ଭୁବନେଶ୍ୱର: ରାଜ୍ୟରେ ରାପିଡୋ ଓ ଉବେର ବାଇକ୍ ସେବା ଉପରେ ଲାଗିବ ରୋକ୍। ଘରୋଇ ନମ୍ବର ପ୍ଲେଟ୍ ଥିବା ଦୁଇଚକିଆ ଯାନରେ ଯାତ୍ରୀ ପରିବହନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି କ୍ରାଇମବ୍ରାଞ୍ଚ। ଏନେଇ ଉଭୟ କମ୍ପାନୀର ନୋଡାଲ ଅଧିକାରୀଙ୍କୁ ଚିଠି ଲେଖାଯାଇଛି। ନୋଟିସ୍ ପାଇବାର ୧୫ ଦିନ ମଧ୍ୟରେ ଏଭଳି ବାଇକ୍ ସେବା ବନ୍ଦ କରିବାକୁ କୁହାଯାଇଛି।
ସୂଚନା ଅନୁସାରେ, ରାପିଡୋ ଓ ଉବେର ପକ୍ଷରୁ ଘରୋଇ ବ୍ୟବହାର ପାଇଁ ପଞ୍ଜୀକୃତ ଦୁଇଚକିଆ ଯାନକୁ ବ୍ୟବସାୟିକ ଭିତ୍ତିରେ ଯାତ୍ରୀ ପରିବହନ ପାଇଁ ବ୍ୟବହାର କରାଯାଉଥିଲା। ଏହା ମୋଟର ଯାନ ଆଇନର ଉଲ୍ଲଂଘନ ହେଉଥିବାରୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଏଭଳି କଡ଼ା ପଦକ୍ଷେପ ନିଆଯାଇଛି।
କେବଳ ସେବା ବନ୍ଦ କରିବା ନୁହେଁ, ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ଦ୍ଦେଶ ପାଳନ କରି କ୍ରାଇମବ୍ରାଞ୍ଚ ଓ ରାଜ୍ୟ ପରିବହନ ପ୍ରାଧିକରଣଙ୍କୁ ରିପୋର୍ଟ ଦେବାକୁ ମଧ୍ୟ ଦୁଇ କମ୍ପାନୀକୁ କୁହାଯାଇଛି। ନିର୍ଦ୍ଦେଶ ଅବମାନନା କଲେ ସମ୍ପୃକ୍ତ କମ୍ପାନୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।
ତେବେ ରାପିଡୋ ଓ ଉବେରର ସମସ୍ତ ସେବା ବନ୍ଦ ହେବ ନାହିଁ। ଉଭୟ କମ୍ପାନୀର କାର୍ ଓ ଅଟୋ ସେବା ପୂର୍ବଭଳି ଜାରି ରହିବ ବୋଲି ସ୍ପଷ୍ଟ କରାଯାଇଛି। କେବଳ ଘରୋଇ ନମ୍ବର ପ୍ଲେଟ୍ରେ ଚାଲୁଥିବା ବାଇକ୍ ଯାତ୍ରୀ ପରିବହନ ସେବା ଉପରେ ଏହି କଟକଣା ଲାଗୁ କରାଯାଇଛି।
