Home Featuredହୀରାକୁଦରେ ବଢ଼ୁଛି ଜଳସ୍ତର; ଖୋଲିଲା ଆଉ ୪ ଗେଟ୍‌, ବର୍ତ୍ତମାନ ୧୬ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ହୀରାକୁଦରେ ବଢ଼ୁଛି ଜଳସ୍ତର; ଖୋଲିଲା ଆଉ ୪ ଗେଟ୍‌, ବର୍ତ୍ତମାନ ୧୬ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

by Lokanath Panigrahi
0 comments

ସମ୍ବଲପୁର: ଉପର ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବିପୁଳ ପରିମାଣର ଜଳ ପ୍ରବେଶ କରୁଛି। ଏହାଫଳରେ ଡ୍ୟାମର ଜଳସ୍ତର ଲଗାତାର ବୃଦ୍ଧି ପାଉଥିବାରୁ ଡ୍ୟାମ କର୍ତ୍ତୃପକ୍ଷ ଆଜି ଆଉ ୪ଟି ସ୍ଲୁଇସ୍ ଗେଟ୍‌ ଖୋଲିଛନ୍ତି। ଏହା ସହିତ ବର୍ତ୍ତମାନ ହୀରାକୁଦ ଡ୍ୟାମର ମୋଟ ୧୬ଟି ଗେଟ୍ ଦେଇ ବନ୍ୟାଜଳ ମହାନଦୀକୁ ଛଡ଼ାଯାଉଛି।

ପୂର୍ବରୁ ୧୦ଟି ଗେଟ୍‌ ଖୋଲା ରହିଥିବାବେଳେ ବୁଧବାର ଅପରାହ୍ନରେ ଆଉ ୨ଟି ଏବଂ ଗୁରୁବାର ସକାଳେ ଅତିରିକ୍ତ ୪ଟି ଗେଟ୍‌ ଖୋଲାଯାଇଛି। ଜଳଭଣ୍ଡାରର ଜଳସ୍ତରକୁ ନିର୍ଦ୍ଧାରିତ ସୀମାରେ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଡ୍ୟାମ ପ୍ରଶାସନ ସୂଚନା ଦେଇଛି।

ଆଜି ସକାଳ ୮ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୪.୨୩ ଫୁଟ୍ ରେ ପହଞ୍ଚିଛି। ଡ୍ୟାମର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ୍ ଥିବାବେଳେ, କର୍ଭ ରୁଲ୍‌ ଅନୁଯାୟୀ ଜୁଲାଇ ଶେଷ ସୁଦ୍ଧା ଜଳସ୍ତର ୬୦୫ରୁ ୬୦୭ ଫୁଟ୍ ମଧ୍ୟରେ ରହିବା ଆବଶ୍ୟକ। ସେଥିପାଇଁ ଅତିରିକ୍ତ ଜଳକୁ ପର୍ଯ୍ୟାୟକ୍ରମେ ନିଷ୍କାସନ କରାଯାଉଛି।

ଡ୍ୟାମର ଉପରମୁଣ୍ଡରୁ ବର୍ତ୍ତମାନ ସେକେଣ୍ଡ ପ୍ରତି ୩,୧୪,୨୩୮ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ, ୧୬ଟି ଗେଟ୍‌ ଦେଇ ୨,୭୯,୮୯୩ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି। ବର୍ତ୍ତମାନର ସ୍ଥିତିକୁ ନେଇ ତଳମୁଣ୍ଡରେ ବନ୍ୟାର କୌଣସି ତତ୍କାଳ ବିପଦ ନଥିବା ଡ୍ୟାମ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।

ଏହି ସମୟରେ ମହାନଦୀର ବିଭିନ୍ନ ସ୍ଥାନରେ ମଧ୍ୟ ଜଳପ୍ରବାହ ବଢ଼ିଛି। ଖଇରମାଳରେ ସେକେଣ୍ଡ ପ୍ରତି ୩,୮୫,୦୦୦ କ୍ୟୁସେକ୍, ବରମୂଳରେ ୨,୭୨,୫୦୦ କ୍ୟୁସେକ୍ ଏବଂ ମୁଣ୍ଡୁଳିରେ ୨,୭୪,୪୦୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି।

ଅନ୍ୟପଟେ, ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ଯେ ରାଜ୍ୟ ଉପରେ ଦୁଇଟି ଟ୍ରଫ୍‌ ଲାଇନ୍ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଗାମୀ ସାତ ଦିନ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିପାରେ। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ହୀରାକୁଦ ଡ୍ୟାମର ଜଳସ୍ତର ଉପରେ ନିରନ୍ତର ନଜର ରଖାଯାଉଛି ଏବଂ ଆବଶ୍ୟକତା ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଡ୍ୟାମ ପ୍ରଶାସନ ସୂଚନା ଦେଇଛି।

You may also like

Leave a Comment