Home Odishaସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

by Lokanath Panigrahi
0 comments

ଭୁବନେଶ୍ୱର, ୧୫ ଅଗଷ୍ଟ ୨୦୨୬:
୮୦ତମ ସ୍ୱାଧୀନତା ଦିବସ ଅବସରରେ ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରୁ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିବା ସହ ଓଡ଼ିଶାର ବିକାଶ ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ ଓ ଆଗାମୀ ଯୋଜନା ସମ୍ପର୍କରେ ସେ ଘୋଷଣା କରିଛନ୍ତି।

ଶିକ୍ଷା କ୍ଷେତ୍ରରେ ବଡ଼ ଘୋଷଣା

ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମଧ୍ୟ ମାଗଣା ପାଠ୍ୟପୁସ୍ତକ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୨,୨୦୦ଟି ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ହେବ। ଗତ ଦୁଇ ବର୍ଷରେ ୨୬ ହଜାର ଶିକ୍ଷକ-ଶିକ୍ଷୟତ୍ରୀ ନିଯୁକ୍ତ ହୋଇଥିବା ବେଳେ ଆଗାମୀ ଦିନରେ ଆଉ ୪୫ ହଜାର ଶିକ୍ଷକ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦିଆଯାଇଛି।

ଯୁବକଙ୍କ ପାଇଁ ରୋଜଗାର ଉପରେ ଫୋକସ୍

ଆଗାମୀ ଏକରୁ ଦୁଇ ବର୍ଷ ମଧ୍ୟରେ ଅତିକମରେ ୩ ଲକ୍ଷ ଏବଂ ପାଞ୍ଚ ବର୍ଷ ମଧ୍ୟରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟିର ଲକ୍ଷ୍ୟ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଯୁବପିଢ଼ିଙ୍କୁ ଶିଳ୍ପର ଆବଶ୍ୟକତା ଅନୁଯାୟୀ ଦକ୍ଷ କରିବା ପାଇଁ ସ୍କିଲ୍ ଟ୍ରେନିଂ ଉପରେ ଗୁରୁତ୍ୱ ଦିଆଯାଉଛି। ୱାର୍ଲ୍ଡ ସ୍କିଲ୍ ସେଣ୍ଟରର ଆଉ ୩ଟି ନୂଆ କେନ୍ଦ୍ର ଖୋଲାଯିବ ବୋଲି ମଧ୍ୟ କୁହାଯାଇଛି।

ଓଡ଼ିଶାର ସ୍କିଲ୍ ମଡେଲକୁ ଦେଶର ଶ୍ରେଷ୍ଠ ମଡେଲ ମଧ୍ୟରେ ସ୍ଥାନ ମିଳିଥିବା ବେଳେ ୨୫ଟି ITIରେ ସେଣ୍ଟର ଅଫ୍ ଏକ୍ସେଲେନ୍ସ ଓ ୧୩ଟି ITIରେ AI Lab ସ୍ଥାପନ କରାଯାଉଛି। India Skills 2025-26ରେ ଓଡ଼ିଶା ଜାତୀୟ ଦକ୍ଷତା ଚାମ୍ପିଅନ୍ ହୋଇଥିବା ଏବଂ ରାଜ୍ୟର ଯୁବକମାନେ ୫୭ଟି ପଦକ ହାସଲ କରିଥିବା ଅଭିଭାଷଣରେ କୁହାଯାଇଛି।

ଚାଷୀଙ୍କ ପାଇଁ ବଡ଼ ଆଶ୍ୱାସନ

ଚାଷୀଙ୍କ ଆୟ ବୃଦ୍ଧି ପାଇଁ ୩୧୦୦ ଟଙ୍କାରେ ଧାନ କିଣା, PM-KISAN ଓ CM-KISAN ଯୋଜନାରେ ବାର୍ଷିକ ୧୦ ହଜାର ଟଙ୍କା ସହାୟତା ସମେତ ବିଭିନ୍ନ ଯୋଜନା ଚାଲିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏଗ୍ରି-ଷ୍ଟାକ୍ ପଞ୍ଜୀକରଣକୁ ନେଇ ଚାଷୀଙ୍କୁ ଆଶ୍ୱାସନ ଦେଇ ସେ କହିଛନ୍ତି ଯେ, ଏହାର ଧାନ ବିକ୍ରି ପାଇଁ P-PAS ପଞ୍ଜୀକରଣ ସହ କୌଣସି ସମ୍ପର୍କ ନାହିଁ। ଚଳିତ ବନ୍ୟାରେ ପ୍ରଭାବିତ ଚାଷୀ ଓ ପୀଡ଼ିତଙ୍କୁ ୧୩୬ କୋଟି ଟଙ୍କାର ପ୍ରାରମ୍ଭିକ ସହାୟତା ଦିଆଯାଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି।

ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ

ସୁଭଦ୍ରା ଯୋଜନା ଓ ଲକ୍ଷପତି ଦିଦି କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାଙ୍କ ଆର୍ଥିକ ସଶକ୍ତିକରଣ ଉପରେ ସରକାର ଗୁରୁତ୍ୱ ଦେଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଏକ କୋଟିରୁ ଅଧିକ ସୁଭଦ୍ରା ହିତାଧିକାରୀ ଓ ୨୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ଥିବା ସେ ଦାବି କରିଛନ୍ତି।

ଶିଳ୍ପ ଓ ନିବେଶରେ ନୂଆ ଦିଗ

ଗତ ଦୁଇ ବର୍ଷରେ ଓଡ଼ିଶାକୁ ୨୧ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ୧୦ ଲକ୍ଷ କୋଟି ଟଙ୍କାର ୪୫୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିବା ବେଳେ ୧୫୨ଟି ପ୍ରକଳ୍ପର ଉଦ୍‌ଘାଟନ କିମ୍ବା ଶିଳାନ୍ୟାସ ହୋଇସାରିଛି। ଏହା ଦ୍ୱାରା ୨.୫ ଲକ୍ଷ ଯୁବକ-ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବା ସେ କହିଛନ୍ତି।

ଟେକ୍ସଟାଇଲ, ଫାର୍ମା, ଫୁଡ୍ ପ୍ରୋସେସିଂ, ସେମିକଣ୍ଡକ୍ଟର, AI, ପର୍ଯ୍ୟଟନ ଓ IT ଭଳି କ୍ଷେତ୍ରକୁ ଆଗକୁ ନେବା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି।

ଭିତ୍ତିଭୂମି ବିକାଶରେ ବଡ଼ ଯୋଜନା

ରେଳ ପ୍ରକଳ୍ପ, ରେଳ ଷ୍ଟେସନ ଆଧୁନିକୀକରଣ, ଜାତୀୟ ରାଜପଥ, ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ଓ BKPPER ଭଳି ବଡ଼ ପ୍ରକଳ୍ପ ଉପରେ କାମ ଚାଲିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହିତ ରାଜ୍ୟରେ ତିନିଟି ପ୍ରମୁଖ ଏକ୍ସପ୍ରେସୱେ ନିର୍ମାଣ ପାଇଁ ୩୧ ହଜାର କୋଟି ଟଙ୍କା ବିନିଯୋଗର ଯୋଜନା ଥିବା ଘୋଷଣା କରାଯାଇଛି।

ସୁଶାସନ ଓ ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ

ଅଭିଯୋଗ ଶୁଣାଣି ଓ ଦୁର୍ନୀତି ନିବାରଣକୁ ସୁଶାସନର ମୁଖ୍ୟ ଦିଗ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ୧୮ଟି ପାଳିରେ ୧୫ ହଜାର ଲୋକଙ୍କ ଅଭିଯୋଗ ଶୁଣାଣି କରାଯାଇ ୯୬ ପ୍ରତିଶତ ଅଭିଯୋଗର ସମାଧାନ ହୋଇଥିବା ସେ କହିଛନ୍ତି।

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଜାରି ରହିବ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି।

OPSC ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଘୋଷଣା

ସରକାରୀ ଚାକିରି ଆବେଦନକାରୀଙ୍କ ସର୍ବାଧିକ ବୟସ ସୀମା ୩୨ରୁ ୪୨ ବର୍ଷକୁ ବୃଦ୍ଧି କରାଯାଇଥିବା ବେଳେ OPSC ପରୀକ୍ଷାରେ ସର୍ବାଧିକ ୬ଟି ସୁଯୋଗର ସୀମା ହଟାଇବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଣିକି ସର୍ବୋଚ୍ଚ ବୟସସୀମା ପର୍ଯ୍ୟନ୍ତ ପରୀକ୍ଷା ଦେବାର ସୁଯୋଗ ମିଳିବ।

ଆଗାମୀ ଲକ୍ଷ୍ୟ—୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା

ଓଡ଼ିଆ ଅସ୍ମିତା, ଶ୍ରୀଜଗନ୍ନାଥ ସଂସ୍କୃତି ଓ ରାଜ୍ୟର ଐତିହ୍ୟର ସୁରକ୍ଷା ସହ ପୁରୀକୁ ବିଶ୍ୱସ୍ତରୀୟ ଆଧ୍ୟାତ୍ମିକ-ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଜୋର ଦେଇଛନ୍ତି।

ଶେଷରେ ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନର ଲକ୍ଷ୍ୟ ରଖି ସମସ୍ତ ଓଡ଼ିଆଙ୍କୁ ଏହି ଯାତ୍ରାରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି।

You may also like

Leave a Comment