ଭୁବନେଶ୍ୱର, ୨୨ ଜୁନ: ରାଜ୍ୟର ହଜାର ହଜାର ଆଇନଜୀବୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଆଇନଜୀବୀ କଲ୍ୟାଣ ପାଣ୍ଠିରୁ ଅବସର ଗ୍ରହଣ କିମ୍ବା ଦେହାନ୍ତ କ୍ଷେତ୍ରରେ ଦିଆଯାଉଥିବା ସହାୟତା ରାଶିକୁ ୪୦ ପ୍ରତିଶତ ବୃଦ୍ଧି କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଫଳରେ ରାଜ୍ୟର ବିଭିନ୍ନ ଅଦାଲତରେ କାର୍ଯ୍ୟରତ ହଜାର ହଜାର ଆଇନଜୀବୀ ଏବଂ ସେମାନଙ୍କ ପରିବାର ସିଧାସଳଖ ଭାବେ ଉପକୃତ ହେବେ। ସୂଚନାଯୋଗ୍ୟ ଯେ, ଶେଷଥର ପାଇଁ ୨୦୨୧ ମସିହାରେ ଏହି ସହାୟତା ରାଶି ବୃଦ୍ଧି କରାଯାଇଥିଲା।
ନୂତନ ବ୍ୟବସ୍ଥା ଅନୁଯାୟୀ, ୫ ବର୍ଷ କିମ୍ବା ତା’ଠାରୁ କମ୍ ସମୟ ଧରି କାର୍ଯ୍ୟରତ ଆଇନଜୀବୀଙ୍କ ଦେହାନ୍ତ ଘଟିଲେ ସେମାନଙ୍କ ନିକଟତମ ପରିବାର ସଦସ୍ୟଙ୍କୁ ୧ ଲକ୍ଷ ୫ ହଜାର ଟଙ୍କା ସହାୟତା ମିଳିବ। ଏହାପରେ ପ୍ରତ୍ୟେକ ଅତିରିକ୍ତ ବର୍ଷର କାର୍ଯ୍ୟାନୁଭବ ଅନୁସାରେ ସହାୟତା ରାଶି ବୃଦ୍ଧି ପାଇବ।
ସେହିପରି, ୩୦ ବର୍ଷ କାର୍ଯ୍ୟରତ ରହିଥିବା ଆଇନଜୀବୀଙ୍କୁ ଅବସର ସମୟରେ କିମ୍ବା ଦେହାନ୍ତ କ୍ଷେତ୍ରରେ ସେମାନଙ୍କ ନିକଟତମ ପରିବାର ସଦସ୍ୟଙ୍କୁ ସର୍ବାଧିକ ୬ ଲକ୍ଷ ୩୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ।
ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଆଇନଜୀବୀମାନଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ସହ ସେମାନଙ୍କ କଲ୍ୟାଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି।
