୨୦୦୦ତମ ଇଞ୍ଜିନ୍ ଭାରତୀୟ ବାୟୁସେନାକୁ ହସ୍ତାନ୍ତର
ଭୁବନେଶ୍ୱର, ୬ ଅକ୍ଟୋବର ୨୦୨୬: କୋରାପୁଟ ଜିଲ୍ଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) ମାନୁଫାକ୍ଚରିଙ୍ଗ୍ ୟୁନିଟ୍ରେ ଶକ୍ତି ଇଞ୍ଜିନ୍ର ଦ୍ୱିତୀୟ ମାନୁଫାକ୍ଚରିଙ୍ଗ୍ ଲାଇନ୍ର ଉଦ୍ଘାଟନ ହୋଇଛି। ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦ୍ଘାଟନ କରିବା ସହ ସୁନାବେଡ଼ା HALରେ ନିର୍ମିତ ୨୦୦୦ତମ ଇଞ୍ଜିନ୍କୁ ପ୍ରତୀକାତ୍ମକ ଭାବେ ଭାରତୀୟ ବାୟୁସେନାକୁ ହସ୍ତାନ୍ତର କରିଛନ୍ତି।
ଏହି ଅବସରରେ ରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ସେ ସୁନାବେଡ଼ାରେ ଜଣେ ଅତିଥି ଭାବେ ନୁହେଁ, ବରଂ HAL ପରିବାରର ଜଣେ ସଦସ୍ୟ ଭାବେ ନିଜକୁ ଅନୁଭବ କରୁଛନ୍ତି। ୧୯୬୪ରୁ ଫ୍ରଣ୍ଟଲାଇନ୍ ବିମାନ ପାଇଁ ଇଞ୍ଜିନ୍ ନିର୍ମାଣ କରିଆସୁଥିବା HAL କୋରାପୁଟ ଏବେ କେବଳ ଏକ କାରଖାନା ନୁହେଁ, ଦେଶର ଏରୋସ୍ପେସ୍ ପ୍ରପଲସନ୍ ଇକୋସିଷ୍ଟମ୍ର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ ହୋଇଛି ବୋଲି ସେ କହିଛନ୍ତି।
କୋରାପୁଟର HAL କେନ୍ଦ୍ର ଓ ବିଶାଖାପାଟଣାର ଡିଫେନ୍ସ ଏବଂ ନାଭାଲ୍ ଇକୋସିଷ୍ଟମ୍ ମିଶି ପୂର୍ବ ଭାରତ ପାଇଁ ଏକ ନୂଆ ଔଦ୍ୟୋଗିକ ଓ ରଣନୈତିକ ପରିଚୟ ସୃଷ୍ଟି କରିବ ବୋଲି ରକ୍ଷା ମନ୍ତ୍ରୀ କହିଛନ୍ତି। ଭୌଗୋଳିକ ସ୍ଥିତି, ଦୀର୍ଘ ସମୁଦ୍ର ଉପକୂଳ, ପ୍ରମୁଖ ବନ୍ଦର, ଖଣିଜ ସମ୍ପଦ, ଇଞ୍ଜିନିୟରିଂ ଦକ୍ଷତା, ଶିଳ୍ପ ଭିତ୍ତିଭୂମି ଓ କୁଶଳୀ ମାନବ ସମ୍ବଳ ଯୋଗୁଁ ଓଡ଼ିଶା ପ୍ରତିରକ୍ଷା ଉତ୍ପାଦନ ଓ ପ୍ରଯୁକ୍ତି କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିପାରିଛି ବୋଲି ସେ ମତ ଦେଇଛନ୍ତି।
ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ଓଡ଼ିଶାରେ ମେଟାଲ୍ ଡାଉନଷ୍ଟ୍ରିମ୍, ସେମିକଣ୍ଡକ୍ଟର ଓ ଆଇଟି ଭଳି କ୍ଷେତ୍ରରେ ଦ୍ରୁତ ଶିଳ୍ପ ବିକାଶ ହେଉଛି। ଏହି ଶିଳ୍ପଗୁଡ଼ିକ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନରେ ସହାୟକ ହେବ। ଏଥିପାଇଁ ରାଜ୍ୟରେ ଆଉ ଏକ ଆଧୁନିକ ପ୍ରତିରକ୍ଷା ମାନୁଫାକ୍ଚରିଙ୍ଗ୍ ୟୁନିଟ୍ ସ୍ଥାପନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ମେଟାଲ୍ଠାରୁ ସେମିକଣ୍ଡକ୍ଟର ପର୍ଯ୍ୟନ୍ତ ଓଡ଼ିଶାରେ ଏକ ସମୃଦ୍ଧ ଶିଳ୍ପ ଇକୋସିଷ୍ଟମ୍ ଗଢ଼ିଉଠୁଛି। ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଦେଶୀ ଜ୍ଞାନକୌଶଳ ଓ ଆତ୍ମନିର୍ଭରଶୀଳତାକୁ ଗୁରୁତ୍ୱ ଦେଇ ଓଡ଼ିଶାକୁ ଦେଶର ପ୍ରମୁଖ ଶିଳ୍ପ ଓ ପ୍ରତିରକ୍ଷା ହବ୍ରେ ପରିଣତ କରିବାକୁ ସରକାର ପ୍ରତିବଦ୍ଧ।
