ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ କାରବାରକୁ ନେଇ ଏକ ଭାଇରାଲ୍ ଅଡିଓ ରେକର୍ଡିଂ ଏବେ ଚର୍ଚ୍ଚାର କେନ୍ଦ୍ରରେ। ଅଡିଓରେ ଗଞ୍ଜେଇ କାରବାର, ଟଙ୍କା ନେଣଦେଣ ଏବଂ କିଛି ପୁଲିସ ଅଧିକାରୀଙ୍କ ନାମ ନେଇ କଥାବାର୍ତ୍ତା ହୋଇଥିବା ଦାବି କରାଯାଉଛି। ତେବେ ଅଡିଓଟିର ସତ୍ୟତା ଏବଂ ଏଥିରେ ଥିବା କଥୋପକଥନର ପ୍ରକୃତ ପରିପ୍ରେକ୍ଷିତ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।ସୂଚନା ଅନୁସାରେ, ହରଭଙ୍ଗା ବ୍ଲକ୍ର ହାଟଗାଁ ଛକ ନିକଟରେ ପୁଲିସ ଏକ ଗଞ୍ଜେଇ ବୋଝେଇ ଗାଡ଼ି ଜବତ କରିଥିଲା। ଏହି ଘଟଣାରେ ପ୍ରାୟ ୧ କ୍ୱିଣ୍ଟାଲ ୨୦ କିଲୋଗ୍ରାମ ଗଞ୍ଜେଇ ସହ ଦୁଇଜଣଙ୍କୁ ଧରାଯାଇଥିବା କୁହାଯାଇଛି। ପରେ ଏହି ମାମଲାକୁ ନେଇ ଏକ ଅଡିଓ ରେକର୍ଡିଂ ସାମ୍ନାକୁ ଆସିଛି।
ଭାଇରାଲ୍ ଅଡିଓରେ ଅନେକ ବ୍ୟକ୍ତିଙ୍କ ମଧ୍ୟରେ ଗଞ୍ଜେଇ ଯୋଗାଣ, ଟଙ୍କା କାରବାର ଓ ଜଣେ ‘ସାହେବ’ଙ୍କୁ ଦିଆଯିବାକୁ ଥିବା ଟଙ୍କା ସମ୍ପର୍କରେ କଥା ହେଉଥିବା ଦାବି ହୋଇଛି। ଏଥିରେ ପ୍ରାୟ ୪ ଲକ୍ଷ ଟଙ୍କାର ନେଣଦେଣ ସମ୍ପର୍କରେ ଆଲୋଚନା ଥିବା ମଧ୍ୟ କୁହାଯାଉଛି। ଏହି କଥୋପକଥନ ପୁଲିସ କର୍ମଚାରୀଙ୍କ ସହ ସମ୍ପର୍କିତ ବୋଲି କିଛି ମହଲରେ ଦାବି ହେଉଥିଲେ ମଧ୍ୟ ଏହାର ସ୍ୱାଧୀନ ଯାଞ୍ଚ ହୋଇନାହିଁ।ଘଟଣାଟି ସାମ୍ନାକୁ ଆସିବା ପରେ ବୌଦ୍ଧ ପୁଲିସ ପକ୍ଷରୁ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବା କଥା କୁହାଯାଇଛି। ଏହାସହ ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ମଧ୍ୟ ଘଟଣାକୁ ଗୁରୁତ୍ୱ ଦିଆଯାଇଛି। ପୁଲିସ ଡିଜି ବିନୟତୋଷ ମିଶ୍ରଙ୍କ ନିର୍ଦ୍ଦେଶରେ ଅଡିଓର ସତ୍ୟତା ଯାଞ୍ଚ କରିବାକୁ ତଦନ୍ତ ଆରମ୍ଭ ହେବ। ଅତିରିକ୍ତ ଏସ୍ପିଙ୍କ ଦ୍ୱାରା ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି।
ଡିଜିଙ୍କ କହିବା ଅନୁଯାୟୀ, ଭାଇରାଲ୍ ହୋଇଥିବା ଅଡିଓଟି ପ୍ରାୟ ୮ ମାସ ପୁରୁଣା ବୋଲି ପ୍ରାଥମିକ ଭାବେ ଜଣାପଡ଼ିଛି। ତେଣୁ ଅଡିଓରେ ଥିବା କଥୋପକଥନର ସତ୍ୟତା, ଏଥିରେ କିଏ ସାମିଲ ଏବଂ ପ୍ରକୃତ ଘଟଣା ସହ ଏହାର କୌଣସି ସମ୍ପର୍କ ଅଛି କି ନାହିଁ—ସବୁ ଦିଗରୁ ଯାଞ୍ଚ କରାଯିବ।ଏହି ଘଟଣା ପୂର୍ବରୁ ବୌଦ୍ଧରେ ଗଞ୍ଜେଇ ଚଢ଼ାଉ ସମୟରେ ପୁଲିସ ଉପରେ ଆକ୍ରମଣ ଓ ଗିରଫଦାରୀକୁ ନେଇ ମଧ୍ୟ ବିବାଦ ଦେଖାଦେଇଥିଲା। ତେଣୁ ଭାଇରାଲ୍ ଅଡିଓ ମାମଲାକୁ ନେଇ ମଧ୍ୟ ରାଜନୈତିକ ଓ ସାମାଜିକ ମହଲରେ ଚର୍ଚ୍ଚା ବଢ଼ିଛି।
ଏବେ ତଦନ୍ତ ରିପୋର୍ଟ ଉପରେ ସମସ୍ତଙ୍କ ନଜର। ଅଡିଓର ସତ୍ୟତା ଯାଞ୍ଚ ପରେ ଯଦି କୌଣସି ପୁଲିସ କର୍ମଚାରୀଙ୍କ ସମ୍ପୃକ୍ତି ପ୍ରମାଣିତ ହୁଏ, ତେବେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି।
