ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ମଧ୍ୟରେ ଲୋକଙ୍କ ଜୀବନ ସୁରକ୍ଷା ଓ ଚାଷୀଙ୍କ ଫସଲର କ୍ଷୟକ୍ଷତି ହ୍ରାସକୁ ସର୍ବାଧିକ ପ୍ରାଥମିକତା ଦେବାକୁ ଗୁରୁତ୍ୱାରୋପ କରିଛନ୍ତି ରାଜ୍ୟପାଳ ବ୍ରଜମୋହନ ରାମ। ବୁଧବାର ଲୋକଭବନରେ ସ୍ୱତନ୍ତ୍ର ରିଲିଫ୍ କମିଶନର ରାଜେଶ ପ୍ରଭାକର ପାଟିଲଙ୍କ ସହ ବାତ୍ୟା ପରିସ୍ଥିତି ଏବଂ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ଅବସରରେ କୌଣସି ଜୀବନହାନି ନହେବା, ଫସଲ ଓ ସମ୍ପତ୍ତିର ସୁରକ୍ଷା ଏବଂ ସମ୍ଭାବ୍ୟ କ୍ଷୟକ୍ଷତିକୁ ସର୍ବନିମ୍ନ ସ୍ତରରେ ରଖିବା ଉପରେ ରାଜ୍ୟପାଳ ବିଶେଷ ଗୁରୁତ୍ୱ ଦେଇଛନ୍ତି।
ସମୀକ୍ଷା ବୈଠକରେ ସ୍ୱତନ୍ତ୍ର ରିଲିଫ୍ କମିଶନର ବାତ୍ୟାର ଗତିବିଧି, ସମ୍ଭାବ୍ୟ ପ୍ରଭାବ ଏବଂ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରତିଷେଧମୂଳକ ପଦକ୍ଷେପ ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ। ବାତ୍ୟା ସିଧାସଳଖ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିନଥିଲେ ମଧ୍ୟ ଏହାର ପ୍ରଭାବରେ ରାଜ୍ୟର ଦକ୍ଷିଣାଞ୍ଚଳରେ ପ୍ରବଳ ବର୍ଷା ଓ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ବିଶେଷକରି ଗଜପତି, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାରେ ବର୍ଷାଜନିତ ପରିସ୍ଥିତି ଉପରେ ପ୍ରଶାସନ ନଜର ରଖିଥିବା ସୂଚନା ଦିଆଯାଇଥିଲା।
ବିପଦପ୍ରବଣ ଅଞ୍ଚଳଗୁଡ଼ିକରେ ଜରୁରୀକାଳୀନ ମୁକାବିଲା ପାଇଁ ଉଦ୍ଧାରକାରୀ ଦଳ ମୁତୟନ କରାଯାଇଛି। ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଅସୁରକ୍ଷିତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଆବଶ୍ୟକସ୍ଥଳେ ତୁରନ୍ତ ସହାୟତା ପହଞ୍ଚାଇବା ପାଇଁ ସମ୍ପୃକ୍ତ ଉଦ୍ଧାର ଓ ଜରୁରୀକାଳୀନ ସେବା ଦଳଗୁଡ଼ିକୁ ସଜାଗ ରଖାଯାଇଥିବା ନେଇ ରାଜ୍ୟପାଳଙ୍କୁ ଅବଗତ କରାଯାଇଛି।
ଏଥିସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ବାତ୍ୟା ପରିସ୍ଥିତି ଉପରେ ନିରନ୍ତର ନଜର ରଖିଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର ସୂଚନା ଦେଇଥିଲେ। କୌଣସି ଅଞ୍ଚଳରେ ଜରୁରୀ ପରିସ୍ଥିତି ସୃଷ୍ଟି ହେଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ଏବଂ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱ ଦିଆଯାଉଥିବା ଜଣାଇଥିଲେ।
ସମୀକ୍ଷା ସମୟରେ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥା ଓ ଏହି କ୍ଷେତ୍ରରେ ରାଜ୍ୟର ସଫଳତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ମିଳିତ ଜାତିସଂଘ ଓ ବିଶ୍ୱବ୍ୟାଙ୍କ ଭଳି ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକ ପକ୍ଷରୁ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଅଭିଜ୍ଞତାକୁ ଆଦର୍ଶ ଭାବେ ସ୍ୱୀକୃତି ମିଳିଥିବା ବିଷୟରେ ରାଜ୍ୟପାଳଙ୍କୁ ଅବଗତ କରାଯାଇଥିଲା।
ରାଜ୍ୟ ସରକାରଙ୍କ ପ୍ରସ୍ତୁତି ନେଇ ସନ୍ତୋଷ ପ୍ରକାଶ କରି ରାଜ୍ୟପାଳ କହିଛନ୍ତି ଯେ, ବାତ୍ୟାର ପ୍ରଭାବ ସମ୍ପୂର୍ଣ୍ଣ ଭାବେ ଦୂର ନହେବା ପର୍ଯ୍ୟନ୍ତ ପ୍ରଶାସନିକ ସତର୍କତା ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ବଜାୟ ରହିବା ଆବଶ୍ୟକ। ଲୋକଙ୍କ ଜୀବନ ରକ୍ଷା ସହ ଚାଷଜମିରେ ଥିବା ଫସଲ, ଘରଦ୍ୱାର ଓ ଅନ୍ୟାନ୍ୟ ସମ୍ପତ୍ତିର କ୍ଷୟକ୍ଷତି ଯଥାସମ୍ଭବ ହ୍ରାସ କରିବାକୁ ସେ ପ୍ରାଥମିକତା ଦେଇଛନ୍ତି।
ବାତ୍ୟା ପରବର୍ତ୍ତୀ ବର୍ଷା ଓ ଏହାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଶାସନର ନିରନ୍ତର ସଜାଗତା ଏବଂ ତ୍ୱରିତ ପ୍ରତିକ୍ରିୟା ଉପରେ ରାଜ୍ୟପାଳଙ୍କ ଏହି ସମୀକ୍ଷା ବିଶେଷ ଗୁରୁତ୍ୱ ବହନ କରୁଛି।
