ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରକୋପ ବଢ଼ିଛି। ଏହାର ପ୍ରଭାବରେ ଗଜପତି, ନବରଙ୍ଗପୁର ସମେତ ୫ଟି ଜିଲ୍ଲାରେ ଆଜି ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଛି। ଅନ୍ୟପଟେ, ପ୍ରବଳ ବର୍ଷା ଯୋଗୁଁ ବଂଶଧାରା ନଦୀର ଜଳସ୍ତର ଦ୍ରୁତଗତିରେ ବଢ଼ିଛି। କାଶୀନଗର ନିକଟରେ ନଦୀର ଜଳସ୍ତର ୫୪.୭୦ ମିଟରରେ ପହଞ୍ଚିଥିବା ବେଳେ ବିପଦ ସଙ୍କେତ ୫୪.୬୦ ମିଟର ରହିଛି। ଅର୍ଥାତ୍ ଏଠାରେ ବଂଶଧାରା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।
ପାଣିପାଗ ବିଭାଗର ସୂଚନା ଅନୁସାରେ ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଥିଲା। ଏହା ପଶ୍ଚିମ ଦିଗକୁ ଗତି କରି ଆଜି ସକାଳ ୮ଟା ୩୦ ସୁଦ୍ଧା ୧୭.୯ ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ ୮୬.୦ ଡିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ କେନ୍ଦ୍ରୀଭୂତ ହୋଇଥିଲା। ଏହି ପାଣିପାଗ ପ୍ରଣାଳୀ ଗୋପାଳପୁରର ଦକ୍ଷିଣ-ପୂର୍ବରେ ପ୍ରାୟ ୨୦୦ କିଲୋମିଟର, କଳିଙ୍ଗପଟ୍ଟନମ୍ର ପୂର୍ବ-ଦକ୍ଷିଣପୂର୍ବରେ ୨୦୦ କିଲୋମିଟର, ପୁରୀର ଦକ୍ଷିଣରେ ପ୍ରାୟ ୨୧୦ କିଲୋମିଟର ଏବଂ ବିଶାଖାପାଟଣାର ପୂର୍ବରେ ପ୍ରାୟ ୨୯୦ କିଲୋମିଟର ଦୂରରେ ରହିଥିଲା।
ପରବର୍ତ୍ତୀ ସମୟରେ ଅବପାତଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଅଗ୍ରସର ହୋଇ ଗଭୀର ଅବପାତରେ ପରିଣତ ହୋଇଥିଲା। ସେପ୍ଟେମ୍ବର ୨୩ ରାତିରୁ ୨୪ ତାରିଖ ପ୍ରାକ୍ ପ୍ରତ୍ୟୁଷ ମଧ୍ୟରେ ଏହା ବିଶାଖାପାଟଣା ଓ ଗୋପାଳପୁର ମଧ୍ୟବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିଥିବା ସୂଚନା ମିଳିଛି। ଏହାର ପ୍ରଭାବରେ ଉପକୂଳ ଓଡ଼ିଶା ସହ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବାର ପୂର୍ବାନୁମାନ ରହିଛି। ଫଳରେ ନଦୀନାଳର ଜଳସ୍ତର ବଢ଼ିବା ସହ ତଳିଆ ଅଞ୍ଚଳରେ ଜଳବନ୍ଦୀ ଆଶଙ୍କା ଦେଖାଦେଇଛି।
