Home » Blog » ହୋମିଓପାଥି ଶିକ୍ଷା ଓ ଗବେଷଣାକୁ ଗୁରୁତ୍ୱ, ନୂଆପଡ଼ା-ନୟାଗଡ଼ରେ ହେବ ୨ ନୂଆ ମେଡିକାଲ କଲେଜ

ହୋମିଓପାଥି ଶିକ୍ଷା ଓ ଗବେଷଣାକୁ ଗୁରୁତ୍ୱ, ନୂଆପଡ଼ା-ନୟାଗଡ଼ରେ ହେବ ୨ ନୂଆ ମେଡିକାଲ କଲେଜ

by Lokanath Panigrahi
0 comments

ଭୁବନେଶ୍ୱର, ୨୫/୧୧: ହୋମିଓପାଥି ଚିକିତ୍ସାର ଶିକ୍ଷା, ଗବେଷଣା ଓ ଗୁଣାତ୍ମକ ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଏଥିପାଇଁ ନୂଆପଡ଼ା ଓ ନୟାଗଡ଼ରେ ଦୁଇଟି ନୂତନ ସରକାରୀ ହୋମିଓପାଥିକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ। ବୁଧବାର ଭୁବନେଶ୍ୱରସ୍ଥିତ ଡକ୍ଟର ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଓ ହସ୍ପିଟାଲରେ ଆୟୋଜିତ ଜାତୀୟ ବୈଜ୍ଞାନିକ ସମ୍ମିଳନୀରେ ଯୋଗଦେଇ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ସମ୍ମିଳନୀରେ ମହାମହିମ ରାଷ୍ଟ୍ରପତିଙ୍କ ଉପସ୍ଥିତି ଏହାର ଗରିମା ବୃଦ୍ଧି କରିଛି ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ଏଥିସହ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବୈଜ୍ଞାନିକ, ଡାକ୍ତର ଓ ପ୍ରତିନିଧିମାନଙ୍କୁ ମଧ୍ୟ ସ୍ୱାଗତ ଜଣାଇଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ହୋମିଓପାଥି ଏକ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ପଦ୍ଧତି। ୨୦୧୪ ନଭେମ୍ବର ୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆୟୁଷ ମନ୍ତ୍ରଣାଳୟ ଗଠନ କରିବା ପରେ ଭାରତୀୟ ପାରମ୍ପରିକ ଚିକିତ୍ସା ପଦ୍ଧତି ସହ ହୋମିଓପାଥିକୁ ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ମିଳିଛି। ତେବେ ଏହି ଚିକିତ୍ସା ପଦ୍ଧତିର ଉନ୍ନତି ପାଇଁ ଶିକ୍ଷା, ଗବେଷଣା, କ୍ଲିନିକାଲ ଅଧ୍ୟୟନ ଓ ବୈଜ୍ଞାନିକ ପ୍ରମାଣ ଉପରେ ଅଧିକ ଧ୍ୟାନ ଦେବା ଆବଶ୍ୟକ।

ରାଜ୍ୟରେ ବର୍ତ୍ତମାନ ୪ଟି ସରକାରୀ ହୋମିଓପାଥିକ ମେଡିକାଲ କଲେଜ ରହିଛି। ଏହାର ସମ୍ପ୍ରସାରଣ ସହ ନୂଆପଡ଼ା ଓ ନୟାଗଡ଼ରେ ଆଉ ଦୁଇଟି ମେଡିକାଲ କଲେଜ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ସେହିପରି ଢେଙ୍କାନାଳ ଓ ବ୍ରହ୍ମପୁରରେ ୫୦ ଶଯ୍ୟା ବିଶିଷ୍ଟ ଦୁଇଟି ସମନ୍ୱିତ ଆୟୁଷ ହସ୍ପିଟାଲର ନିର୍ମାଣ ଶେଷ ହୋଇଛି। ଖୁବଶୀଘ୍ର ଏଠାରେ ରୋଗୀସେବା ଆରମ୍ଭ ହେବ। ଅନ୍ୟପକ୍ଷରେ ବାଲେଶ୍ୱରରେ ଆଉ ଏକ ୫୦ ଶଯ୍ୟା ବିଶିଷ୍ଟ ସମନ୍ୱିତ ଆୟୁଷ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଚାଲିଛି।

ଆୟୁର୍ବେଦିକ ଓ ହୋମିଓପାଥିକ ଶିକ୍ଷାକୁ ଉତ୍ସାହିତ କରିବା ଲାଗି ସରକାରୀ ମେଡିକାଲ କଲେଜର ପିଜି ଛାତ୍ରଛାତ୍ରୀ ଓ ହାଉସ୍ ସର୍ଜନଙ୍କ ଷ୍ଟାଇପେଣ୍ଡ୍ ବୃଦ୍ଧି କରାଯାଇଛି। ଏଥିସହ ହୋମିଓପାଥିକ ମେଡିକାଲ ସର୍ଭିସ୍, ଆୟୁର୍ବେଦିକ ମେଡିକାଲ ସର୍ଭିସ୍ ଓ ଆୟୁଷ ସହାୟକ କ୍ୟାଡରର ପୁନର୍ଗଠନ କରାଯାଇ ବେତନ ଢାଞ୍ଚାରେ ସଂଶୋଧନ ହୋଇଛି। ଚୁକ୍ତିଭିତ୍ତିକ ଅଧ୍ୟାପକ, ରିଡର ଓ ପ୍ରଫେସରଙ୍କ ପାରିଶ୍ରମିକ ମଧ୍ୟ ବୃଦ୍ଧି କରାଯାଇଛି।

ଏହାବ୍ୟତୀତ ଆୟୁଷ୍ମାନ ଭାରତ ଯୋଜନାର ସଫଳ ରୂପାୟନ ପାଇଁ ରାଜ୍ୟର ୪୨୨ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ଉନ୍ନତିକରଣ କରାଯାଇଛି। ଏହି କେନ୍ଦ୍ରଗୁଡ଼ିକରେ ଆୟୁର୍ବେଦିକ ସହ ହୋମିଓପାଥିକ ଚିକିତ୍ସା ସେବା ମଧ୍ୟ ଉପଲବ୍ଧ ହେଉଛି।

ଡକ୍ଟର ଅଭିନ୍ନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଓ ହସ୍ପିଟାଲକୁ ଦେଶର ଏକ ମର୍ଯ୍ୟାଦାଜନକ ଶିକ୍ଷା ଓ ଚିକିତ୍ସା ଅନୁଷ୍ଠାନ ଭାବେ ଅଭିହିତ କରି ଏହାର ଭିତ୍ତିଭୂମି ଓ ଅଧ୍ୟାପକ ମଣ୍ଡଳୀର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ।

ଚିକିତ୍ସା ଶିକ୍ଷା, ଗବେଷଣା ଓ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାକୁ ଆଗକୁ ନେବା ପାଇଁ ସରକାର, ଶିକ୍ଷାନୁଷ୍ଠାନ, ଗବେଷକ ଓ ଡାକ୍ତରମାନଙ୍କ ମଧ୍ୟରେ ସମନ୍ୱୟ ଜରୁରୀ ବୋଲି ସେ ମତ ଦେଇଥିଲେ। ବିଜ୍ଞାନ ଓ ଗବେଷଣାକୁ ଆଧାର କରି ସୁସ୍ଥ, ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତେ ମିଳିତ ଭାବେ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ।

You may also like

Leave a Comment