Home Nationalଜାତୀୟ ମାନବାଧିକାର କମିସନରେ ତାମିଲନାଡୁରେ ୧୧ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ମାମଲା

ଜାତୀୟ ମାନବାଧିକାର କମିସନରେ ତାମିଲନାଡୁରେ ୧୧ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ମାମଲା

by Gulshan Pandey
0 comments

ତେଲକୋଇ: ତାମିଲନାଡୁର ଏକ ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡ଼ି) ପ୍ରକ୍ରିୟାକରଣ କାରଖାନାରେ ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ୧୧ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ମାମଲା ଜାତୀୟ ମାନବାଧିକାର କମିସନ (ଏନ୍‌ଏଚ୍‌ଆର୍‌ସି)ରେ ପହଞ୍ଚିଛି। କୋରାପୁଟ ଜିଲ୍ଲାର ବରିଷ୍ଠ ଆଇନଜୀବୀ ଅନୁପ କୁମାର ପାତ୍ରଙ୍କ ଅଭିଯୋଗ ଆଧାରରେ କମିସନ କେସ୍ ଡାଏରୀ ନମ୍ବର ୧୪୮୧୬/୨୦୨୬ରେ ମାମଲା ପଞ୍ଜିକୃତ କରିଛି।

ଅଭିଯୋଗରେ କେନ୍ଦୁଝର ଜିଲ୍ଲାର ତେଲକୋଇ ଅଞ୍ଚଳର ରୀତା ଜୁଆଙ୍ଗଙ୍କ ସମେତ ମୃତ ଶ୍ରମିକମାନଙ୍କ ପାଇଁ ନ୍ୟାୟ ଦାବି କରାଯାଇଛି। ସେହିପରି ତାମିଲନାଡୁର ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକଙ୍କୁ ଘଟଣାର ସବିଶେଷ ରିପୋର୍ଟ ଏବଂ ଯୁଗ୍ମ କମିଟିର ତଦନ୍ତ ରିପୋର୍ଟ କମିସନରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରାଯାଇଛି।

୨୫ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି

ଅଭିଯୋଗରେ କୁହାଯାଇଛି ଯେ, ତାମିଲନାଡୁର ତିରୁଭାଲ୍ଲୁର ଜିଲ୍ଲା ଅନ୍ତର୍ଗତ ପେରିୟାପାଲ୍ୟମରେ ଅବସ୍ଥିତ ମେସର୍ସ ସେଣ୍ଟ ପିଟର ଆଣ୍ଡ ସି ଫୁଡ୍ ଏକ୍ସପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ରେ ଶ୍ରମିକମାନଙ୍କୁ ଅସୁରକ୍ଷିତ ପରିବେଶରେ ବିପଦପୂର୍ଣ୍ଣ କାମରେ ନିୟୋଜିତ କରାଯାଉଥିଲା ଏବଂ ନାବାଳିକାଙ୍କୁ ମଧ୍ୟ କାର୍ଯ୍ୟରେ ଲଗାଯାଇଥିଲା। ଏହି ଘଟଣାକୁ ଗୁରୁତର ମାନବାଧିକାର ଉଲ୍ଲଂଘନ ଦର୍ଶାଇ କାରଖାନା ପରିଚାଳନା କମିଟି ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ କମିସନଙ୍କୁ ଅନୁରୋଧ କରାଯାଇଛି।

ଏଥିସହ ତାମିଲନାଡୁ ସରକାର ଓ କାରଖାନା କର୍ତ୍ତୃପକ୍ଷଙ୍କୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା କ୍ଷତିପୂରଣ, ଆହତ ଶ୍ରମିକମାନଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବା ଏବଂ କେନ୍ଦୁଝର ଜିଲ୍ଲାର କ୍ଷତିଗ୍ରସ୍ତ ପରିବାରମାନଙ୍କୁ ଉପଯୁକ୍ତ ଥଇଥାନ ଓ ପୁନର୍ବାସ ସୁବିଧା ଯୋଗାଇବାକୁ ନିର୍ଦ୍ଦେଶ ଦେବା ପାଇଁ ଆଇନଜୀବୀ ଅନୁପ କୁମାର ପାତ୍ର ନିବେଦନ କରିଛନ୍ତି।

ଏହାବ୍ୟତୀତ ତାମିଲନାଡୁରେ ଥିବା ୬,୬୬୯ଟି ବିପଦପୂର୍ଣ୍ଣ ଶିଳ୍ପ ପ୍ରତିଷ୍ଠାନରେ ସୁରକ୍ଷା ଅଡିଟ୍ କରିବା ପାଇଁ କମିସନ ଆବଶ୍ୟକ ନିର୍ଦ୍ଦେଶ ଜାରି କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

You may also like

Leave a Comment