ପୁରୁଷ ଡବଲ୍ ସ୍କଲ୍ସରେ ଭାରତକୁ ପ୍ରଥମ ପଦକ, ବ୍ରୋଞ୍ଜ ଜିତି ଦେଶକୁ କଲେ ଗର୍ବିତ, ଏସିଆନ୍ ଗେମ୍ସରେ ଭାରତୀୟ ରୋଇଂ ପାଇଁ ଯୋଡ଼ି ହୋଇଛି ଏକ ନୂଆ ସ୍ୱର୍ଣ୍ଣିମ ଅଧ୍ୟାୟ। ପୁରୁଷ ଡବଲ୍ ସ୍କଲ୍ସ ଇଭେଣ୍ଟରେ ସତନାମ ସିଂହ ଓ ସଲମାନ ଖାନଙ୍କ ଯୋଡ଼ି ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଏହି ଇଭେଣ୍ଟରେ ଏସିଆନ୍ ଗେମ୍ସ ପଦକ ଜିତିବାରେ ସେମାନେ ପ୍ରଥମ ଭାରତୀୟ ଯୋଡ଼ି ହୋଇଛନ୍ତି।
ନାଗାରାଗାୱା ଇଣ୍ଟରନ୍ୟାସନାଲ୍ ରେଗାଟା କୋର୍ସରେ ଅନୁଷ୍ଠିତ ଫାଇନାଲ୍ରେ ସତନାମ ଓ ସଲମାନ ୬ ମିନିଟ୍ ୧୩.୨୫ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନ ହାସଲ କରିଥିଲେ। ୧,୫୦୦ ମିଟର ପର୍ଯ୍ୟନ୍ତ ଭାରତୀୟ ଯୋଡ଼ି ଦ୍ୱିତୀୟ ସ୍ଥାନରେ ଥିଲେ। ତେବେ ଶେଷ ୫୦୦ ମିଟରରେ ସେମାନେ ତୃତୀୟ ସ୍ଥାନକୁ ଖସିଥିଲେ ମଧ୍ୟ ପଦକ ନିଶ୍ଚିତ କରି ଭାରତକୁ ଐତିହାସିକ ସଫଳତା ଦେଇଥିଲେ।
ଚୀନ୍ର ୟି ସୁଡି ଓ ୟିଦେ ନିଏ ୬:୦୯.୩୭ ସମୟ ସହ ସ୍ୱର୍ଣ୍ଣ ପଦକ ଜିତିଥିବାବେଳେ ଉଜବେକିସ୍ତାନର ପାଭେଲ୍ ସୋରିନ୍ ଓ ମେଖରୋଜବେକ୍ ମାମାତକୁଲୋଭ୍ ୬:୧୦.୪୯ ସମୟ ସହ ରୌପ୍ୟ ପଦକ ହାସଲ କରିଥିଲେ। ଭାରତୀୟ ଯୋଡ଼ି ସ୍ୱର୍ଣ୍ଣ ବିଜେତାଙ୍କଠାରୁ ୩.୮୮ ସେକେଣ୍ଡ ପଛରେ ରହିଥିଲେ।
ଏହି ଐତିହାସିକ ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସତନାମ ଓ ସଲମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦୁଇ ଖେଳାଳିଙ୍କ ସଂଯମ ଓ ସମନ୍ୱୟକୁ ପ୍ରଶଂସା କରିବା ସହ ଏହି ସଫଳତା ସେମାନଙ୍କୁ ଭବିଷ୍ୟତରେ ଆହୁରି ବଡ଼ ଉପଲବ୍ଧି ହାସଲ କରିବାକୁ ପ୍ରେରଣା ଦେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
୨୬ ବର୍ଷୀୟ ସତନାମ ସିଂହ ପଞ୍ଜାବର ମାନସା ଜିଲ୍ଲାର ବାସିନ୍ଦା। ଆରମ୍ଭରେ ସେ ଜାତୀୟ ସ୍ତରର ହ୍ୟାଣ୍ଡବଲ୍ ଖେଳାଳି ଥିଲେ। ପରେ ରୋଇଂକୁ ବାଛି ସେ ନିଜ କ୍ୟାରିୟରକୁ ନୂଆ ଦିଗ ଦେଇଥିଲେ। ହାଙ୍ଗଝୋଉ ଏସିଆନ୍ ଗେମ୍ସରେ ପୁରୁଷ କ୍ୱାଡ୍ରୁପଲ୍ ସ୍କଲ୍ସରେ ମଧ୍ୟ ସେ ବ୍ରୋଞ୍ଜ ପଦକ ଜିତିଥିଲେ। ସିନିୟର ଏସିଆନ୍ ରୋଇଂ ଚାମ୍ପିଅନ୍ସିପ୍ରେ ସ୍ୱର୍ଣ୍ଣଜୟୀ ଭାରତୀୟ ଦଳର ସଦସ୍ୟ ମଧ୍ୟ ରହିଥିଲେ।
୨୮ ବର୍ଷୀୟ ସଲମାନ ଖାନଙ୍କ ପାଇଁ ଏହା ପ୍ରଥମ ଏସିଆନ୍ ଗେମ୍ସ ପଦକ। ୨୦୧୮ରେ ବମ୍ବେ ଇଞ୍ଜିନିୟରିଂ ଗ୍ରୁପ୍ରେ ଯୋଗଦେବା ପରେ ସେ ରୋଇଂ ଆରମ୍ଭ କରିଥିଲେ। ଅନେକ ବାଧା ଓ ଚ୍ୟାଲେଞ୍ଜ ମଧ୍ୟରେ ରୋଇଂ ଜାରି ରଖି ସେ ଜାତୀୟ ସ୍ତରରେ ସଫଳତା ପାଇଥିଲେ ଏବଂ ପରେ TOPS କାର୍ଯ୍ୟକ୍ରମରେ ସ୍ଥାନ ପାଇଥିଲେ।
ଏପଟେ ପୁରୁଷ ସିଙ୍ଗଲ୍ ସ୍କଲ୍ସରେ ଭାରତର ବଲରାଜ ପନୱାର ୬:୫୪.୮୦ ସମୟ ସହ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଞ୍ଚିତ ହୋଇଛନ୍ତି। ୧,୫୦୦ ମିଟର ପର୍ଯ୍ୟନ୍ତ ଦ୍ୱିତୀୟ ସ୍ଥାନରେ ଥିବା ପନୱାର ଶେଷ ୫୦୦ ମିଟରରେ ଚତୁର୍ଥ ସ୍ଥାନକୁ ଖସିଯାଇଥିଲେ।
