Home Featuredନୟାଗଡ଼ରେ ନୂଆ ଚିନିକଳ ପାଇଁ ପ୍ରସ୍ତୁତି, ଆଖୁଚାଷ ନେଇ ଚିନ୍ତା

ନୟାଗଡ଼ରେ ନୂଆ ଚିନିକଳ ପାଇଁ ପ୍ରସ୍ତୁତି, ଆଖୁଚାଷ ନେଇ ଚିନ୍ତା

by Sunita Jena
0 comments

ନୟାଗଡ଼ରେ ନୂଆ ଚିନିକଳ ପ୍ରତିଷ୍ଠା ପାଇଁ ସରକାରୀସ୍ତରରେ ପ୍ରକ୍ରିୟା ଆଗକୁ ବଢ଼ୁଛି। କାରଖାନା ପାଇଁ ଉପଯୁକ୍ତ ଜମି ଚିହ୍ନଟଠାରୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରସ୍ତୁତି ନେଇ ଜିଲ୍ଲା ପ୍ରଶାସନ ଓ ଇଣ୍ଡିଆନ୍ ପଟାସ ଲିମିଟେଡ୍‌ର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ଚାଲିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ନୟାଗଡ଼ରେ ଚିନିକଳ ପ୍ରତିଷ୍ଠା ହେବ ବୋଲି ପୂର୍ବରୁ ସୂଚନା ଦେଇସାରିଛନ୍ତି। ତେବେ ନୂଆ ଚିନିକଳ ସ୍ଥାପନ ହେବାକୁ ଥିବା ବେଳେ ଏହା ପାଇଁ ଆବଶ୍ୟକ ଆଖୁ ଯୋଗାଣକୁ ନେଇ ପ୍ରଶ୍ନ ଉଠୁଛି। ଗତ କିଛି ବର୍ଷ ଧରି ଜିଲ୍ଲାରେ ଆଖୁଚାଷର ପରିମାଣ କମିଥିବାରୁ ଭବିଷ୍ୟତରେ କାରଖାନାକୁ ପର୍ଯ୍ୟାପ୍ତ କଞ୍ଚାମାଲ କିପରି ମିଳିବ, ତାହା ଏକ ମୁଖ୍ୟ ପ୍ରସଙ୍ଗ ହୋଇଛି।

ଏକ ସମୟରେ ନୟାଗଡ଼ ରାଜ୍ୟର ପ୍ରମୁଖ ଆଖୁ ଉତ୍ପାଦନକାରୀ ଜିଲ୍ଲା ମଧ୍ୟରେ ଥିଲା। ୨୦୧୩ ମସିହାରେ ପ୍ରାୟ ୬ ହଜାର ହେକ୍ଟର ଜମିରେ ଆଖୁ ଚାଷ ହେଉଥିବା ବେଳେ ବିଭିନ୍ନ ବ୍ଲକ୍‌ରେ ଏହାର ବ୍ୟାପକ ଚାଷ ହେଉଥିଲା। ସେତେବେଳେ ଜିଲ୍ଲାର ଚିନିକଳ ମଧ୍ୟ କାର୍ଯ୍ୟକ୍ଷମ ଥିଲା। ଫଳରେ ଚାଷୀମାନଙ୍କ ପାଇଁ ଆଖୁ ବିକ୍ରିର ଏକ ନିଶ୍ଚିତ ବଜାର ରହିଥିଲା। ପରେ ଚିନିକଳ ବନ୍ଦ ହେବା ପରେ ଆଖୁ ବିକ୍ରି ନେଇ ଚାଷୀଙ୍କ ସମସ୍ୟା ବଢ଼ିଥିଲା। ଉତ୍ପାଦିତ ଆଖୁ ବିକ୍ରି କରିବାରେ ଅସୁବିଧା ଏବଂ ଚାଷରୁ ଆଶାନୁରୂପ ଲାଭ ନମିଳିବାରୁ ଅନେକ ଚାଷୀ ଧୀରେଧୀରେ ଅନ୍ୟ ଫସଲ ଆଡ଼କୁ ମୁହାଁଇଥିଲେ। ବର୍ତ୍ତମାନ ଜିଲ୍ଲାରେ ପ୍ରାୟ ୬୦୦ ହେକ୍ଟର ଜମିରେ ଆଖୁଚାଷ ହେଉଥିବା ସୂଚନା ମିଳିଛି।

ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ଉତ୍ପାଦିତ ଆଖୁ ଅନ୍ୟ ଜିଲ୍ଲାର ଚିନିକଳକୁ ପଠାଯାଉଛି। ଓଡ଼ଗାଁ, ରଣପୁର, ନୟାଗଡ଼ ଓ ନୂଆଗାଁ ଅଞ୍ଚଳର ଆଖୁ ଆସ୍କା ଚିନିକଳକୁ ଯାଉଥିବା ବେଳେ ଗଣିଆ, ଦଶପଲ୍ଲା, ଖଣ୍ଡପଡ଼ା ଓ ଭାପୁର ଅଞ୍ଚଳର ଆଖୁ ଢେଙ୍କାନାଳ ଅଞ୍ଚଳର ଚିନିକଳକୁ ପଠାଯାଉଛି। ଆଖୁଚାଷକୁ ପୁଣି ଲୋକପ୍ରିୟ କରିବା ପାଇଁ କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ସଚେତନ କରାଯାଉଛି ଏବଂ ଉନ୍ନତ କିସମର ବିହନ ବ୍ୟବହାର ନେଇ ପରାମର୍ଶ ଦିଆଯାଉଛି। ହେଲେ ଚାଷୀଙ୍କ ମଧ୍ୟରେ ପୂର୍ବଭଳି ଆଖୁଚାଷ ପ୍ରତି ଆଗ୍ରହ ଫେରିନଥିବା କୁହାଯାଉଛି।

ଚାଷୀ ସଂଗଠନଗୁଡ଼ିକର ମତରେ, କେବଳ ଚିନିକଳ ସ୍ଥାପନ କରିଦେଲେ ଏହାର ସଫଳତା ନିଶ୍ଚିତ ହେବ ନାହିଁ। ଚାଷୀଙ୍କୁ ଆଖୁଚାଷ ପାଇଁ ପ୍ରୋତ୍ସାହନ, ଉନ୍ନତ ବିହନ, ବଜାର ବ୍ୟବସ୍ଥା ଓ ଉତ୍ପାଦିତ ଆଖୁର ନିଶ୍ଚିତ ବିକ୍ରି ଭଳି ବିଷୟରେ ସ୍ପଷ୍ଟ ବ୍ୟବସ୍ଥା ଆବଶ୍ୟକ। ନୂଆ ଚିନିକଳ ନୟାଗଡ଼ର କୃଷି ଅର୍ଥନୀତିକୁ ନୂଆ ଗତି ଦେବାକୁ ହେଲେ କାରଖାନା ସହ ଆଖୁଚାଷର ଭିତ୍ତିକୁ ମଧ୍ୟ ମଜବୁତ କରିବାକୁ ପଡ଼ିବ।

You may also like

Leave a Comment