ଆଧୁନିକ ସୁବିଧା ସହ ପଶ୍ଚିମ ଓଡ଼ିଶାର ସଂସ୍କୃତିର ସୁନ୍ଦର ସମନ୍ୱୟ
ଭୁବନେଶ୍ୱର, ଜୁଲାଇ ୧୪: ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ବରଗଡ଼ ଜିଲ୍ଲାର ବରପାଲି ରେଳ ଷ୍ଟେସନକୁ ସମ୍ପୂର୍ଣ୍ଣ ଆଧୁନିକ ଏବଂ ଯାତ୍ରୀ-ଅନୁକୂଳ ଷ୍ଟେସନରେ ପରିଣତ କରାଯାଇଛି। ପ୍ରାୟ ୨୨ କୋଟି ଟଙ୍କା ବ୍ୟୟରେ ପୁନଃବିକଶିତ ହୋଇଥିବା ଏହି ଷ୍ଟେସନରେ ଅତ୍ୟାଧୁନିକ ଭିତ୍ତିଭୂମି ସହ ପଶ୍ଚିମ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସ୍ଥାନ ଦିଆଯାଇଛି।
ନବୀକରଣ ପରେ ଷ୍ଟେସନରେ ନୂତନ ପ୍ରବେଶ ପଥ, ପ୍ରଶସ୍ତ ପରିକ୍ରମା କ୍ଷେତ୍ର, ଆଧୁନିକ ପ୍ରତୀକ୍ଷାଳୟ, ଉନ୍ନତ ଶୌଚାଳୟ, ଅତିରିକ୍ତ ପ୍ଲାଟଫର୍ମ ସେଲ୍ଟର, ସୁଦୃଢ଼ ସୂଚନା ବ୍ୟବସ୍ଥା ଓ ସୁଗମ ଯାତାୟାତ ପାଇଁ ବ୍ୟାପକ ସୁବିଧା କରାଯାଇଛି। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ୧୨ ମିଟର ଚଉଡ଼ା ଫୁଟ୍ ଓଭର ବ୍ରିଜ୍ ମଧ୍ୟ ନିର୍ମାଣ କରାଯାଇଛି।
ଏହି ଷ୍ଟେସନର ବାସ୍ତୁକଳାରେ ପଶ୍ଚିମ ଓଡ଼ିଶାର ବିଶ୍ୱପ୍ରସିଦ୍ଧ ବରପାଲି ଇକତ ହସ୍ତତନ୍ତ କଳା, ଡାଲଖାଇ ଲୋକନୃତ୍ୟ ଏବଂ ଅନ୍ୟାନ୍ୟ ପାରମ୍ପରିକ କଳାର ମୋଟିଫ୍ ସାମିଲ କରାଯାଇଛି। ଫଳରେ ଷ୍ଟେସନଟି ସ୍ଥାନୀୟ ସଂସ୍କୃତିର ଏକ ନୂଆ ପରିଚୟ ବହନ କରୁଛି।
ଭାରତୀୟ ରେଳବାଇର ଏହି ପଦକ୍ଷେପ କେବଳ ଯାତ୍ରୀ ସୁବିଧା ବୃଦ୍ଧି କରିବ ନାହିଁ, ବରଂ କୃଷି, ବାଣିଜ୍ୟ, ପର୍ଯ୍ୟଟନ, ହସ୍ତତନ୍ତ ଶିଳ୍ପ ଓ ସ୍ଥାନୀୟ ବ୍ୟବସାୟର ବିକାଶକୁ ମଧ୍ୟ ଗତି ଦେବ। ଏହା ଦ୍ୱାରା ଚାଷୀ, ବୁଣାକାର, କାରିଗର ଓ କ୍ଷୁଦ୍ର ଉଦ୍ୟୋଗୀମାନେ ଅଧିକ ସୁଯୋଗ ପାଇବେ ବୋଲି ଆଶା କରାଯାଉଛି।
ଉଲ୍ଲେଖଯୋଗ୍ୟ ଯେ, ୧୭ ଜୁଲାଇ ୨୦୨୬ରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବ୍ୟାପୀ ଉଦ୍ଘାଟନ କରିବାକୁ ଥିବା ୭୫ଟି ଅମୃତ ଭାରତ ଷ୍ଟେସନ ମଧ୍ୟରେ ବରପାଲି ରେଳ ଷ୍ଟେସନ ଅନ୍ୟତମ। ଏହି ପ୍ରକଳ୍ପ ଭାରତୀୟ ରେଳବାଇର ବିଶ୍ୱସ୍ତରୀୟ, ସମାବେଶୀ ଓ ଭବିଷ୍ୟତମୁଖୀ ଭିତ୍ତିଭୂମି ନିର୍ମାଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି।
