ଭୁବନେଶ୍ୱର: ବଙ୍ଗୋପସାଗରରେ ଘନୀଭୂତ ହୋଇ ଶକ୍ତିଶାଳୀ ରୂପ ନେଉଛି ବାତ୍ୟା ‘ଅକ୍ଭାନ୍’। ଏହାର ଗତିପଥ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ରହିଥିବା ବେଳେ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହେବ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଉପକୂଳ ଅଞ୍ଚଳରେ ପବନର ବେଗ ବଢ଼ିବା ନେଇ ଆକଳନ କରାଯାଇଛି।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ବାତ୍ୟାଟି ଘଣ୍ଟାପ୍ରତି ପ୍ରାୟ ୧୦ କିଲୋମିଟର ବେଗରେ ଗତି କରୁଛି। ଏହା ଚେନ୍ନାଇ, ମଚ୍ଛଲିପଟନମ୍, ବିଶାଖାପାଟଣା ଓ ଗୋପାଳପୁରଠାରୁ ଦୂର ସମୁଦ୍ର ମଧ୍ୟରେ ରହିଛି। ଆସନ୍ତା ୧୭ ତାରିଖ ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେବା ସହ ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ଅତିଭୀଷଣ ବାତ୍ୟାରେ ପରିଣତ ହୋଇପାରେ।
ଆକଳନ ଅନୁସାରେ, ନଭେମ୍ବର ୨୦ ତାରିଖରେ ଆନ୍ଧ୍ରପ୍ରଦେଶର ନେଲୋର ଓ ଟୁନି ମଧ୍ୟବର୍ତ୍ତୀ ଉପକୂଳରେ ଏହା ସ୍ଥଳଭାଗ ଅତିକ୍ରମ କରିପାରେ। ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ରହିବା ସହ ଝଟକା ପବନ ୧୪୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।
ଓଡ଼ିଶାରେ କେବେଠାରୁ ପ୍ରଭାବ?
ବାତ୍ୟାର ପ୍ରଭାବରେ ନଭେମ୍ବର ୧୮ ତାରିଖଠାରୁ ଓଡ଼ିଶାର ପାଣିପାଗ ବଦଳିବା ଆରମ୍ଭ ହେବ। ଉପକୂଳ ଓଡ଼ିଶା ଏବଂ ସମୁଦ୍ର ସଂଲଗ୍ନ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ରହିପାରେ। ଝଟକା ପବନ ୬୦ କିଲୋମିଟର ଛୁଇଁବା ଆଶଙ୍କା ରହିଛି। ୧୯ ଓ ୨୦ ତାରିଖରେ ପବନର ବେଗ ଆହୁରି ବଢ଼ି ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ହୋଇପାରେ। ଏହି ସମୟରେ ଝଟକା ପବନର ବେଗ ୭୦ କିଲୋମିଟର ରହିବା ସମ୍ଭାବନା ରହିଛି।
ଜିଲ୍ଲାୱାରୀ ବର୍ଷା ପୂର୍ବାନୁମାନ:
- ୧୮ ଓ ୧୯ ନଭେମ୍ବର: ଗଞ୍ଜାମ, ଗଜପତି ଓ ପୁରୀର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ।
- ୨୦ ନଭେମ୍ବର: ରାଜ୍ୟର ସମସ୍ତ ଜିଲ୍ଲାରେ ବର୍ଷା ସମ୍ଭାବନା। ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ଭାରୀ ବର୍ଷା ଆଶଙ୍କା।
- ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ।
- ୨୧ ନଭେମ୍ବର: ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନବରଙ୍ଗପୁର ଓ କୋରାପୁଟରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କାରେ ଅରେଞ୍ଜ ଆଲର୍ଟ।
ପାଣିପାଗ ବିଶେଷଜ୍ଞଙ୍କ ଆକଳନ
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ମତରେ, ବାତ୍ୟାର ଗତିପଥ ପୂର୍ବାନୁମାନରେ ପରିବର୍ତ୍ତନ ହୋଇଛି। ଏହା ଆନ୍ଧ୍ରପ୍ରଦେଶର କାକିନାଡ଼ା ଓ ମଚ୍ଛଲିପଟନମ୍ ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି। ବାତ୍ୟାର ମୁଖ୍ୟ ବର୍ଷା ଅଞ୍ଚଳ ଆନ୍ଧ୍ରପ୍ରଦେଶରେ ରହିପାରେ। ତେବେ ଏହାର ବାହ୍ୟ ମେଘମାଳା ଓଡ଼ିଶାର ଦକ୍ଷିଣ ଜିଲ୍ଲାଗୁଡ଼ିକୁ ପ୍ରଭାବିତ କରିପାରେ। ବିଶେଷକରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ବର୍ଷାର ପ୍ରଭାବ ଦେଖିବାକୁ ମିଳିପାରେ।
ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ନଭେମ୍ବର ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ପରାମର୍ଶ ଦିଆଯାଇଛି। ସମୁଦ୍ରରେ ପବନର ବେଗ ବୃଦ୍ଧି ଓ ଉତ୍ତାଳ ଢେଉର ଆଶଙ୍କା ଥିବାରୁ ସତର୍କ ରହିବା ଜରୁରୀ। ବାତ୍ୟାର ଗତିପଥ ଓ ତୀବ୍ରତା ନେଇ ପରିବର୍ତ୍ତନ ସମ୍ଭବ ଥିବାରୁ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା ଉପରେ ନଜର ରଖିବା ଆବଶ୍ୟକ।
