପାଠୀ

by Lokanath Panigrahi
0 comments

ଭୁବନେଶ୍ୱର, ୬/୧୦: ରାଜ୍ୟରେ ବିରୋଧୀ ଦଳଗୁଡ଼ିକ ମୁଦ୍ଦାହୀନ ହୋଇ ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାକୁ ଉଦ୍ୟମ କରୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିରଂଚି ନାରାୟଣ ତ୍ରିପାଠୀ ଅଭିଯୋଗ କରିଛନ୍ତି। ଏକ ପ୍ରେସ୍ ବିବୃତିରେ ସେ କହିଛନ୍ତି, ଜନସାଧାରଣ ବିଜେପି ସରକାର ଉପରେ ଆସ୍ଥା ପ୍ରକଟ କରିଥିବାରୁ ବିରୋଧୀଙ୍କ ପାଖରେ ଆଉ କୌଣସି ପ୍ରସଙ୍ଗ ନାହିଁ।

ତ୍ରିପାଠୀ କହିଛନ୍ତି ଯେ, ବିଜେଡିର କଥା ଓ କାର୍ଯ୍ୟ ମଧ୍ୟରେ ସବୁବେଳେ ପାର୍ଥକ୍ୟ ରହିଛି। ବିଜେଡି ଓ ‘ଇଣ୍ଡି’ ମେଣ୍ଟ ମଧ୍ୟରେ ସମ୍ପର୍କ ନୂଆ ନୁହେଁ ବୋଲି ସେ ଦାବି କରିବା ସହ ଅତୀତରେ ବିଜେଡିର ସଂସଦୀୟ ଦଳ ନେତା ‘ଇଣ୍ଡି’ ମେଣ୍ଟର ବୈଠକରେ ଯୋଗ ଦେଇଥିବା କହିଛନ୍ତି। ତାଙ୍କ ମତରେ, ରାଜନୈତିକ ଅସ୍ତିତ୍ୱ ବଜାୟ ରଖିବା ପାଇଁ ବିଜେଡି ବିଭିନ୍ନ ରାଜନୈତିକ ସାହାରା ଖୋଜୁଛି।

ସେ ଆହୁରି କହିଛନ୍ତି, ଲୋକସଭା ଓ ରାଜ୍ୟସଭାରେ ନିଜର ପ୍ରାସଙ୍ଗିକତା ହରାଇବା ପରେ ବିଜେଡି ଓଡ଼ିଶାର ସ୍ୱାର୍ଥ କଥା କହିବା କେବଳ ରାଜନୈତିକ ନାଟକବାଜି। ବିରୋଧୀମାନେ ନିଜର ରାଜନୈତିକ ସ୍ୱାର୍ଥ ପାଇଁ ବିଭିନ୍ନ ପ୍ରସଙ୍ଗକୁ ନେଇ ଲୋକଙ୍କୁ ଭ୍ରମିତ କରିବାକୁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି।

ନିର୍ବାଚନ ପ୍ରକ୍ରିୟାକୁ ନେଇ କଂଗ୍ରେସର ଆନ୍ଦୋଳନ ପ୍ରସଙ୍ଗରେ ମଧ୍ୟ ତ୍ରିପାଠୀ ଆପତ୍ତି ଉଠାଇଛନ୍ତି। ନିର୍ବାଚନ ଆୟୋଗଙ୍କ ଉପରେ ପ୍ରଶ୍ନ ଉଠାଇବା ପୂର୍ବରୁ କଂଗ୍ରେସ ନିଜର ଅତୀତକୁ ମନେ ପକାଇବା ଉଚିତ ବୋଲି ସେ କହିଛନ୍ତି। ଏସ୍‌ଆଇଆର୍‌କୁ ନେଇ କଂଗ୍ରେସ ଯେଉଁ ପ୍ରଶ୍ନ ଉଠାଉଛି, ସେଥିରେ ତଥ୍ୟ ଓ ପ୍ରମାଣ ଉପସ୍ଥାପନ କରିବାକୁ ସେ ଆହ୍ୱାନ ଦେଇଛନ୍ତି।

ନିର୍ବାଚନ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ଉଲ୍ଲେଖ କରି ତ୍ରିପାଠୀ କହିଛନ୍ତି, ଯଦି କାହାର ନାମ ଉଦ୍ଦେଶ୍ୟମୂଳକ ଭାବେ ଭୋଟର ତାଲିକାରୁ ବାଦ ପଡ଼ିଛି ବୋଲି ବିରୋଧୀଙ୍କ ପାଖରେ ନିର୍ଦ୍ଦିଷ୍ଟ ପ୍ରମାଣ ରହିଛି, ତେବେ ତାହାକୁ ସାର୍ବଜନୀନ କରାଯାଉ। କେବଳ ଗଣମାଧ୍ୟମରେ ବୟାନବାଜି କରିବା ଦ୍ୱାରା ସମସ୍ୟାର ସମାଧାନ ହେବ ନାହିଁ ବୋଲି ସେ କହିଛନ୍ତି।

ବିଜେପି ସମ୍ବିଧାନ, ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଆଇନର ଶାସନରେ ବିଶ୍ୱାସ କରେ ବୋଲି ତ୍ରିପାଠୀ କହିଛନ୍ତି। ଓଡ଼ିଶାବାସୀଙ୍କ ଆସ୍ଥା ଓ ସମର୍ଥନ ସହ ବିଜେପି ସରକାର ଜନସେବାରେ ନିରନ୍ତର କାର୍ଯ୍ୟ କରୁଛି ବୋଲି ସେ ଦାବି କରିଛନ୍ତି।

You may also like

Leave a Comment