ଓଡ଼ିଶାକୁ ଅଧିକ ପୁଞ୍ଜିନିବେଶ ଆଣିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫ ଦିନିଆ ୟୁଏଇ ଗସ୍ତରେ ଯାଉଛନ୍ତି। ସେପ୍ଟେମ୍ବର ୮ରୁ ୧୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ୟୁଏଇର ବିଭିନ୍ନ ଶିଳ୍ପ ଓ ବ୍ୟବସାୟିକ ସଂସ୍ଥାର ପ୍ରମୁଖଙ୍କ ସହ ଆଲୋଚନା କରିବେ। ଗସ୍ତର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ୟୁଏଇ ସମେତ ମଧ୍ୟପ୍ରାଚ୍ୟର ନିବେଶକଙ୍କୁ ଓଡ଼ିଶାରେ ନିବେଶ ପାଇଁ ଆକୃଷ୍ଟ କରିବା। ଶିଳ୍ପ, ବାଣିଜ୍ୟ, ପେଟ୍ରୋକେମିକାଲ୍, ଆଲୁମିନିୟମ୍, ପର୍ଯ୍ୟଟନ ଓ ଅନ୍ୟାନ୍ୟ କ୍ଷେତ୍ରରେ ରାଜ୍ୟରେ ଥିବା ସମ୍ଭାବନା ସମ୍ପର୍କରେ ନିବେଶକଙ୍କୁ ଅବଗତ କରାଯିବ।
ସେପ୍ଟେମ୍ବର ୮ରେ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଦେଇ ଆବୁଧାବି ଯାତ୍ରା କରିବେ। ୯ ତାରିଖରେ ବିଭିନ୍ନ ଅନ୍ତର୍ଜାତୀୟ କମ୍ପାନୀ ଓ ବ୍ୟବସାୟିକ ସଂଗଠନର ଅଧିକାରୀଙ୍କ ସହ ତାଙ୍କର ବୈଠକ ରହିଛି। ଏହି ଆଲୋଚନାରେ ଓଡ଼ିଶାରେ ନୂଆ ଶିଳ୍ପ ସ୍ଥାପନ ଓ ନିବେଶର ସୁଯୋଗ ନେଇ ବିସ୍ତୃତ ଚର୍ଚ୍ଚା ହେବ।
ସେହିଦିନ ଦୁବାଇରେ ‘One District One Product’ ଯୋଜନା ଅଧୀନରେ ଓଡ଼ିଶାରେ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ। ଏହା ମାଧ୍ୟମରେ ଓଡ଼ିଶାର ସ୍ଥାନୀୟ ଉତ୍ପାଦକୁ ଅନ୍ତର୍ଜାତୀୟ ବଜାରରେ ପହଞ୍ଚାଇବା ଏବଂ ବ୍ୟବସାୟିକ ସମ୍ଭାବନା ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯିବ। ସେପ୍ଟେମ୍ବର ୧୦ରେ ୟୁଏଇର ଅର୍ଥନୀତି ଓ ପର୍ଯ୍ୟଟନ ବିଭାଗ ସହ ଜଡ଼ିତ ପ୍ରମୁଖ ବ୍ୟକ୍ତିବିଶେଷଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଏହାବ୍ୟତୀତ ବିଭିନ୍ନ ବ୍ୟବସାୟିକ ପରିଷଦ, ଶିଳ୍ପ ସଂସ୍ଥା ଏବଂ ରିସାଇକ୍ଲିଂ କ୍ଷେତ୍ରର ପ୍ରତିନିଧିଙ୍କ ସହ ମଧ୍ୟ ବୈଠକ ହେବ। ଓଡ଼ିଶାର ବ୍ୟବସାୟିକ ପ୍ରତିନିଧି ଦଳ ସହ ମଧ୍ୟ ମତବିନିମୟ କରିବେ ମୁଖ୍ୟମନ୍ତ୍ରୀ।
ଗସ୍ତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ରହିଛି ସେପ୍ଟେମ୍ବର ୧୧ରେ। ଦୁବାଇରେ ଆୟୋଜିତ ହେବାକୁ ଥିବା **‘Odisha Investors Meet’**ରେ ବିଭିନ୍ନ ଶିଳ୍ପପତି ଓ ନିବେଶକଙ୍କ ସହ ମୁଖ୍ୟମନ୍ତ୍ରୀ ସିଧାସଳଖ ଆଲୋଚନା କରିବେ। ଓଡ଼ିଶାରେ ନିବେଶ ପାଇଁ ଉପଲବ୍ଧ ସୁଯୋଗ, ଶିଳ୍ପ ଭିତ୍ତିଭୂମି ଏବଂ ରାଜ୍ୟ ସରକାରଙ୍କ ନିବେଶ ଅନୁକୂଳ ନୀତି ସମ୍ପର୍କରେ ନିବେଶକଙ୍କୁ ଅବଗତ କରାଯିବ। ଏହି ଦିନ ପ୍ରବାସୀ ଓଡ଼ିଆଙ୍କ ସହ ମଧ୍ୟ ଏକ ସ୍ୱତନ୍ତ୍ର ମତବିନିମୟ କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ପ୍ରବାସୀ ଓଡ଼ିଆଙ୍କୁ ସମ୍ବୋଧନ କରି ରାଜ୍ୟର ବିକାଶ, ନୂଆ ଶିଳ୍ପ ସମ୍ଭାବନା ଏବଂ ଓଡ଼ିଶା ସହ ସେମାନଙ୍କର ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ନେଇ ଆହ୍ୱାନ ଦେବେ।
୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବେ। ତାଙ୍କ ସହ ରାଜ୍ୟର ଶିଳ୍ପମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ମଧ୍ୟ ୟୁଏଇ ଗସ୍ତରେ ସାମିଲ ହେଉଛନ୍ତି। ସରକାରଙ୍କ ଆଶା, ଏହି ଗସ୍ତ ମାଧ୍ୟମରେ ୟୁଏଇର ନିବେଶକଙ୍କ ସହ ଓଡ଼ିଶାର ଶିଳ୍ପ ଓ ବାଣିଜ୍ୟିକ ସମ୍ପର୍କ ଆହୁରି ମଜବୁତ ହେବା ସହ ରାଜ୍ୟକୁ ନୂଆ ପୁଞ୍ଜିନିବେଶ ଆସିବାର ରାସ୍ତା ଖୋଲିବ।
