ହିମାଚଳ ପ୍ରଦେଶରେ ଲଗାତାର ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। କିନ୍ନୌର ଜିଲ୍ଲାର ପ୍ରବେଶ ପଥ ଚୌରା ନିକଟରେ ଜାତୀୟ ରାଜପଥ NH-୫ ଉପରେ ବିରାଟ ବଡ଼ ବଡ଼ ପଥର ଏବଂ ବୋଲ୍ଡର ଖସିପଡ଼ିଛି। ଏହାଫଳରେ କିନ୍ନୌରର ସଡ଼କ ସଂଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଥିବାବେଳେ ଯାତ୍ରୀମାନେ ରାସ୍ତା ଖୋଲିବାକୁ ଅପେକ୍ଷା କରିଛନ୍ତି।
ଲଗାତାର ବର୍ଷା ଯୋଗୁଁ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଘଟଣା ବଢ଼ିଚାଲିଛି। ଚୌରା ନିକଟରେ ହଠାତ୍ ପାହାଡ଼ରୁ ବଡ଼ ବଡ଼ ପଥର ଖସି ରାସ୍ତା ଉପରେ ପଡ଼ିବାରୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।
ଘଟଣାର ସୂଚନା ପାଇବା ପରେ ଜିଲ୍ଲା ପ୍ରଶାସନ, ପୋଲିସ ଏବଂ ଜାତୀୟ ରାଜପଥ ପ୍ରାଧିକରଣ (NHAI)ର ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଜେସିବି ଓ ଅନ୍ୟ ଭାରୀ ଯନ୍ତ୍ର ସାହାଯ୍ୟରେ ରାସ୍ତାରୁ ପଥର ଓ ମାଟି ହଟାଇବା କାମ ଆରମ୍ଭ ହୋଇଛି।
ତେବେ ଲଗାତାର ବର୍ଷା ଓ ମଝିରେ ମଝିରେ ପୁଣି ପଥର ଖସୁଥିବାରୁ ଉଦ୍ଧାର ଓ ରାସ୍ତା ସଫା କାମରେ ବାଧା ସୃଷ୍ଟି ହେଉଛି। ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ପରିସ୍ଥିତି ଉପରେ କଡ଼ା ନଜର ରଖିଛି।
ପ୍ରଶାସନ ପକ୍ଷରୁ ଲୋକଙ୍କୁ ଅନାବଶ୍ୟକ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଛି। ପାଣିପାଗ ଏବଂ ରାସ୍ତାର ସ୍ଥିତି ସମ୍ପର୍କରେ ସରକାରୀ ସୂଚନା ଜାଣିବା ପରେ ହିଁ ଯାତ୍ରା କରିବାକୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ବର୍ଷା ଋତୁରେ କିନ୍ନୌର ଜିଲ୍ଲାରେ ବାରମ୍ବାର ଭୂସ୍ଖଳନ ଓ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ। ପୂର୍ବରୁ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ NH-୫ ଅନେକ ଥର ବନ୍ଦ ହୋଇଥିଲା। ବର୍ତ୍ତମାନ ରାସ୍ତାକୁ ଯଥାଶୀଘ୍ର ସ୍ୱାଭାବିକ କରିବା ପାଇଁ ପ୍ରଶାସନ ପ୍ରୟାସ ଜାରି ରଖିଛି।
