ବିଶ୍ୱ କୂଟନୀତିରେ ଭାରତର ବଢ଼ୁଛି ଗୁରୁତ୍ୱ। ଦକ୍ଷିଣ-ପୂର୍ବ ଏସିଆ ସହ ସମ୍ପର୍କକୁ ଆହୁରି ମଜଭୁତ କରିବାକୁ ଭାରତର ବଡ଼ ପଦକ୍ଷେପ। ଦୁଇଦିନିଆ ଫିଲିପାଇନ୍ସ ଗସ୍ତରେ ଯାଇ ରାଜଧାନୀ ମାନିଲାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ନଭେମ୍ବର ୧୬ରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି ଗସ୍ତରେ ମୋଦି ଆସିଆନ୍-ଭାରତ ଓ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗଦେବେ। ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀରେ ବାଣିଜ୍ୟ, ପୁଞ୍ଜିନିବେଶ, ସାମୁଦ୍ରିକ ସୁରକ୍ଷା ଏବଂ ଆଞ୍ଚଳିକ ସହଯୋଗ ଉପରେ ହେବ ବିସ୍ତୃତ ଆଲୋଚନା।
ବିଶେଷକରି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା, ସମୁଦ୍ର ପଥରେ ବାଣିଜ୍ୟକୁ ସୁରକ୍ଷିତ କରିବା ଏବଂ ଦେଶଗୁଡ଼ିକ ମଧ୍ୟରେ ଅର୍ଥନୈତିକ ସମ୍ପର୍କ ବଢ଼ାଇବା ଉପରେ ରହିବ ସ୍ୱତନ୍ତ୍ର ଫୋକସ୍।
ଏହି ଗସ୍ତର ଆଉ ଏକ ବଡ଼ ଆକର୍ଷଣ ହେଉଛି ସମ୍ଭାବ୍ୟ କ୍ୱାଡ୍ ବୈଠକ। ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ନେତାମାନଙ୍କୁ ନେଇ ବୈଠକ ଆୟୋଜନ ପାଇଁ ପ୍ରୟାସ ଚାଲିଛି। ଏହାସହ ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ଭାବ୍ୟ ସାକ୍ଷାତକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।
ଅନ୍ୟପଟେ ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ୍ ଜୁନିୟରଙ୍କ ପକ୍ଷରୁ ବିଶ୍ୱନେତାଙ୍କ ସମ୍ମାନରେ ସ୍ୱତନ୍ତ୍ର ରାତ୍ରିଭୋଜନର ଆୟୋଜନ ରହିଛି। ଏହି ଅବସରରେ ମୋଦି ଅନ୍ୟ ଦେଶର ନେତାମାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିପାରନ୍ତି।
୨୦୨୬କୁ ଭାରତ-ଆସିଆନ୍ ସାମୁଦ୍ରିକ ସହଯୋଗ ବର୍ଷ ଭାବେ ପାଳନ କରାଯାଉଛି। ତେଣୁ ଏହି ଗସ୍ତ ମାଧ୍ୟମରେ ସାମୁଦ୍ରିକ ସୁରକ୍ଷା, ପ୍ରତିରକ୍ଷା ସହଯୋଗ, ଯୋଗାଯୋଗ ଓ ପ୍ରଯୁକ୍ତି କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହେବାର ଆଶା ରହିଛି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ କେବଳ ଏକ କୂଟନୈତିକ କାର୍ଯ୍ୟକ୍ରମ ନୁହେଁ, ବରଂ ଦକ୍ଷିଣ-ପୂର୍ବ ଏସିଆରେ ଭାରତର ରଣନୈତିକ ଓ ଅର୍ଥନୈତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାର ଏକ ବଡ଼ ସୁଯୋଗ।
ଏବେ ନଜର ରହିଛି, ମାନିଲାରେ ହେବାକୁ ଥିବା ଏହି ଶିଖର ସମ୍ମିଳନୀରୁ ଭାରତ ପାଇଁ କେଉଁ ନୂଆ ସମ୍ଭାବନାର ବାଟ ଫିଟୁଛି।
