ଶୀତରେ ଥରୁଛି ଉତ୍ତର ଭାରତ। ପାହାଡ଼ିଆ ଅଞ୍ଚଳରେ ତୁଷାରପାତ ଏବଂ ଉତ୍ତର ଦିଗରୁ ବହୁଥିବା ଥଣ୍ଡା ପବନ ଯୋଗୁଁ ମୈଦାନୀ ଅଞ୍ଚଳରେ ଶୀତର ପ୍ରଭାବ ବଢ଼ିବାରେ ଲାଗିଛି। ଉତ୍ତରପ୍ରଦେଶ, ବିହାର ଓ ରାଜସ୍ଥାନରେ ତାପମାତ୍ରା ହ୍ରାସ ସହ ଘନ କୁହୁଡ଼ି ଲୋକଙ୍କ ସମସ୍ୟା ବଢ଼ାଇଛି।
ଉତ୍ତରପ୍ରଦେଶର ବିଭିନ୍ନ ସହରରେ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା ଯଥେଷ୍ଟ କମିଯାଇଛି। ରାଜ୍ୟର ୧୫ଟି ସହରରେ ଦୃଶ୍ୟମାନ ଦୂରତା ମାତ୍ର ୧୦ ମିଟର ରେକର୍ଡ ହୋଇଛି। ୧୧.୧ ଡିଗ୍ରି ସେଲସିୟସ ତାପମାତ୍ରା ସହ ବରେଲୀ ସବୁଠାରୁ ଥଣ୍ଡା ସହର ପାଲଟିଛି।
ସେହିପରି ବିହାରରେ ମଧ୍ୟ ଶୀତ ସାଙ୍ଗକୁ କୁହୁଡ଼ିର ପ୍ରଭାବ ଜାରି ରହିଛି। ସମସ୍ତିପୁର, ବେଗୁସରାୟ, ବଗହା ଓ ସୁପୌଲ ଭଳି ଅଞ୍ଚଳରେ ସକାଳୁ ଘନ କୁହୁଡ଼ି ଦେଖାଦେଇଛି। ଏହାର ପ୍ରଭାବରେ ଦୃଶ୍ୟମାନ ଦୂରତା ୧୦୦ ମିଟରକୁ ହ୍ରାସ ପାଇଛି। ୧୩.୪ ଡିଗ୍ରି ସେଲସିୟସ ସହ ଅରୱଲ ବିହାରର ସବୁଠାରୁ ଥଣ୍ଡା ଜିଲ୍ଲା ରହିଛି।
ଅନ୍ୟପଟେ ରାଜସ୍ଥାନରେ ମଧ୍ୟ ଶୀତର ପ୍ରଭାବ ଅଧିକ ଅନୁଭୂତ ହେଉଛି। ହିମାଳୟ ଅଞ୍ଚଳରୁ ଆସୁଥିବା ଥଣ୍ଡା ପବନ ଯୋଗୁଁ ରାଜ୍ୟରେ ଚଳିତ ଋତୁରେ ପ୍ରଥମ ଥର ପାଇଁ ପାରଦ ୭ ଡିଗ୍ରି ପାଖାପାଖି ପହଞ୍ଚିଛି। ସିକର ନିକଟସ୍ଥ ଫତେପୁରରେ ସର୍ବନିମ୍ନ ତାପମାତ୍ରା ୭.୪ ଡିଗ୍ରି ସେଲସିୟସ ରେକର୍ଡ ହୋଇଛି। ଲଗାତାର ଦ୍ୱିତୀୟ ଦିନରେ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ପ୍ରାୟ ୫ ଡିଗ୍ରି ପର୍ଯ୍ୟନ୍ତ ଖସିଛି।
ଏଭଳି ପାଣିପାଗ ସ୍ଥିତି ଯୋଗୁଁ ଉତ୍ତର ଭାରତରେ ଶୀତର ପ୍ରକୋପ ଆଗକୁ ଆହୁରି ବଢ଼ିବା ନେଇ ଆଶଙ୍କା ରହିଛି। କୁହୁଡ଼ି କାରଣରୁ ଯାତାୟାତ ଉପରେ ମଧ୍ୟ ପ୍ରଭାବ ପଡ଼ୁଥିବାରୁ ଗାଡ଼ିଚାଳକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ।
