Home Featuredନବରଙ୍ଗପୁର ବିକାଶ ପାଇଁ ବଡ଼ ରୋଡମ୍ୟାପ୍: ୨୫ଟି ସ୍ୱତନ୍ତ୍ର ପ୍ରକଳ୍ପରେ ୧୪୭୧ କୋଟି ଟଙ୍କା ବିନିଯୋଗ ଯୋଜନା

ନବରଙ୍ଗପୁର ବିକାଶ ପାଇଁ ବଡ଼ ରୋଡମ୍ୟାପ୍: ୨୫ଟି ସ୍ୱତନ୍ତ୍ର ପ୍ରକଳ୍ପରେ ୧୪୭୧ କୋଟି ଟଙ୍କା ବିନିଯୋଗ ଯୋଜନା

by Lokanath Panigrahi
0 comments

ନବରଙ୍ଗପୁର ଜିଲ୍ଲାର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଏକ ବ୍ୟାପକ ବିକାଶ ରୂପରେଖା ପ୍ରସ୍ତୁତ କରାଯାଇଛି। କୃଷି, ପର୍ଯ୍ୟଟନ, ଜୀବିକା, ଜଳସେଚନ, ଭିତ୍ତିଭୂମି, ଦକ୍ଷତା ବିକାଶ ଏବଂ ସାମାଜିକ ସୁରକ୍ଷା ଭଳି ପ୍ରମୁଖ କ୍ଷେତ୍ରକୁ ଗୁରୁତ୍ୱ ଦେଇ ମୋଟ ୨୫ଟି ସ୍ୱତନ୍ତ୍ର ପ୍ରକଳ୍ପ ପାଇଁ ୧୪୭୧ କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରଖାଯାଇଛି। ଏହି ଯୋଜନା ଜିଲ୍ଲାର ସମସ୍ତ ୧୦ଟି ବ୍ଲକର ବିକାଶକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି।

ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ସ୍ଥାନୀୟ ଯୁବକ-ଯୁବତୀଙ୍କ ପାଇଁ ରୋଜଗାର ସୃଷ୍ଟିକୁ ପ୍ରାଥମିକତା ଦିଆଯାଇଛି। ଏହି ଲକ୍ଷ୍ୟରେ ୩୫ କୋଟି ଟଙ୍କା ବ୍ୟୟରେ ଜୀବିକା ଭିତ୍ତିକ ଦୁଇଟି ପ୍ରମୁଖ ପ୍ରକଳ୍ପ ହାତକୁ ନିଆଯିବ। ପ୍ରତ୍ୟେକ ବ୍ଲକରେ ପ୍ରଶିକ୍ଷିତ ଟାଇଲରମାନଙ୍କୁ ନେଇ ପୋଷାକ ଉତ୍ପାଦନ କେନ୍ଦ୍ର ସ୍ଥାପନ କରାଯିବା ସହ ଜିଲ୍ଲାରେ ଅଧିକ ପରିମାଣରେ ଉତ୍ପାଦିତ ମକାର ମୂଲ୍ୟ ସଂଯୋଜନ ପାଇଁ ଏକ ଆଧୁନିକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରାଯିବ। ଏଠାରେ କର୍ଣ୍ଣଫ୍ଲୋର, କର୍ଣ୍ଣଫ୍ଲେକ୍ସ, ପଫ୍ ଏବଂ ଅନ୍ୟାନ୍ୟ ପ୍ୟାକେଜ୍ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରାଯିବ।

ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୫୩.୨୩ କୋଟି ଟଙ୍କା ବ୍ୟୟରେ ଜିଲ୍ଲାର ଛଅଟି ପ୍ରମୁଖ ସ୍ଥାନକୁ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରିବାର ଯୋଜନା ରହିଛି। ସାଗରମୁଣ୍ଡା, ବୁଢ଼ାରାଜା ମନ୍ଦିର, ଭୈରାଗୁମର ଜଳଭଣ୍ଡାର, ଇନ୍ଦ୍ରାବତୀ ନଦୀରେ ବୋଟିଂ, ଡଙ୍ଗାଝରଣ ଇକୋ ପାର୍କ ଏବଂ ଉମରକୋଟ ଜଳପାର୍କକୁ ଆଧୁନିକ ସୁବିଧା ସହ ବିକଶିତ କରାଯିବ।

