କୋର୍ଟ ନିର୍ଦ୍ଦେଶ ସତ୍ତ୍ୱେ ପତ୍ନୀ ଓ ସନ୍ତାନଙ୍କୁ ଭରଣପୋଷଣ ଦେଉନଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ରାଜ୍ୟ ସରକାର କଠୋର ପଦକ୍ଷେପ ନେଇଛନ୍ତି। ଏଣିକି ଅଦାଲତ ନିର୍ଦ୍ଦେଶ ଦେଇଥିବା ଭରଣପୋଷଣ କିମ୍ବା ଆଲିମୋନି ରାଶି ସମ୍ପୃକ୍ତ କର୍ମଚାରୀଙ୍କ ମାସିକ ଦରମାରୁ କାଟି ପତ୍ନୀ କିମ୍ବା ସନ୍ତାନଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଯିବ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏନେଇ ନୂଆ ବ୍ୟବସ୍ଥା କରାଯାଇଛି। ଅଭିଯୋଗ ଅନୁସାରେ, କିଛି ସରକାରୀ କର୍ମଚାରୀ କୋର୍ଟଙ୍କ ଆଦେଶ ଥିବା ସତ୍ତ୍ୱେ ପତ୍ନୀ କିମ୍ବା ପିଲାଙ୍କୁ ନିର୍ଦ୍ଧାରିତ ଭରଣପୋଷଣ ରାଶି ପ୍ରଦାନ କରୁନଥିଲେ। ଏଭଳି ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ସମୟରେ ମଧ୍ୟ ନିୟମିତ ଭାବେ ଆସୁଥିବା କୁହାଯାଇଛି।
ସରକାରଙ୍କ ନୂଆ ନିର୍ଦ୍ଦେଶନାମା ଅନୁଯାୟୀ, ଅଦାଲତଙ୍କ ଭରଣପୋଷଣ ନିର୍ଦ୍ଦେଶ ପାଇବା ପରେ ସମ୍ପୃକ୍ତ ବିଭାଗର DDO ଦରମା ବିଲ୍ ପ୍ରସ୍ତୁତ ସମୟରେ ନିର୍ଦ୍ଧାରିତ ରାଶି କାଟିବେ। ପରେ ସେହି ଟଙ୍କା ପତ୍ନୀ କିମ୍ବା ସନ୍ତାନଙ୍କ ବ୍ୟାଙ୍କ ଖାତାକୁ ଇଲେକ୍ଟ୍ରୋନିକ୍ ମାଧ୍ୟମରେ ସିଧାସଳଖ ଜମା କରାଯିବ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାରୀ କର୍ମଚାରୀ ହୋଇ କୋର୍ଟଙ୍କ ଆଦେଶକୁ ଅଣଦେଖା କରିବା ଗ୍ରହଣୀୟ ନୁହେଁ। ଏହା ସହିତ ପତ୍ନୀ ଓ ପିଲାମାନଙ୍କ ପ୍ରତି ଅନ୍ୟାୟ ହେବାକୁ ମଧ୍ୟ ସରକାର ବରଦାସ୍ତ କରିବେ ନାହିଁ।
ଆଗାମୀ ଦିନରେ ଏଭଳି ମାମଲାକୁ ସରକାରୀ HRMS ବ୍ୟବସ୍ଥା ସହ ଯୋଡ଼ାଯିବ। ଏହା ଦ୍ୱାରା ଅଦାଲତଙ୍କ ନିର୍ଦ୍ଦେଶର ଠିକ୍ ଭାବେ ପାଳନ ସହ ଭରଣପୋଷଣ ପାଇବାକୁ ଥିବା ମହିଳା ଓ ସନ୍ତାନଙ୍କୁ ସମୟରେ ଆର୍ଥିକ ସହାୟତା ମିଳିପାରିବ।