HAL କୋରାପୁଟ ଡିଭିଜନ୍ର ସଫଳତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ୬୦ ବର୍ଷ ଧରି ଏହି ସଂସ୍ଥା ଦେଶର ସୁରକ୍ଷାରେ ଅତୁଳନୀୟ ଅବଦାନ ରଖିଆସିଛି। ଶକ୍ତି ଇଞ୍ଜିନ୍ର ଦ୍ୱିତୀୟ ଉତ୍ପାଦନ ଲାଇନ୍ ଓ ୨୦୦୦ତମ ଇଞ୍ଜିନ୍ର ହସ୍ତାନ୍ତର ଭାରତର ବଢ଼ୁଥିବା ପ୍ରତିରକ୍ଷା ସାମର୍ଥ୍ୟର ପ୍ରତୀକ। ଲାଇଟ୍ ହେଲିକପ୍ଟର ପାଇଁ ନିର୍ମିତ ଏହି ନୂଆ ଲାଇନ୍ରୁ ବାର୍ଷିକ ୧୦୦ଟି ଶକ୍ତି ଇଞ୍ଜିନ୍ ଉତ୍ପାଦନ ହୋଇପାରିବ। ସେହିପରି AL-31 FP ଇଞ୍ଜିନ୍ର ଉତ୍ପାଦନ କ୍ଷମତା ବାର୍ଷିକ ୩୦ରୁ ୫୦କୁ ବୃଦ୍ଧି କରାଯାଉଛି। HAL କୋରାପୁଟ ଡିଭିଜନ୍ ବର୍ତ୍ତମାନ ୧,୬୦୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରୁଛି।
ରାଜ୍ୟର ଶିଳ୍ପାୟନ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଡବଲ୍ ଇଞ୍ଜିନ୍ ସରକାର ଆସିବା ପରଠାରୁ ଓଡ଼ିଶା ପ୍ରାୟ ୨୨.୫ ଲକ୍ଷ କୋଟି ଟଙ୍କାର ଶିଳ୍ପ ପ୍ରସ୍ତାବ ପାଇଛି। ଏଥିରୁ ୧୨.୫ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ମଞ୍ଜୁର ହୋଇଛି। ୩ ଲକ୍ଷ କୋଟିରୁ ଅଧିକ ଟଙ୍କାର ୧୫୨ଟି ଶିଳ୍ପର ଗ୍ରାଉଣ୍ଡିଙ୍ଗ୍ ହୋଇଥିବା ବେଳେ ୨.୫୦ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇଛି। ଏବେ ଶିଳ୍ପ କେବଳ କିଛି ଜିଲ୍ଲାରେ ସୀମିତ ନରହି ପ୍ରତ୍ୟେକ ଜିଲ୍ଲାକୁ ବ୍ୟାପିଛି।
ସେମିକଣ୍ଡକ୍ଟର କ୍ଷେତ୍ରକୁ ଆଗକୁ ବଢ଼ାଇବା ପାଇଁ ନରାଜରେ ୮୭୦ ଏକର ଜମିରେ ‘ଓଡ଼ିଶା ସିଲିକନ୍ ଭ୍ୟାଲି’ ପ୍ରତିଷ୍ଠା କରାଯାଉଛି। SiCSEM ଓ 3DGS ଭଳି ପ୍ରକଳ୍ପ ମଧ୍ୟ ନିର୍ମାଣାଧୀନ ରହିଛି। ଏହି ପ୍ରକଳ୍ପଗୁଡ଼ିକ ଭାରତକୁ ସେମିକଣ୍ଡକ୍ଟର କ୍ଷେତ୍ରରେ ଆତ୍ମନିର୍ଭର କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି।
କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, କୋଟପାଡ଼ ବିଧାୟକ ରୂପୁ ଭତ୍ରା, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁଟା, କୋରାପୁଟ ବିଧାୟକ ରଘୁରାମ ମାଛ, ପ୍ରତିରକ୍ଷା ଉତ୍ପାଦନ ବିଭାଗ ସଚିବ ସଞ୍ଜୀବ କୁମାର, HAL CMD କେ. ରବି, ଏୟାର ମାର୍ଶାଲ ତେଜ ପାଲ ସିଂହ, କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ସମେତ HALର ବୈଜ୍ଞାନିକ, ଇଞ୍ଜିନିୟର, ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
