ଭୁବନେଶ୍ୱର: ମହାନଦୀରେ ବନ୍ୟାଜଳ ବଢ଼ିବାରେ ଲାଗିଛି। ଏହାର ପ୍ରଭାବରେ ମୁଣ୍ଡୁଳିରେ ମଧ୍ୟ ଜଳ ପ୍ରବାହ ବୃଦ୍ଧି ପାଉଛି। ଆଜି ଦିନ ୧୨ଟା ସୁଦ୍ଧା ମୁଣ୍ଡୁଳିରେ ପ୍ରାୟ ୭ ଲକ୍ଷ ୮୩ ହଜାର କ୍ୟୁସେକ୍ ପାଣି ପ୍ରବାହିତ ହେଉଥିବା ବେଳେ ଏହା ବଢ଼ି ପ୍ରାୟ ୮ ଲକ୍ଷ କ୍ୟୁସେକ୍ରେ ପହଞ୍ଚିପାରେ। ଆଜି ସନ୍ଧ୍ୟା ସୁଦ୍ଧା ମୁଣ୍ଡୁଳିରେ ଜଳ ପ୍ରବାହ ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ଆଶଙ୍କା ରହିଛି।
ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତଙ୍କ ସୂଚନା ଅନୁସାରେ, ମୁଣ୍ଡୁଳିରେ ଜଳ ପ୍ରବାହ ଆହୁରି ବଢ଼ିପାରେ। ଏହାକୁ ନଜରରେ ରଖି ନଦୀ ଅବବାହିକାର ବିଭିନ୍ନ ଅଞ୍ଚଳ ଉପରେ ନଜର ରଖାଯାଉଛି।
ସେପଟେ ହୀରାକୁଦ ଜଳଭଣ୍ଡାରରୁ ମଧ୍ୟ ଅଧିକ ପାଣି ନିଷ୍କାସନ କରାଯାଉଛି। ଆଉ ଦୁଇଟି ଗେଟ୍ ଖୋଲାଯିବା ପରେ ବର୍ତ୍ତମାନ ମୋଟ ୩୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ହୀରାକୁଦରେ ଜଳସ୍ତର ପ୍ରାୟ ୬୨୯ ଫୁଟ୍ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ପ୍ରାୟ ୬ ଲକ୍ଷ ୩୬ ହଜାର କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ପ୍ରାୟ ୫ ଲକ୍ଷ କ୍ୟୁସେକ୍ ପାଣି ନିଷ୍କାସିତ ହେଉଛି।
ମୁଣ୍ଡୁଳିରେ ଜଳ ପ୍ରବାହ ବଢ଼ିଲେ ଏହାର ପ୍ରଭାବ ବିଭିନ୍ନ ଶାଖାନଦୀ ଉପରେ ପଡ଼ିପାରେ। ଲୁଣା, କରାଣ୍ଡିଆ, ରାଜୁଆ, ଦେବୀ, କନ୍ଦଳ, ଦୟା, ଭାର୍ଗବୀ, କୁଆଖାଇ ଓ କାଠଯୋଡ଼ି ନଦୀରେ ଜଳସ୍ତର ବଢ଼ିବାର ଆଶଙ୍କା ରହିଛି।
ଏହାର ପ୍ରଭାବରେ କଟକ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାର ତଳିଆ ଅଞ୍ଚଳ ପ୍ରଭାବିତ ହୋଇପାରେ। ପୁରୀ ଜିଲ୍ଲାର କଣାସ, ସତ୍ୟବାଦୀ, ନିମାପଡ଼ା ଓ ଗୋପ ଅଞ୍ଚଳରେ ମଧ୍ୟ ଜଳ ପ୍ରବାହ ବୃଦ୍ଧିର ଆଶଙ୍କା ରହିଛି। ଏପଟେ କଟକ ଜିଲ୍ଲାର ଆଠଗଡ଼ ଅଞ୍ଚଳର କେତେକ ସ୍ଥାନରେ ପାଣି ପଶିବା ଆରମ୍ଭ ହୋଇଥିବା ସୂଚନା ମିଳିଛି।
ଅନ୍ୟପଟେ ଉତ୍ତର ଓଡ଼ିଶାର କିଛି ନଦୀରେ ବନ୍ୟା ସ୍ଥିତିରେ ସୁଧାର ଆସିଛି। ସୁବର୍ଣ୍ଣରେଖାର ରାଜଘାଟରେ ଜଳସ୍ତର କମିଥିବା ବେଳେ ବୁଢ଼ାବଳଙ୍ଗ ଓ ମଥାନୀରେ ମଧ୍ୟ ପାଣି ହ୍ରାସ ପାଇଛି। ବୈତରଣୀ ନଦୀରେ ମଧ୍ୟ ଜଳସ୍ତର ହ୍ରାସ ପାଉଥିବା ସୂଚନା ମିଳିଛି।
ତେବେ ମହାନଦୀରେ ଜଳ ପ୍ରବାହ ବୃଦ୍ଧି ଯୋଗୁଁ ଉପକୂଳ ଓଡ଼ିଶାର ତଳିଆ ଅଞ୍ଚଳ ପ୍ରତି ବନ୍ୟା ଆଶଙ୍କା ରହିଛି। ପ୍ରଶାସନ ପକ୍ଷରୁ ସ୍ଥିତି ଉପରେ ନଜର ରଖାଯାଇଥିବା ବେଳେ ନଦୀକୂଳିଆ ଅଞ୍ଚଳରେ ସତର୍କତା ଅବଲମ୍ବନ ପାଇଁ କୁହାଯାଇଛି।
