Home » Blog » ଓଡ଼ିଶାରେ ବଢ଼ିପାରେ ୧୦ ଲୋକସଭା ଆସନ, ବିଧାନସଭା ଆସନ ସଂଖ୍ୟା ମଧ୍ୟ ବୃଦ୍ଧି ନେଇ ଜୋରଦାର ଚର୍ଚ୍ଚା

ଓଡ଼ିଶାରେ ବଢ଼ିପାରେ ୧୦ ଲୋକସଭା ଆସନ, ବିଧାନସଭା ଆସନ ସଂଖ୍ୟା ମଧ୍ୟ ବୃଦ୍ଧି ନେଇ ଜୋରଦାର ଚର୍ଚ୍ଚା

by Sunita Jena
0 comments

ଓଡ଼ିଶାର ରାଜନୈତିକ ଚିତ୍ରରେ ଆସିପାରେ ବଡ଼ ପରିବର୍ତ୍ତନ। ସୀମା ପୁନଃନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ବିଲ୍‌କୁ ନେଇ ରାଜ୍ୟରେ ରାଜନୈତିକ ଚର୍ଚ୍ଚା ଜୋର୍‌ ଧରିଛି। ପ୍ରସ୍ତାବିତ ବ୍ୟବସ୍ଥା ଅନୁସାରେ ଲୋକସଭା ଓ ବିଧାନସଭା ଆସନ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହା ଲାଗୁ ହେଲେ ଓଡ଼ିଶାରେ ବର୍ତ୍ତମାନ ଥିବା ୨୧ଟି ଲୋକସଭା ଆସନ ବଢ଼ି ୩୧ ହୋଇପାରେ। ସେହିପରି ୧୪୭ଟି ବିଧାନସଭା ଆସନ ମଧ୍ୟ ପ୍ରାୟ ୬୦ରୁ ୮୦ଟି ପର୍ଯ୍ୟନ୍ତ ବଢ଼ିବା ନେଇ ଆକଳନ କରାଯାଉଛି।

ଏହି ପରିବର୍ତ୍ତନ କେବଳ ଆସନ ସଂଖ୍ୟାରେ ସୀମିତ ରହିବ ନାହିଁ। ନିର୍ବାଚନମଣ୍ଡଳୀର ଭୌଗୋଳିକ ସୀମା, ଆସନର ସଂରକ୍ଷଣ ବ୍ୟବସ୍ଥା ଏବଂ ରାଜନୈତିକ ସମୀକରଣ ମଧ୍ୟ ବଦଳିପାରେ। ମହିଳାଙ୍କ ପାଇଁ ଲୋକସଭାରେ ପ୍ରାୟ ୧୦ଟି ଆସନ ଏବଂ ବିଧାନସଭାରେ ପ୍ରାୟ ୭୦ଟି ଆସନ ସଂରକ୍ଷିତ ରହିବା ନେଇ ଚର୍ଚ୍ଚା ହେଉଛି। ଏହା ସହିତ ଅନୁସୂଚିତ ଜାତି ଓ ଜନଜାତିଙ୍କ ଆସନ ସଂରକ୍ଷଣରେ ମଧ୍ୟ ପରିବର୍ତ୍ତନ ହୋଇପାରେ।

ତେବେ କେଉଁ ଅଞ୍ଚଳରୁ ନୂଆ ନିର୍ବାଚନମଣ୍ଡଳୀ ଗଠନ ହେବ ଏବଂ କେଉଁ ଆସନର ସୀମା ବଦଳିବ, ତାହା ଏବେ ସ୍ପଷ୍ଟ ହୋଇନାହିଁ। ସୀମା ପୁନଃନିର୍ଦ୍ଧାରଣ କମିସନଙ୍କ ନିଷ୍ପତ୍ତି ପରେ ଏହାର ପ୍ରକୃତ ରୂପରେଖ ସାମ୍ନାକୁ ଆସିବ। ଏପରି ସ୍ଥିତିରେ ରାଜ୍ୟର ବିଭିନ୍ନ ଦଳର ନେତାମାନଙ୍କ ମଧ୍ୟରେ ନିଜ ରାଜନୈତିକ ଭବିଷ୍ୟତକୁ ନେଇ ଚିନ୍ତା ବଢ଼ିଛି।

ଅନ୍ୟପଟେ ଏହି ବିଲ୍‌କୁ ନେଇ ବିଜେଡିର ଆଭିମୁଖ୍ୟ ଉପରେ ମଧ୍ୟ ନଜର ରହିଛି। ରାଜ୍ୟର ସ୍ୱାର୍ଥକୁ ପ୍ରାଥମିକତା ଦେଇ ଦଳ ନିଷ୍ପତ୍ତି ନେବ ବୋଲି ସାଂସଦ ମାନସ ମଙ୍ଗରାଜ କହିଛନ୍ତି। ଏବେ ସମସ୍ତଙ୍କ ଅପେକ୍ଷା ବିଲ୍‌ର ଚୂଡ଼ାନ୍ତ ରୂପରେଖକୁ। ଏହା ସ୍ପଷ୍ଟ ହେବା ପରେ ଓଡ଼ିଶାର ରାଜନୈତିକ ମାନଚିତ୍ରରେ କେତେ ବଡ଼ ପରିବର୍ତ୍ତନ ଆସିବ, ତାହା ଜଣାପଡ଼ିବ।

You may also like

Leave a Comment