Home Featuredଦଶହରା ପୂର୍ବରୁ ଚକାଚକ୍ ହେବ ଦ୍ୱୈତନଗରୀର ରାସ୍ତା: ବଳକା ମରାମତି ପାଇଁ ୪୮ ଘଣ୍ଟାର ଡେଡ୍‌ଲାଇନ୍

ଦଶହରା ପୂର୍ବରୁ ଚକାଚକ୍ ହେବ ଦ୍ୱୈତନଗରୀର ରାସ୍ତା: ବଳକା ମରାମତି ପାଇଁ ୪୮ ଘଣ୍ଟାର ଡେଡ୍‌ଲାଇନ୍

by Akshay Maharana
0 comments

କଟକ-ଭୁବନେଶ୍ୱରର ରାସ୍ତା ମରାମତି ସମୀକ୍ଷା କଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ; ବିନା ଅନୁମତିରେ ରାସ୍ତା ଖୋଳିଲେ କଡ଼ା କାର୍ଯ୍ୟାନୁଷ୍ଠାନ, ଦଶହରା ପୂର୍ବରୁ କଟକ ଓ ଭୁବନେଶ୍ୱରର ରାସ୍ତାଘାଟକୁ ଉନ୍ନତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମରାମତି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ଦ୍ୱୈତନଗରୀ ସମେତ ଆଖପାଖ ଅଞ୍ଚଳରେ ଚାଲିଥିବା ରାସ୍ତା ମରାମତିର ଅଗ୍ରଗତି ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ଅଧିକାଂଶ ରାସ୍ତାର ମରାମତି ଶେଷ ହୋଇଥିବା ବେଳେ ଅବଶିଷ୍ଟ କାମକୁ ଆସନ୍ତା ଦୁଇ ଦିନ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଦଶହରାକୁ ଦୃଷ୍ଟିରେ ରଖି ରାସ୍ତା ମରାମତି ପାଇଁ ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶର କେତେଦୂର ଅନୁପାଳନ ହୋଇଛି, ସେ ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।

ପୂର୍ତ୍ତ ବିଭାଗ ପକ୍ଷରୁ କଟକ, ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଖରାପ ଅବସ୍ଥାରେ ଥିବା ଅଧିକାଂଶ ରାସ୍ତାର ମରାମତି ଶେଷ ହୋଇଥିବା ସୂଚନା ଦିଆଯାଇଥିଲା।

ତେବେ ଯେଉଁ କେତେକ ରାସ୍ତାର ମରାମତି କାମ ବଳକା ରହିଛି, ସେଗୁଡ଼ିକୁ ଆସନ୍ତା ଦୁଇ ଦିନ ମଧ୍ୟରେ ଶେଷ କରିବା ପାଇଁ ମନ୍ତ୍ରୀ ମୁଖ୍ୟଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଉପସ୍ଥିତ ବିଧାୟକମାନେ ନିଜ ଅଞ୍ଚଳରେ ଦ୍ରୁତଗତିରେ ରାସ୍ତା ମରାମତି ହୋଇଥିବାରୁ ରାଜ୍ୟ ସରକାର ଓ ପୂର୍ତ୍ତ ବିଭାଗକୁ ଧନ୍ୟବାଦ ଜଣାଇଥିଲେ।

ବୈଠକରେ ରାସ୍ତା ଖୋଳାଯିବା ସମସ୍ୟାକୁ ନେଇ ମଧ୍ୟ ଉଦ୍‌ବେଗ ପ୍ରକାଶ ପାଇଥିଲା। ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ କହିଥିଲେ ଯେ, କେତେକ ସଂସ୍ଥା ବିଭାଗର ଅନୁମତି ନନେଇ ଭଲ ଅବସ୍ଥାରେ ଥିବା ରାସ୍ତାକୁ ଖୋଳି ଦେଉଛନ୍ତି। ଫଳରେ ରାସ୍ତାର ଅବସ୍ଥା ଖରାପ ହେବା ସହ ମରାମତି କାର୍ଯ୍ୟର ଉଦ୍ଦେଶ୍ୟ ବାଧାପ୍ରାପ୍ତ ହେଉଛି।

ଏଭଳି ଘଟଣା ଉପରେ କଡ଼ା ନଜର ରଖିବାକୁ ସେ ଅଧୀକ୍ଷଣ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ବିନା ଅନୁମତିରେ ରାସ୍ତା ଖୋଳୁଥିବା ସଂସ୍ଥାଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ କୁହାଯାଇଛି।

