ରାଜ୍ୟରେ ରାଜସ୍ୱ ବିଭାଗ ସମ୍ବନ୍ଧୀୟ ଅଭିଯୋଗ ଜଣାଇବା ପ୍ରକ୍ରିୟାକୁ ଆହୁରି ସହଜ କରାଯାଇଛି। ସ୍ମାର୍ଟଫୋନ୍ ବ୍ୟବହାର ବଢ଼ୁଥିବାକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗ ‘ଆମ ସାଥୀ ହ୍ୱାଟ୍ସଆପ୍ ଚାଟ୍ବଟ୍’ ମାଧ୍ୟମରେ ନୂଆ ଅଭିଯୋଗ ସମାଧାନ ବ୍ୟବସ୍ଥା ଆରମ୍ଭ କରିଛି।ଏଣିକି ରାଜସ୍ୱ ବିଭାଗର ବିଭିନ୍ନ ସେବା ନେଇ ଅଭିଯୋଗ ଥିଲେ ଲୋକମାନେ ୯୪୩୭୨୯୨୦୦୦ ନମ୍ବରରେ ହ୍ୱାଟ୍ସଆପ୍ ମେସେଜ୍ ମାଧ୍ୟମରେ ନିଜ ସମସ୍ୟା ଜଣାଇପାରିବେ। ଅଭିଯୋଗ ଦାଖଲ ହେବା ପରେ ତାହାର ଗ୍ରହଣ, ଯାଞ୍ଚ, ପଦକ୍ଷେପ ଓ ନିଷ୍ପତ୍ତି ସମ୍ପର୍କିତ ଅଗ୍ରଗତି ମଧ୍ୟ ଅଭିଯୋଗକାରୀଙ୍କୁ ଜଣାଇ ଦିଆଯିବ।
ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ନୂଆ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ବିଭାଗୀୟ ମନ୍ତ୍ରୀ, ସଚିବ ଓ ବରିଷ୍ଠ ଅଧିକାରୀଙ୍କ ତଦାରଖରେ ଅଭିଯୋଗଗୁଡ଼ିକର ସମାଧାନ କରାଯିବାର ବ୍ୟବସ୍ଥା ରହିଛି।ହ୍ୱାଟ୍ସଆପ୍ ଚାଟ୍ବଟ୍ରେ ପୂର୍ବରୁ ମ୍ୟୁଟେସନ୍, ଜମିର କିସମ ପରିବର୍ତ୍ତନ, ବିବାହ ଓ ସୋସାଇଟି ପଞ୍ଜୀକରଣ, ବିଭିନ୍ନ ପ୍ରମାଣପତ୍ର ଏବଂ ପଞ୍ଜୀକରଣ ସମ୍ବନ୍ଧୀୟ ସେବା ମିଳୁଥିଲା। ଏବେ ଏହାର ପରିସରକୁ ଆହୁରି ବଢ଼ାଯାଇଛି।
ଜମିଜମା ବିବାଦ, ରେକର୍ଡ ଅଫ୍ ରାଇଟ୍ସ, ମ୍ୟୁଟେସନ୍, ଜମିର କିସମ ପରିବର୍ତ୍ତନ, ଜମି ବିଭାଜନ, ଜବରଦଖଲ, ଡିମାର୍କେସନ୍, ଜମି ଖଜଣା, ପଞ୍ଜୀକରଣ, ଷ୍ଟାମ୍ପ ଡ୍ୟୁଟି, ବିପର୍ଯ୍ୟୟ ଓ ରିଲିଫ୍ ସମେତ ବିଭିନ୍ନ ରାଜସ୍ୱ ସେବା ନେଇ ଅଭିଯୋଗ କରିହେବ।ଅଭିଯୋଗ ମିଳିବା ପରେ ତାହାର ପ୍ରକୃତି ଅନୁସାରେ ସମ୍ପୃକ୍ତ ଅଧିକାରୀଙ୍କ ନିକଟକୁ ପଠାଯିବ। ସାଧାରଣ ରାଜସ୍ୱ ଅଭିଯୋଗକୁ ପ୍ରଥମେ ତହସିଲଦାର ଯାଞ୍ଚ କରିବେ। ଆବଶ୍ୟକ ହେଲେ କ୍ଷେତ୍ରସ୍ତରୀୟ ତଦନ୍ତ ପାଇଁ ରାଜସ୍ୱ ନିରୀକ୍ଷକଙ୍କୁ ଦାୟିତ୍ୱ ଦିଆଯାଇପାରିବ। ଅଧିକ ପ୍ରଶାସନିକ ହସ୍ତକ୍ଷେପ ଆବଶ୍ୟକ ହେଲେ ଅଭିଯୋଗ ଉପଜିଲ୍ଲାପାଳ, ଏଡିଏମ୍ କିମ୍ବା ଜିଲ୍ଲାପାଳଙ୍କ ସ୍ତରକୁ ଯାଇପାରିବ।
ଏହି ଡିଜିଟାଲ୍ ବ୍ୟବସ୍ଥା ଦ୍ୱାରା ଲୋକଙ୍କୁ ଅଭିଯୋଗ ନେଇ ବାରମ୍ବାର ସରକାରୀ କାର୍ଯ୍ୟାଳୟ ଯିବାର ଆବଶ୍ୟକତା କମିବା ସହ ଅଭିଯୋଗର ସ୍ଥିତି ଜାଣିବା ମଧ୍ୟ ସହଜ ହେବ। ରାଜସ୍ୱ ସେବାକୁ ଅଧିକ ସ୍ୱଚ୍ଛ, ଦାୟିତ୍ୱସମ୍ପନ୍ନ ଓ ଜନମୁଖୀ କରିବାରେ ଏହି ପଦକ୍ଷେପ ସହାୟକ ହେବ ବୋଲି ଆଶା କରାଯାଉଛି।
