Home Odishaଗଭୀର ଅବପାତ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ୩୩ ଓଡ୍ରାଫ୍ ଟିମ୍ ମୁତୟନ, ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଗଭୀର ଅବପାତ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ୩୩ ଓଡ୍ରାଫ୍ ଟିମ୍ ମୁତୟନ, ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

by Sunita Jena
0 comments

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତର ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଦେଖାଦେଇଛି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ସ୍ଥିତି ସମୀକ୍ଷା କରିଛନ୍ତି। ସମସ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ସମନ୍ୱୟରେ କାମ କରିବା ସହ ଲୋକଙ୍କ ଧନଜୀବନ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ‘ଜିରୋ କାଜୁଆଲ୍‌ଟି’। ଜଳବନ୍ଦୀ ଅଞ୍ଚଳରେ ଥିବା ଲୋକଙ୍କୁ ଆବଶ୍ୟକସ୍ଥଳେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ଆଶ୍ରୟସ୍ଥଳ ପ୍ରସ୍ତୁତ ରଖିବା ଏବଂ ଆବଶ୍ୟକ ରିଲିଫ୍ ସାମଗ୍ରୀ ମହଜୁଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟାର ଆଶଙ୍କା ନଥିଲେ ମଧ୍ୟ ସର୍ବୋଚ୍ଚ ସ୍ତରର ସତର୍କତା ଓ ପ୍ରସ୍ତୁତି ଜାରି ରଖିବାକୁ କୁହାଯାଇଛି।

୩୩ ଓଡ୍ରାଫ୍ ଟିମ୍ ମୁତୟନ

ଗଭୀର ଅବପାତ ଜନିତ ବର୍ଷାର ମୁକାବିଲା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୩୩ଟି ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି। ଗଞ୍ଜାମରେ ୬, ଗଜପତିରେ ୩, କୋରାପୁଟରେ ୬, ମାଲକାନଗିରିରେ ୩, ରାୟଗଡ଼ାରେ ୩, କଳାହାଣ୍ଡିରେ ୨ ଓ ବଲାଙ୍ଗିରରେ ଗୋଟିଏ ଟିମ୍ ମୁତୟନ ହୋଇଛି। ଏହାବ୍ୟତୀତ ଛତ୍ରପୁର ଓଡ୍ରାଫ୍ ୟୁନିଟ୍‌ର ୯ଟି ଟିମ୍‌କୁ ରିଜର୍ଭ ରଖାଯାଇଛି।

ଓଡ୍ରାଫ୍ ସହ ଏନ୍‌ଡିଆରଏଫ୍ ଓ ଅଗ୍ନିଶମ ସେବା ଦଳକୁ ମଧ୍ୟ ସଜ୍ଜ ରଖାଯାଇଛି। ଉଦ୍ଧାର ନୌକା, ଲାଇଫ୍ ଜାକେଟ୍ ଓ ପାୱାର ବୋଟ୍‌କୁ ପ୍ରସ୍ତୁତ ରଖାଯାଇଛି।

୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଗଭୀର ଅବପାତ ପ୍ରଭାବରେ ରାୟଗଡ଼ା, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ଏଠାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ଏବଂ ଝଟକା ପବନ ୭୦ କିଲୋମିଟର ପର୍ଯ୍ୟନ୍ତ ହେବାର ଆଶଙ୍କା ରହିଛି। ସେହିପରି ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଅନ୍ୟପକ୍ଷରେ ବାଲେଶ୍ୱରଠାରୁ ବୌଦ୍ଧ ପର୍ଯ୍ୟନ୍ତ ଅନେକ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଆଜି ରାତିରେ ଉପକୂଳ ଅତିକ୍ରମ ସମ୍ଭାବନା

ସୂଚନା ଅନୁସାରେ, ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ଘଣ୍ଟା ପ୍ରତି ପ୍ରାୟ ୧୨ କିଲୋମିଟର ବେଗରେ ପଶ୍ଚିମ ଦିଗକୁ ଗତି କରୁଛି। ୨୩ ତାରିଖ ସକାଳ ୫ଟା ୩୦ ସୁଦ୍ଧା ଏହା ଗୋପାଳପୁରଠାରୁ ପ୍ରାୟ ୧୫୦ କିଲୋମିଟର ଦକ୍ଷିଣରେ ରହିଥିଲା। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଜି ରାତି ସୁଦ୍ଧା ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ, କଳିଙ୍ଗପଟ୍ଟଣମ ନିକଟରେ ଉତ୍ତର ଆନ୍ଧ୍ରପ୍ରଦେଶ–ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ।

୨୪ ଘଣ୍ଟା ନଜରରେ ସ୍ଥିତି

ବର୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ବ୍ଲକ୍ ଆପାତକାଳୀନ କାର୍ଯ୍ୟ କେନ୍ଦ୍ରକୁ ୨୪x୭ ସକ୍ରିୟ ରଖାଯାଇଛି। ସମ୍ବେଦନଶୀଳ ଅଞ୍ଚଳ ଚିହ୍ନଟ ସହ ଆଶ୍ରୟସ୍ଥଳ, ଶୁଖିଲା ଖାଦ୍ୟ, ଶିଶୁ ଖାଦ୍ୟ, ପାନୀୟ ଜଳ ଓ ପରିଷ୍କାରତା ସାମଗ୍ରୀ ପ୍ରସ୍ତୁତ ରଖାଯାଇଛି। ଜଳସମ୍ପଦ ବିଭାଗ ନଦୀ ଓ ଜଳାଶୟର ଜଳସ୍ତର ଉପରେ ନଜର ରଖିବା ସହ ସମ୍ବେଦନଶୀଳ ବନ୍ଧଗୁଡ଼ିକର ଯାଞ୍ଚ କରୁଛି। ସହରାଞ୍ଚଳରେ ଡ୍ରେନେଜ୍ ବ୍ୟବସ୍ଥା ଓ ନିମ୍ନାଞ୍ଚଳ ଅଣ୍ଡରପାସ୍‌ରେ ଡି-ୱାଟରିଂ ପମ୍ପ ବ୍ୟବସ୍ଥା ମଧ୍ୟ କରାଯାଇଛି।

ସମୁଦ୍ର ଅଶାନ୍ତ ରହିବା ଆଶଙ୍କାରେ ସମସ୍ତ ବନ୍ଦରରେ ସ୍ଥାନୀୟ ସତର୍କ ସଙ୍କେତ-୩ ଉତ୍ତୋଳନ କରାଯାଇଛି। ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବା ପାଇଁ ଜାରି ନିର୍ଦ୍ଦେଶର କଡ଼ାକଡ଼ି ଅନୁପାଳନ ନିଶ୍ଚିତ କରିବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ବର୍ତ୍ତମାନ ସ୍ଥିତିରେ ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ଜାରି ରହିବାର ଆଶଙ୍କା ଥିବାବେଳେ ୨୫ ତାରିଖ ପରେ ପାଗ ଓ ପରିସ୍ଥିତିରେ ସୁଧାର ଆସିବା ଆଶା କରାଯାଉଛି।

You may also like

Leave a Comment