ଜାତୀୟ ରାଜପଥ ତଳେ ଥିବା ସମସ୍ତ ଭେଇକିଲ୍ ଅଣ୍ଡରପାସ୍ (VUP)ର ସ୍ଥିତି ସମୀକ୍ଷା କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ଅଣ୍ଡରପାସ୍‌ଗୁଡ଼ିକର ବର୍ତ୍ତମାନ ସ୍ଥିତି ଯାଞ୍ଚ କରି ପୂର୍ତ୍ତ ବିଭାଗକୁ ରିପୋର୍ଟ ପ୍ରଦାନ କରିବା ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ କୁହାଯାଇଛି।

କେବଳ ରାସ୍ତା ମରାମତି ନୁହେଁ, ଆଗାମୀ ଦିନରେ ନିର୍ମାଣ ହେବାକୁ ଥିବା ରାସ୍ତାଗୁଡ଼ିକ ଯେପରି ଅଧିକ ଦୀର୍ଘସ୍ଥାୟୀ ହୋଇପାରିବ, ସେଥିପାଇଁ ଆଧୁନିକ ନିର୍ମାଣ ପଦ୍ଧତି ଓ ନୂତନ ଜ୍ଞାନକୌଶଳ ଆପଣାଇବାକୁ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।

ରାସ୍ତାର ଗୁଣବତ୍ତା ଓ ସ୍ଥାୟିତ୍ୱ ବୃଦ୍ଧି କରିବା ଦିଗରେ ବିଭାଗୀୟ ଅଧିକାରୀମାନେ ଧ୍ୟାନ ଦେବାକୁ ବୈଠକରେ ପରାମର୍ଶ ଦିଆଯାଇଛି।

ଚଳିତ ବର୍ଷ ଦୁର୍ଗାପୂଜା ପୂର୍ବରୁ ଅଧିକାଂଶ ରାସ୍ତାର ମରାମତି ଶେଷ କରାଯାଇଥିବା ବେଳେ ଆଗାମୀ ବର୍ଷଗୁଡ଼ିକରେ ଏହି କାର୍ଯ୍ୟ ଆହୁରି ଶୀଘ୍ର ଶେଷ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

ବିଶେଷକରି ଗଣେଶ ପୂଜା ସୁଦ୍ଧା ସମସ୍ତ ଆବଶ୍ୟକ ରାସ୍ତା ମରାମତି କାର୍ଯ୍ୟ ଶେଷ କରିବା ପାଇଁ ଯୋଜନାବଦ୍ଧ ଭାବେ ପଦକ୍ଷେପ ନେବାକୁ ବୈଠକରେ ଆଲୋଚନା ହୋଇଥିଲା।

ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ବିଧାୟକ ବାବୁ ସିଂ, ନବ କିଶୋର ମଲ୍ଲିକ, ସୌଭିକ ବିଶ୍ୱାଳ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, କଟକ ମେୟର ସୁବାସ ଚନ୍ଦ୍ର ସିଂ, କଟକ ମହାନଗର ନିଗମ କମିଶନର କିରଣଦୀପ କୌର ସାହୋତା, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ବରିଷ୍ଠ ରାଜନେତା ଜଗନ୍ନାଥ ପ୍ରଧାନ ଉପସ୍ଥିତ ଥିଲେ।

ଏହାସହ ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ସମୀର ହୋତା, ସର୍ବୋଚ୍ଚ ଯନ୍ତ୍ରୀ (ସିଭିଲ୍) ସତ୍ୟବ୍ରତ ବେହେରାଙ୍କ ସମେତ ବିଭାଗର ମୁଖ୍ୟଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀମାନେ ଯୋଗଦେଇଥିଲେ।

ଦ୍ୱୈତନଗରୀର ରାସ୍ତା ମରାମତିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବା, ବିନା ଅନୁମତିରେ ରାସ୍ତା ଖୋଳା ଉପରେ ଅଙ୍କୁଶ ଲଗାଇବା ଏବଂ ଆଧୁନିକ ପ୍ରଯୁକ୍ତି ମାଧ୍ୟମରେ ଦୀର୍ଘସ୍ଥାୟୀ ରାସ୍ତା ନିର୍ମାଣ କରିବା ଉପରେ ପୂର୍ତ୍ତ ବିଭାଗ ଗୁରୁତ୍ୱ ଦେଇଛି।

You may also like

Leave a Comment