ଉତ୍ତର ଓଡ଼ିଶା ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଧୀରେଧୀରେ ଗମ୍ଭୀର ହେଉଛି। ଲଗାତାର ବର୍ଷା କାରଣରୁ ବିଭିନ୍ନ ନଦୀର ଜଳସ୍ତର ବଢ଼ିବା ସହ ଅନେକ ଅଞ୍ଚଳରେ ରାସ୍ତାଘାଟ ଓ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଏହାର ପ୍ରଭାବରେ ସାଧାରଣ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି।ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ସ୍ଥିତି ଅଧିକ ଚିନ୍ତାଜନକ ରହିଛି। କେନ୍ଦୁଝରର ଭୀମକୁଣ୍ଡ ଅଞ୍ଚଳରେ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଅନ୍ୟପଟେ ଜୁଡ଼ିଆ ଘାଟିରେ ପାହାଡ଼ରୁ ପଥର ଖସିବା ଯୋଗୁଁ ଯାତାୟାତରେ ବାଧା ସୃଷ୍ଟି ହୋଇଛି।
ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ୍ ଅଞ୍ଚଳରେ କାଣୀ ନଦୀର ବନ୍ଧ ଦୁର୍ବଳ ହୋଇ ଧସିଯିବା ପରେ ପ୍ରଶାସନ ପକ୍ଷରୁ ତୁରନ୍ତ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି। ବନ୍ୟା ପାଣି ଅଧିକ ଅଞ୍ଚଳକୁ ନ ପଶିବା ପାଇଁ ଜରୁରୀକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି।ଭଦ୍ରକ ଜିଲ୍ଲାରେ ମଧ୍ୟ ବନ୍ୟା ପରିସ୍ଥିତି ଉଦ୍ବେଗଜନକ। ଆଖୁଆପଦା ନିକଟରେ ବୈତରଣୀ ଓ ସାଳନ୍ଦୀ ନଦୀର ଜଳସ୍ତର ବିପଦ ସଙ୍କେତ ଅତିକ୍ରମ କରିଥିବାରୁ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକ୍ର ବହୁ ଅଞ୍ଚଳ ପାଣି ଘେରରେ ରହିଛି। ଅନେକ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି।
ବନ୍ୟାଜଳ ରାସ୍ତା ଉପରେ ଚାଲିବା ଯୋଗୁଁ ଆଖଣ୍ଡଳମଣି ପୀଠକୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ଶ୍ରାବଣ ସୋମବାର ଅବସରରେ ମନ୍ଦିରକୁ ଯାଉଥିବା କାଉଡ଼ିଆ ଓ ସ୍ଥାନୀୟ ଲୋକଙ୍କ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି। ପାଣିର ପ୍ରଖର ସ୍ରୋତ ମଧ୍ୟରେ ଯାତାୟାତ ନ କରିବାକୁ ସତର୍କ କରାଯାଉଛି।ଏପଟେ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି ରହିଛି। ନଦୀର ଜଳସ୍ତର, ବନ୍ଧ ଓ ତଳିଆ ଅଞ୍ଚଳର ସ୍ଥିତି ଉପରେ ପ୍ରଶାସନ ନଜର ରଖିଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଆବଶ୍ୟକତା ଅନୁଯାୟୀ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି।
