Home Featuredଇଣ୍ଡିଆନ୍ ଆଇଡଲ୍ ସିଜନ୍ ୧୬ର ଗ୍ରାଣ୍ଡ ଫିନାଲେରେ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଇଣ୍ଡିଆନ୍ ଆଇଡଲ୍ ସିଜନ୍ ୧୬ର ଗ୍ରାଣ୍ଡ ଫିନାଲେରେ ଓଡ଼ିଆ ଝିଅ ଜ୍ୟୋତିର୍ମୟୀ ନାୟକ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

by Shubham Kumar
0 comments

ଓଡ଼ିଶା ପାଇଁ ଗର୍ବର ଖବର। ଭୁବନେଶ୍ୱରର ଯୁବ ଗାୟିକା ଜ୍ୟୋତିର୍ମୟୀ ନାୟକ ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ ଇଣ୍ଡିଆନ୍ ଆଇଡଲ୍ ସିଜନ୍ ୧୬ର ଗ୍ରାଣ୍ଡ ଫିନାଲେରେ ପହଞ୍ଚିଛନ୍ତି। ନିଜର ସୁମଧୁର କଣ୍ଠ ଓ ଲଗାତାର ଭଲ ପ୍ରଦର୍ଶନ ଯୋଗୁଁ ସେ ଦେଶବ୍ୟାପୀ ପ୍ରଶଂସା ସାଉଁଟିଛନ୍ତି।

ଜ୍ୟୋତିର୍ମୟୀଙ୍କ ଏହି ସଫଳତା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଜାତୀୟ ସ୍ତରର ସଙ୍ଗୀତ ମଞ୍ଚ ଇଣ୍ଡିଆନ୍ ଆଇଡଲ୍ର ଗ୍ରାଣ୍ଡ ଫିନାଲେରେ ପହଞ୍ଚି ଓଡ଼ିଶାର ଯୋଗ୍ୟ ଝିଅ ଜ୍ୟୋତିର୍ମୟୀ ନାୟକ ସମଗ୍ର ରାଜ୍ୟକୁ ଗର୍ବିତ କରିଛନ୍ତି। ନିଜର ମଧୁର କଣ୍ଠରେ ସେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସେ ଶୁଭେଚ୍ଛା ଓ ଆଶୀର୍ବାଦ ଜଣାଇଛନ୍ତି।

ଇଣ୍ଡିଆନ୍ ଆଇଡଲ୍ ସିଜନ୍ ୧୬ର ଗ୍ରାଣ୍ଡ ଫିନାଲେରେ ଜ୍ୟୋତିର୍ମୟୀଙ୍କ ସହ ତନିଷ୍କ ଶୁକ୍ଲା, ଅଂଶିକା ଚୋନକର, ସୁହେଲ ଓ ମନରାଜ ବୀର ସିଂହ ଟ୍ରଫି ପାଇଁ ପ୍ରତିଯୋଗିତା କରିବେ।

ଏହି ସିଜନ୍‌ରେ ବିଶାଳ ଦଦଲାନୀ, ଶ୍ରେୟା ଘୋଷାଲ ଓ ବାଦଶାହ ବିଚାରକ ଭାବେ ରହିଛନ୍ତି। ତିନିଜଣ ବିଚାରକ ଜ୍ୟୋତିର୍ମୟୀଙ୍କ ଗାୟନକୁ ଅନେକ ଥର ପ୍ରଶଂସା କରିଛନ୍ତି।

ଶୋ’ର ଗ୍ରାଣ୍ଡ ଫିନାଲେ ଏପର୍ଯ୍ୟନ୍ତ ପ୍ରସାରଣ ହୋଇନଥିବା ବେଳେ ଓଡ଼ିଶାବାସୀଙ୍କ ମଧ୍ୟରେ ଜ୍ୟୋତିର୍ମୟୀଙ୍କ ବିଜୟକୁ ନେଇ ଉତ୍ସାହ ବଢ଼ିଛି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିଛି।

ନିକଟରେ ଶୋ’ର ଡାଇମଣ୍ଡ ଜୁବିଲି ସ୍ପେଶାଲ୍ ଏପିସୋଡ୍‌ରେ ପ୍ରଥମ ସିଜନ୍‌ର ବିଜେତା ଅଭିଜିତ ସାୱନ୍ତ ଏବଂ ରନର୍ସଅପ୍ ଅମିତ ସାନା ପୁଣିଥରେ ମଞ୍ଚରେ ଏକାଠି ନଜର ଆସିଥିଲେ। ସେମାନଙ୍କ ଉପସ୍ଥିତି ଦର୍ଶକଙ୍କ ପାଇଁ ପୁରୁଣା ସ୍ମୃତିକୁ ଫେରାଇ ଆଣିଥିଲା।

You may also like

Leave a Comment