Home Odishaତେଲକୋଇ ବିଧାୟକଙ୍କ ସୁରକ୍ଷା ନେଇ ଚିନ୍ତା

ତେଲକୋଇ ବିଧାୟକଙ୍କ ସୁରକ୍ଷା ନେଇ ଚିନ୍ତା

by Lokanath Panigrahi
0 comments

ଧମକ ଓ ଆକ୍ରମଣ ଅଭିଯୋଗ, ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସୁରକ୍ଷା ଦାବି

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ଆଇନଶୃଙ୍ଖଳାକୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି ଶାସକ ଦଳର ତେଲକୋଇ ବିଧାୟକ ଡ. ଫକୀର ମୋହନ ନାଏକ। ତାଙ୍କ ନିଜ ସୁରକ୍ଷା ସହ ଦଳୀୟ ସହଯୋଗୀ ଓ କର୍ମୀଙ୍କ ସୁରକ୍ଷା ପ୍ରତି ବିପଦ ରହିଥିବା ଦର୍ଶାଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଜରୁରୀ ଚିଠି ଲେଖିଛନ୍ତି। ସୁରକ୍ଷା ବଢ଼ାଇବା ସହ ଘଟଣାଗୁଡ଼ିକର ନିରପେକ୍ଷ ତଦନ୍ତ ପାଇଁ ସେ ଅନୁରୋଧ କରିଛନ୍ତି।

ବିଧାୟକଙ୍କ ଚିଠି ଅନୁସାରେ, ଗତ କିଛିଦିନ ଧରି ସୋସିଆଲ ମିଡିଆରେ ତାଙ୍କୁ ଏବଂ ତାଙ୍କ ସମର୍ଥକଙ୍କୁ ଲକ୍ଷ୍ୟ କରି ବିଭିନ୍ନ ଧମକପୂର୍ଣ୍ଣ ଗ୍ରାଫିକ୍ସ ଓ ପୋଷ୍ଟ ପ୍ରସାରିତ ହେଉଛି। ଏହି ଅନଲାଇନ୍ ଧମକ ପରବର୍ତ୍ତୀ ସମୟରେ କିଛି ହିଂସାତ୍ମକ ଘଟଣା ସହ ଜଡ଼ିତ ହୋଇଥିବା ସେ ଅଭିଯୋଗ କରିଛନ୍ତି।

ବିଧାୟକଙ୍କ ଦାବି ଅନୁଯାୟୀ, ଅଗଷ୍ଟ ୨୨ ତାରିଖରେ ମଣ୍ଡଳ ସଭାପତି ଶୁକୁରା ମୁଣ୍ଡାଙ୍କ ଉପସ୍ଥିତିରେ ଏକ ଦଳୀୟ ବୈଠକ ଚାଲିଥିବା ବେଳେ ତାଙ୍କ ଦଳର କର୍ମୀ ରଶ୍ମିକାନ୍ତ ବେହେରାଙ୍କୁ ଆକ୍ରମଣ କରାଯାଇଥିଲା। ଘଟଣା ସମ୍ପର୍କରେ ବାଂଶପାଳର ନୟାକୋଟ ଥାନାରେ ଅଭିଯୋଗ ଦାଖଲ ହୋଇଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଏହାର ପରଦିନ ପୁଲହାର ପଞ୍ଚାୟତ ଅଞ୍ଚଳରେ ମଧ୍ୟ ଆଉ ଏକ ଆକ୍ରମଣ ହୋଇଥିବା ସେ ଦାବି କରିଛନ୍ତି।

ଏହା ପରେ ହରିଚନ୍ଦନପୁର ଓ ତେଲକୋଇ ବ୍ଲକ୍‌ରେ ଆହୁରି ଆକ୍ରମଣର ଯୋଜନା ହେଉଥିବା ନେଇ ସୂଚନା ମିଳିଥିବା ବିଧାୟକ କହିଛନ୍ତି। ଏଭଳି ପରିସ୍ଥିତି ତାଙ୍କ ସହ ଦଳୀୟ କର୍ମୀ ଓ ସହଯୋଗୀଙ୍କ ସୁରକ୍ଷା ପ୍ରତି ଆଶଙ୍କା ବଢ଼ାଇଛି ବୋଲି ସେ ଦର୍ଶାଇଛନ୍ତି। ଏନେଇ କେନ୍ଦୁଝର ଏସ୍‌ପିଙ୍କୁ ମଧ୍ୟ ଅବଗତ କରାଯାଇଥିବା ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ୩ ପ୍ରମୁଖ ଦାବି

ବିଧାୟକ ତାଙ୍କ ଚିଠିରେ ତୁରନ୍ତ ଓ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିବା ସହ ସୋସିଆଲ ମିଡିଆରେ ଚାଲିଥିବା ଧମକପୂର୍ଣ୍ଣ ପୋଷ୍ଟର ଉତ୍ସ ଚିହ୍ନଟ କରିବାକୁ ଦାବି କରିଛନ୍ତି। ଏଥିସହ ଆକ୍ରମଣରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁସାରେ କଠୋର ପଦକ୍ଷେପ ଏବଂ ହରିଚନ୍ଦନପୁର-ତେଲକୋଇ ଅଞ୍ଚଳରେ ଆବଶ୍ୟକ ପ୍ରତିଷେଧକ ବ୍ୟବସ୍ଥା ନେବାକୁ ଅନୁରୋଧ କରିଛନ୍ତି।

ବିଧାନସଭା ସଚିବାଳୟର ତତ୍ପରତା

ଅନ୍ୟପଟେ, ବିଧାୟକଙ୍କ ଅଭିଯୋଗକୁ ବିଧାନସଭା ସଚିବାଳୟ ଗୁରୁତ୍ୱର ସହ ନେଇଛି। ମାମଲାଟିକୁ ପ୍ରାଥମିକତା ଦେଇ ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେବାକୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କୁ ଅବଗତ କରାଯାଇଛି। ଏହାସହ ନିଆଯାଇଥିବା ପଦକ୍ଷେପ ବିଷୟରେ ବିଧାୟକଙ୍କୁ ଜଣାଇବାକୁ ମଧ୍ୟ କୁହାଯାଇଛି।

ତେଲକୋଇ ବିଧାୟକଙ୍କ ସୁରକ୍ଷା ଦାବି ଏବେ ଚର୍ଚ୍ଚାରେ। ଅଭିଯୋଗଗୁଡ଼ିକର ତଦନ୍ତ ପରେ ପ୍ରକୃତ ଘଟଣାର ସ୍ପଷ୍ଟତା ମିଳିବ।

You may also like

Leave a Comment