କୃଷି ଓ ଜଳସେଚନ କ୍ଷେତ୍ର ପାଇଁ ପ୍ରାୟ ୨୯୦ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବିତ ହୋଇଛି। ଏଥିରେ ତେଲ ନଦୀ ଓ ଭାସ୍କେଲ ନଦୀକୁ ସଂଯୋଗ କରିବାର ଏକ ବୃହତ୍ ଜଳସେଚନ ପ୍ରକଳ୍ପ ସାମିଲ ଅଛି। ଏହା କାର୍ଯ୍ୟକାରୀ ହେଲେ ପ୍ରାୟ ୫୦ ହଜାର ଏକର ଚାଷ ଜମି ଜଳସେଚନ ସୁବିଧା ପାଇବ ବୋଲି ଆକଳନ କରାଯାଇଛି। ଏହା ସହ ମୃତ୍ତିକା ପରୀକ୍ଷା ଏବଂ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ଭିତ୍ତିଭୂମି ବିକାଶ କ୍ଷେତ୍ରରେ ସର୍ବାଧିକ ୧୦୬୦ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ରହିଛି। ଏଥିରେ ୨୦୦ ଆସନ ବିଶିଷ୍ଟ ଅଡିଟୋରିୟମ୍, କ୍ରୀଡ଼ା କମ୍ପ୍ଲେକ୍ସ, ଶୀତଳଭଣ୍ଡାର, ତେନ୍ତୁଳି ଓ ମକା ପ୍ରକ୍ରିୟାକରଣ ୟୁନିଟ୍, ଗ୍ରାମୀଣ ସଡ଼କର ଉନ୍ନତିକରଣ, ପାପଡାହାଣ୍ଡିରୁ ରାଇଘର ପର୍ଯ୍ୟନ୍ତ ନୂଆ ରେଳପଥ, ଉମରକୋଟରେ ଏୟାରଷ୍ଟ୍ରିପ୍ ନିର୍ମାଣ ଏବଂ ଇନ୍ଦ୍ରାବତୀ ଜଳଭଣ୍ଡାର ଉପରେ କେନ୍ଦୁଗୁଡ଼ା ନିକଟରେ ଉଚ୍ଚସ୍ତରୀୟ ସେତୁ ନିର୍ମାଣ ଭଳି ବୃହତ୍ ପ୍ରକଳ୍ପ ସାମିଲ ରହିଛି।

ଏହାବ୍ୟତୀତ ଗ୍ରାମାଞ୍ଚଳର ଯୁବକ-ଯୁବତୀଙ୍କୁ ବଜାରମୁଖୀ ଦକ୍ଷତା ପ୍ରଦାନ ପାଇଁ ୩୦ କୋଟି ଟଙ୍କା ବ୍ୟୟରେ ଏକ ଆଧୁନିକ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରାଯିବ। ସାମାଜିକ ସୁରକ୍ଷା କ୍ଷେତ୍ରରେ ମଧ୍ୟ ସ୍ୱତନ୍ତ୍ର ପ୍ରକଳ୍ପ ମାଧ୍ୟମରେ ଦୁର୍ବଳ ବର୍ଗର ଲୋକଙ୍କୁ ସହାୟତା ଯୋଗାଇବାର ଯୋଜନା ରହିଛି।

ଜିଲ୍ଲା ପ୍ରଶାସନର ଆଶା ରହିଛି ଯେ, ଏହି ସମସ୍ତ ପ୍ରକଳ୍ପ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେଲେ ନବରଙ୍ଗପୁରରେ କୃଷି, ଶିଳ୍ପ, ପର୍ଯ୍ୟଟନ, ରୋଜଗାର ଏବଂ ଭିତ୍ତିଭୂମି କ୍ଷେତ୍ରରେ ଦ୍ରୁତ ପରିବର୍ତ୍ତନ ଆସିବ ଏବଂ ଜିଲ୍ଲାର ସାମଗ୍ରିକ ଆର୍ଥିକ ଓ ସାମାଜିକ ବିକାଶକୁ ନୂଆ ଗତି ମିଳିବ।

You may also like

Leave a Comment