ଭୁବନେଶ୍ୱର: ରାଜ୍ୟର ସମସ୍ତ ଜିଲ୍ଲାର ନବନିଯୁକ୍ତ ଶିଶୁ ମଙ୍ଗଳ ସମିତି (ଚାଇଲ୍ଡ ୱେଲଫେୟାର କମିଟି)ର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ପାଇଁ ୫ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ସୋମବାର ଶୁଭାରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶିଶୁମାନେ ଦେଶର ଅମୂଲ୍ୟ ସମ୍ପଦ ଏବଂ ସେମାନଙ୍କ ଅଧିକାରର ସୁରକ୍ଷା କେବଳ ସରକାରଙ୍କ ନୁହେଁ, ସମଗ୍ର ସମାଜର ସାମୂହିକ ଦାୟିତ୍ୱ। ଶିଶୁ କଲ୍ୟାଣ କ୍ଷେତ୍ରରେ ରାଜ୍ୟ ସରକାର ପ୍ରତିବଦ୍ଧ ରହିଥିବା ବେଳେ ପ୍ରତିଷ୍ଠାନଗତ ଦକ୍ଷତା ବୃଦ୍ଧି, ସେବା ବ୍ୟବସ୍ଥାର ଉନ୍ନତି, ନିରୀକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କ ନିୟମିତ ପ୍ରଶିକ୍ଷଣ ମାଧ୍ୟମରେ ରାଜ୍ୟର ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ କରାଯାଉଛି ବୋଲି ସେ କହିଥିଲେ।
ଏହି ୫ ଦିନିଆ ପ୍ରଶିକ୍ଷଣରେ କିଶୋର ନ୍ୟାୟ (ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା) ଅଧିନିୟମ-୨୦୧୫ ସମ୍ପର୍କରେ ସଦସ୍ୟମାନଙ୍କୁ ବିସ୍ତୃତ ପ୍ରଶିକ୍ଷଣ ଦିଆଯିବ। ଏହାସହ ଯତ୍ନ ଓ ସୁରକ୍ଷାର ଆବଶ୍ୟକତା ଥିବା ଶିଶୁମାନଙ୍କର ସୁରକ୍ଷା, ପୁନର୍ବାସ ଏବଂ ସମାଜର ମୂଳସ୍ରୋତରେ ପୁନଃସ୍ଥାପନ କ୍ଷେତ୍ରରେ ଶିଶୁ ମଙ୍ଗଳ ସମିତିର ଭୂମିକାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯିବ।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ଶାସନ ସଚିବ ଡ଼. ମୃଣାଳିନୀ ଦର୍ଶୱାଲ, ଆଇସିଡିଏସ୍ ଓ ସମାଜ କଲ୍ୟାଣ ନିର୍ଦ୍ଦେଶିକା ମୋନିଶା ବାନାର୍ଜୀ, ଅତିରିକ୍ତ ସଚିବ ସୁମିତ୍ରା ପଟ୍ଟନାୟକ ଏବଂ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
