Home Featuredକାଳବୈଶାଖୀ ନେଲା ଦୁଇ ଯାଆଙ୍କ ଜୀବନ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ

କାଳବୈଶାଖୀ ନେଲା ଦୁଇ ଯାଆଙ୍କ ଜୀବନ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ

by Gulshan Pandey
0 comments

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅନ୍ତର୍ଗତ ରଞ୍ଜାଗୋଳ ଗାଁରେ ଘଟିଛି ଏକ ହୃଦୟବିଦାରକ ଘଟଣା। ବିଦ୍ୟୁତ ଆଘାତରେ ଦୁଇ ଯାଆଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକମାନେ ହେଲେ ମନୀଷା ଦେହୁରୀ ଓ ରଞ୍ଜୁ ଦେହୁରୀ।

ସୂଚନା ଅନୁସାରେ, ଗତ ରାତିରେ ହୋଇଥିବା କାଳବୈଶାଖୀ ଝଡ଼ ଯୋଗୁଁ ଗାଁରେ ଏକ ବିଦ୍ୟୁତ ତାର ଛିଣ୍ଡି ପଡ଼ିଥିଲା। ତେବେ ତାରଟି ଭୂମିରେ ପଡ଼ି ରହିଥିବା ସମ୍ପର୍କରେ ପରିବାର ଲୋକ କିମ୍ବା ସ୍ଥାନୀୟ ଲୋକେ ଜାଣିପାରିନଥିଲେ।

ବୁଧବାର ଭୋର ସମୟରେ ଦୁଇ ଯାଆ ଘର ବାଡ଼ି ପଟକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା। ପ୍ରଥମେ ବଡ଼ ଯାଆ ରଞ୍ଜୁ ଦେହୁରୀ ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ବିଦ୍ୟୁତ ଆଘାତ ପାଇ ସେ ଗୁରୁତର ହୋଇପଡ଼ିଥିଲେ।

ତାଙ୍କୁ ବଞ୍ଚାଇବା ପାଇଁ ସାନ ଯାଆ ମନୀଷା ଦେହୁରୀ ଦୌଡ଼ି ଆସିଥିଲେ। କିନ୍ତୁ ସେ ମଧ୍ୟ ଅଜାଣତରେ ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବିଦ୍ୟୁତ ଆଘାତ ପାଇଥିଲେ। ଫଳରେ ଉଭୟ ଗୁରୁତର ଆହତ ହୋଇପଡ଼ିଥିଲେ।

ପରିବାର ଲୋକେ ତୁରନ୍ତ ଦୁଇ ଜଣଙ୍କୁ ଉଦ୍ଧାର କରି ହିନ୍ଦୋଳ ହସ୍ପିଟାଲକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି। ଗୋଟିଏ ପରିବାରର ଦୁଇ ଜଣ ବୋହୂଙ୍କର ଏଭଳି ଅକାଳ ମୃତ୍ୟୁ ପରିବାର ଲୋକଙ୍କୁ ଭାଙ୍ଗି ଦେଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କାଳବୈଶାଖୀ ପରେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାରର ଯାଞ୍ଚ ଓ ମରାମତି ଠିକ୍ ସମୟରେ ହୋଇଥିଲେ ହୁଏତ ଏହି ଦୁର୍ଘଟଣାକୁ ଏଡ଼ାଯାଇପାରିଥାନ୍ତା।

You may also like

Leave a Comment