ପୁରୀ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କେବଳ ଏକ ପର୍ବ ନୁହେଁ, ବରଂ ଏହା ଅନେକ ପାରମ୍ପରିକ ନୀତି ଓ ସେବାର ସମନ୍ୱୟ। ରଥ ନିର୍ମାଣର ଦାୟିତ୍ୱ ସପ୍ତ ରଥକାରଙ୍କ ଉପରେ ଥିଲେ ମଧ୍ୟ ଏହି ପବିତ୍ର କାର୍ଯ୍ୟର ଆରମ୍ଭ ଓ ଶେଷ ପର୍ଯ୍ୟାୟରେ ଦେଉଳ ପୁରୋହିତଙ୍କ ଭୂମିକା ସର୍ବାଧିକ ଗୁରୁତ୍ୱ ବହନ କରେ।
ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ ଆରମ୍ଭ ପୂର୍ବରୁ ରଥଖଳାରେ ବିଧିବଦ୍ଧ ହୋମଯଜ୍ଞ ଅନୁଷ୍ଠିତ ହୁଏ। ଦେଉଳ ପୁରୋହିତ ବେଦମନ୍ତ୍ର ଉଚ୍ଚାରଣ ସହ ପବିତ୍ର ଅଗ୍ନିହୋତ୍ର ସମ୍ପନ୍ନ କରି ରଥ ନିର୍ମାଣ ପାଇଁ ବ୍ୟବହୃତ କାଠକୁ ଅଭିମନ୍ତ୍ରିତ କରନ୍ତି। ଏହା ପରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୁଏ।
ଚନ୍ଦନଯାତ୍ରା ସମୟରେ ମହାପ୍ରଭୁଙ୍କ ଆଜ୍ଞାମାଳ ରଥଖଳାକୁ ଆଣି ପବିତ୍ର କାଠ ଉପରେ ଅର୍ପଣ କରାଯାଏ। ତିନି ରଥର ମୁଖ୍ୟ ମହାରଣାଙ୍କୁ ଫୁଲ ଓ ନଡ଼ିଆ ପ୍ରଦାନ କରି ଦେଉଳ ପୁରୋହିତ ରଥ ନିର୍ମାଣ ପାଇଁ ଔପଚାରିକ ଭାବେ ବରଣ କରନ୍ତି। ପରେ ମନ୍ତ୍ରପୂତ କୁରାଢ଼ି ଦ୍ୱାରା କାଠକୁ ପ୍ରଥମ ସ୍ପର୍ଶ କରାଯିବା ପରେ ମହାରଣାମାନେ ରଥ ନିର୍ମାଣର ମୂଳ କାମ ଆରମ୍ଭ କରନ୍ତି।
ରଥ ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ରଥ ପ୍ରତିଷ୍ଠା ନୀତି ସମ୍ପନ୍ନ ହୁଏ। ଚାହାଣି ମଣ୍ଡପରେ ପ୍ରଥମେ ଅଙ୍କୁରାରୋପଣ, ଅଧିବାସ ଓ ହୋମଯଜ୍ଞ କରାଯାଇଥାଏ। ଏହା ପରେ ଦେଉଳ ପୁରୋହିତମାନେ ବେଦମନ୍ତ୍ର, ଘଣ୍ଟ, କାହାଳୀ ଓ ଛତିର ମଙ୍ଗଳଧ୍ୱନି ମଧ୍ୟରେ ତିନୋଟି ରଥରେ ପ୍ରତିଷ୍ଠା ବିଧି ସମ୍ପନ୍ନ କରନ୍ତି।
ଏହି ପବିତ୍ର ପ୍ରକ୍ରିୟାରେ ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ହଳ ଓ ମୁଷଳ, ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ କପିଧ୍ୱଜ ସହ ଶଙ୍ଖ ଓ ଚକ୍ର, ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ପଦ୍ମ ପ୍ରତୀକ ସ୍ଥାପନ କରାଯାଏ। ଶେଷରେ ପବିତ୍ର ଜଳ ସିଞ୍ଚନ ଓ ବେଦମନ୍ତ୍ର ଉଚ୍ଚାରଣ ମାଧ୍ୟମରେ ରଥଗୁଡ଼ିକୁ ପ୍ରତିଷ୍ଠା କରାଯାଇଥାଏ।
ଏଭଳି ରଥ ଅନୁକୂଳରୁ ଆରମ୍ଭ କରି ରଥ ପ୍ରତିଷ୍ଠା ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟରେ ଦେଉଳ ପୁରୋହିତଙ୍କ ଧାର୍ମିକ ଆଚାର ଓ ବେଦିକ ବିଧିବିଧାନ ରଥଯାତ୍ରା ପରମ୍ପରାକୁ ଆଧ୍ୟାତ୍ମିକ ଗରିମା ପ୍ରଦାନ କରିଥାଏ।
