୨୬ରେ ବାତ୍ୟାର ରୂପ ନେବା ସମ୍ଭାବନା, ୨୭ରୁ ପ୍ରବଳ ବର୍ଷା ଆଶଙ୍କା
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପକୁ ନେଇ ଓଡ଼ିଶା ଉପକୂଳରେ ବଢ଼ିଛି ପାଣିପାଗ ଚିନ୍ତା। ଭାରତୀୟ ପାଣିପାଗ ବିଭାଗ (IMD)ର ପୂର୍ବାନୁମାନ ଅନୁସାରେ, ଏହି ଲଘୁଚାପ ଅକ୍ଟୋବର ୨୪ରେ ଅବପାତ ଏବଂ ୨୫ରେ ଗଭୀର ଅବପାତର ରୂପ ନେଇପାରେ। ପରେ ୨୬ ତାରିଖ ସକାଳ ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି। ବାତ୍ୟା ରୂପ ନେଲେ ଏହାର ନାମ ‘ଅର୍ଣ୍ଣବ’ ରହିବ। ବର୍ତ୍ତମାନ ସୁଦ୍ଧା ସ୍ଥଳଭାଗ ଛୁଇଁବାର ନିର୍ଦ୍ଦିଷ୍ଟ ସ୍ଥାନ ଓ ତୀବ୍ରତା ସ୍ପଷ୍ଟ ହୋଇନାହିଁ।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଏହି ସମ୍ଭାବ୍ୟ ବାତ୍ୟା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇପାରେ। ଅକ୍ଟୋବର ୨୮ ବେଳକୁ ଏହା ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଛି।
ଅନ୍ୟପଟେ, ଅକ୍ଟୋବର ୨୬ରୁ ଉପକୂଳ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗର କେତେକ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇପାରେ। ୨୭ରୁ ୨୯ ତାରିଖ ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ କେତେକ ସ୍ଥାନରେ ଅତ୍ୟଧିକ ବର୍ଷା ହେବାର ଆଶଙ୍କା ରହିଛି। ଏହାସହ ପବନର ବେଗ ବଢ଼ିବା ଏବଂ ସମୁଦ୍ର ଅଶାନ୍ତ ହେବା ନେଇ ମଧ୍ୟ ସତର୍କ କରାଯାଇଛି।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବା ଏବଂ ସମୁଦ୍ରରେ ଥିବା ମତ୍ସ୍ୟଜୀବୀଙ୍କୁ ନିରାପଦରେ ଫେରିଆସିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟ ସରକାର ମଧ୍ୟ ସମ୍ଭାବ୍ୟ ପ୍ରଭାବିତ ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ କହିଛନ୍ତି। ତେବେ ବାତ୍ୟାର ଗତିପଥ ଓ ତୀବ୍ରତା ନେଇ ପରବର୍ତ୍ତୀ ପାଣିପାଗ ବୁଲେଟିନ୍ରେ ଅଧିକ ସ୍ପଷ୍ଟତା ମିଳିବ।
ବ୍ୟୁରୋ ରିପୋର୍ଟ, ଓଡ଼ିଶା ଫାଷ୍ଟ।
