ନୂଆଦିଲ୍ଲୀ/ଭୁବନେଶ୍ୱର, ୩୧ ଜୁଲାଇ: ଓଡ଼ିଶାର ବିକାଶ, ଆଭ୍ୟନ୍ତରୀଣ ସୁରକ୍ଷା, ଶିଳ୍ପାୟନ, ସମବାୟ କ୍ଷେତ୍ର ଏବଂ କଲ୍ୟାଣମୂଳକ ଯୋଜନାର କାର୍ଯ୍ୟକାରିତାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରି ବିସ୍ତୃତ ଆଲୋଚନା କରିଛନ୍ତି।
ବୈଠକରେ ମୁଖ୍ୟମନ୍ତ୍ରୀ ରାଜ୍ୟର ସାମ୍ପ୍ରତିକ ବିକାଶମୂଳକ କାର୍ଯ୍ୟକ୍ରମ, ଆଇନଶୃଙ୍ଖଳାର ସ୍ଥିତି ଏବଂ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ରାଜ୍ୟର ସର୍ବାଙ୍ଗୀଣ ବିକାଶକୁ ଆହୁରି ଗତିଶୀଳ କରିବା ପାଇଁ କେନ୍ଦ୍ରର ସହଯୋଗ ଜାରି ରଖିବାକୁ ସେ ଅନୁରୋଧ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନକ୍ସଲ ସମସ୍ୟା ମୁକାବିଲାରେ ମିଳିଥିବା ସଫଳତା ଫଳରେ ରାଜ୍ୟର ଅନେକ ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ନକ୍ସଲ ପ୍ରଭାବିତ ଅଞ୍ଚଳରେ ସରକାରୀ ସେବା ଏବଂ ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ ଶେଷ ମାଇଲ୍ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ବିଶେଷ ପଦକ୍ଷେପ ଗ୍ରହଣ କରିଛନ୍ତି।
ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ବୃଦ୍ଧିକୁ ଉଲ୍ଲେଖ କରି ସେ କହିଥିଲେ ଯେ, ନୂତନ ପୁଞ୍ଜିନିବେଶ ଓ ଶିଳ୍ପ ପ୍ରକଳ୍ପଗୁଡ଼ିକର ସୁରକ୍ଷା ଏବଂ ସୁଗମ କାର୍ଯ୍ୟାନ୍ୱୟନ ପାଇଁ କେନ୍ଦ୍ରର ସହଯୋଗ ଗୁରୁତ୍ୱପୂର୍ଣ୍ଣ। ସମବାୟ କ୍ଷେତ୍ରର ବିକାଶ ସହ ରାଜ୍ୟର ଚିନି କଳଗୁଡ଼ିକର ପୁନରୁଦ୍ଧାରରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ସେ କୃତଜ୍ଞତା ଜଣାଇଥିଲେ।
ମୁଖ୍ୟମନ୍ତ୍ରୀ ବୈଠକରେ ରାଜ୍ୟ ସରକାରଙ୍କ ଜନମୁଖୀ ପ୍ରଶାସନ, ଅଭିଯୋଗର ତ୍ୱରିତ ସମାଧାନ ଏବଂ ବିଭିନ୍ନ କଲ୍ୟାଣମୂଳକ ଯୋଜନାର କାର୍ଯ୍ୟାନ୍ୱୟନ ବିଷୟରେ ମଧ୍ୟ ସୂଚନା ଦେଇଥିଲେ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶାର ବିକାଶମୂଳକ ପଦକ୍ଷେପ ଓ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିବା ବେଳେ, ରାଜ୍ୟର ବିକାଶ ଓ ଓଡ଼ିଶାବାସୀଙ୍କ ଆଶା-ଆକାଂକ୍ଷା ପୂରଣ ଦିଗରେ କେନ୍ଦ୍ର ସରକାର ପକ୍ଷରୁ ଆବଶ୍ୟକ ସହଯୋଗ ଜାରି ରହିବ ବୋଲି ଆଶ୍ୱାସନା ଦେଇଥିଲେ।
