Home Featuredଭୁବନେଶ୍ୱରରେ ନାଳ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ,2 ଗିରଫ

ଭୁବନେଶ୍ୱରରେ ନାଳ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ,2 ଗିରଫ

by Gulshan Pandey
0 comments

ଭୁବନେଶ୍ୱରର ନଖରା-ସୁନ୍ଦରପୁର ମୁଖ୍ୟ ରାସ୍ତା ପାଖରେ ଥିବା ଏକ ନାଳ ନିକଟରୁ ବୁଧବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତ ଯୁବକ ଜଣଙ୍କ ହେଲେ ପାହାଳ ଥାନା ଅନ୍ତର୍ଗତ ଅନନ୍ତପୁର ଗାଁର ପ୍ରଭାତ ବେହେରା ।

ଘଟଣାସ୍ଥଳରେ ପାହାଳ ପୋଲିସ ଏବଂ ଫରେନସିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହ ନିକଟରୁ ଏକ ସ୍କୁଟର, ପ୍ଲାଷ୍ଟିକ ପାଇପ, ଦଉଡ଼ି ଏବଂ କିଛି ବିୟର ବୋତଲ ଜବତ କରାଯାଇଛି। ପ୍ରଭାତଙ୍କ ମୁଣ୍ଡ ଓ ମୁହଁରେ ଆଘାତ ଚିହ୍ନ ଥିବାରୁ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ିଛି।

ପରିବାର ଲୋକଙ୍କ କହିବା ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ସ୍ଥାନୀୟ ବାଲି ବ୍ୟବସାୟୀ ଟେନିସ ପାତ୍ର ପ୍ରଭାତଙ୍କୁ ଫୋନ୍ କରି ଘରୁ ଡାକିଥିଲେ। ପ୍ରଥମେ ପ୍ରଭାତଙ୍କ ମା’ ତାଙ୍କୁ ରାତିରେ ବାହାରକୁ ଯିବାକୁ ମନା କରିଥିଲେ। ସେ ଟେନିସ ପାତ୍ରଙ୍କ ସହ ମଧ୍ୟ କଥା ହୋଇଥିଲେ। ତେବେ ପରେ ପ୍ରଭାତ ଘରୁ ବାହାରି ଯାଇଥିଲେ ଏବଂ ଆଉ ଘରକୁ ଫେରି ନଥିଲେ।

ପ୍ରଭାତଙ୍କ ମା’ ଅଭିଯୋଗ କରିଛନ୍ତି ଯେ ରାତିରେ ସେ ପ୍ରଭାତ ଏବଂ ଟେନିସ ପାତ୍ରଙ୍କୁ ଅନେକ ଥର ଫୋନ୍ କରିଥିଲେ, କିନ୍ତୁ କାହା ସହ ଯୋଗାଯୋଗ ହୋଇପାରି ନଥିଲା। ଏହି ଘଟଣା ଏକ ଯୋଜନାବଦ୍ଧ ହତ୍ୟା ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ହତ୍ୟାରେ ଏକାଧିକ ବ୍ୟକ୍ତି ସାମିଲ ଥିବା ସେମାନେ ସନ୍ଦେହ କରୁଛନ୍ତି।

ମୃତଦେହ ମିଳିବା ପରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକ ଏବଂ ପରିବାର ସଦସ୍ୟ ନଖରା-ନିଆଳି ରାସ୍ତା ଅବରୋଧ କରିଥିଲେ। ହତ୍ୟାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି କରିବା ସହ ସେମାନେ ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ଛାଡ଼ିବେ ନାହିଁ ବୋଲି ଚେତାବନୀ ଦେଇଥିଲେ। ଫଳରେ ଏହି ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଥିଲା।

ପୋଲିସ ପକ୍ଷରୁ ଜାରି ସୂଚନା ଅନୁସାରେ, ପାହାଳ ଥାନାରେ ଏହି ଘଟଣାରେ ଏଫଆଇଆର ରୁଜୁ କରାଯାଇଛି। ପ୍ରଭାତ ବେହେରା ଏକ ହାଇୱା ମ୍ୟାନେଜର ଭାବେ କାମ କରୁଥିଲେ। ଏଫଆଇଆରରେ ଜଣେ ହାଇୱା ମାଲିକ ଏବଂ ତାଙ୍କ ଭାଇଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣାଯାଇଛି।

ପୋଲିସ ଉଭୟଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହା ସହ ଘଟଣାରେ ଅନ୍ୟ କେହି ସାମିଲ ଅଛନ୍ତି କି ନାହିଁ, ସେ ନେଇ ମଧ୍ୟ ଖୋଳତାଡ଼ ଚାଲିଛି। ତେବେ ହତ୍ୟା ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ପୋଲିସ ଏବଂ ଫରେନସିକ ଟିମ୍ ତଦନ୍ତ ଜାରି ରଖିଥିବା ବେଳେ, ପଚରାଉଚରା ଏବଂ ଫରେନସିକ ରିପୋର୍ଟ ଆସିବା ପରେ ଘଟଣାର ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

You may also like

Leave a Comment