Home Nationalକଟକ-ଭୁବନେଶ୍ୱରରେ ଚିହ୍ନଟ ହେଲେ ୬ ବାଂଲାଦେଶୀ ନାଗରିକ; ଖୁବଶୀଘ୍ର ହେବେ ବିଦା

କଟକ-ଭୁବନେଶ୍ୱରରେ ଚିହ୍ନଟ ହେଲେ ୬ ବାଂଲାଦେଶୀ ନାଗରିକ; ଖୁବଶୀଘ୍ର ହେବେ ବିଦା

by Shubham Kumar
0 comments

ଓଡ଼ିଶାରେ ଅବୈଧ ଭାବେ ବସବାସ କରୁଥିବା ବାଂଲାଦେଶୀ ନାଗରିକଙ୍କ ବିରୋଧରେ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି। କଟକ ଓ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ୬ ଜଣ ବାଂଲାଦେଶୀ ନାଗରିକଙ୍କୁ ବର୍ତ୍ତମାନ କଟକ ଜିଲ୍ଲାର ଆଠଗଡ଼ ହୋଲ୍ଡିଂ ସେଣ୍ଟରରେ ରଖାଯାଇଛି। ଆବଶ୍ୟକ ଆଇନଗତ ଓ ପ୍ରଶାସନିକ ପ୍ରକ୍ରିୟା ଶେଷ ହେବା ପରେ ସେମାନଙ୍କୁ ବାଂଲାଦେଶକୁ ପଠାଇବା ପାଇଁ ପଦକ୍ଷେପ ନିଆଯାଉଛି।

ପୁଲିସ ସୂଚନା ଅନୁଯାୟୀ, ଏହି ୬ ଜଣଙ୍କୁ ଦେଶଛଡ଼ା କରିବା ପାଇଁ ସୀମା ସୁରକ୍ଷା ବଳ (BSF) ସହ ଯୋଗାଯୋଗ କରାଯାଇଛି। ଦସ୍ତାବିଜ ଯାଞ୍ଚ ଓ ଅନ୍ୟାନ୍ୟ ଆଇନଗତ ଔପଚାରିକତା ସମ୍ପୂର୍ଣ୍ଣ ହେବା ପରେ ସେମାନଙ୍କୁ କୋଲକାତା ରୁଟ୍‌ ଦେଇ ବାଂଲାଦେଶ ସୀମାରେ ହସ୍ତାନ୍ତର କରାଯିବ।

ଭୁବନେଶ୍ୱର-କଟକ ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂହ କହିଛନ୍ତି ଯେ, ନିକଟରେ ଏକ ମାମଲାରେ ଏହି ୬ ଜଣଙ୍କ ନାମ ସାମ୍ନାକୁ ଆସିଥିଲା। ଏହାପରେ ସେମାନଙ୍କୁ ଚିହ୍ନଟ କରାଯାଇ ଆଠଗଡ଼ ହୋଲ୍ଡିଂ ସେଣ୍ଟରରେ ରଖାଯାଇଛି। BSF ଓ ଅନ୍ୟ ସମ୍ପୃକ୍ତ ସଂସ୍ଥା ସହ ସମନ୍ୱୟ ରଖି ସେମାନଙ୍କୁ ଯଥାଶୀଘ୍ର ବାଂଲାଦେଶ ପଠାଇବା ପାଇଁ ପ୍ରକ୍ରିୟା ଚାଲିଥିବା ସେ କହିଛନ୍ତି।

କମିଶନର କହିଛନ୍ତି, କମିଶନରେଟ୍ ପୁଲିସ ଗତବର୍ଷଠାରୁ ଅବୈଧ ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ କରିବା ପାଇଁ ବ୍ୟାପକ ତଲାସି ଅଭିଯାନ ଚଳାଇଆସୁଛି। ଏହି ସମୟରେ ଅନେକ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଇଥିଲା ଏବଂ ପରିଚୟ ସ୍ପଷ୍ଟ ହେବା ପରେ ପର୍ଯ୍ୟାୟକ୍ରମେ ସେମାନଙ୍କୁ ଦେଶଛଡ଼ା କରାଯାଇଛି। ବର୍ତ୍ତମାନ ସୁଦ୍ଧା ୪୮ ଜଣ ଅବୈଧ ବାଂଲାଦେଶୀଙ୍କୁ ଡିପୋର୍ଟ କରାଯାଇଛି, ଏବଂ ଏବେ ଏହି ୬ ଜଣଙ୍କ ଡିପୋର୍ଟେସନ୍ ପ୍ରକ୍ରିୟା ଚାଲିଛି।

ସେ ଆହୁରି କହିଛନ୍ତି ଯେ, ପୂର୍ବରୁ ଏକ ସ୍ୱତନ୍ତ୍ର ବିମାନ ମାଧ୍ୟମରେ ଭୁବନେଶ୍ୱର ଓ କଟକରେ ଚିହ୍ନଟ ହୋଇଥିବା ଅବୈଧ ବାଂଲାଦେଶୀଙ୍କୁ ଦେଶଛଡ଼ା କରାଯାଇଥିଲା। ଏହାଛଡ଼ା କେତେକଙ୍କୁ ସଡ଼କ ପଥରେ BSF ସହଯୋଗରେ ସୀମାକୁ ପଠାଯାଇଛି। କଟକ ଅର୍ବନ ପୁଲିସ ଜିଲ୍ଲାରୁ ୧୬ ଜଣ ଏବଂ ଭୁବନେଶ୍ୱର ଅର୍ବନ ପୁଲିସ ଜିଲ୍ଲାରୁ ୩୨ ଜଣଙ୍କୁ ଡିପୋର୍ଟ କରାଯାଇଥିବା ସେ ସୂଚନା ଦେଇଛନ୍ତି।

ପୁଲିସର କହିବା ଅନୁଯାୟୀ, ଏହି ଅଭିଯାନ କେବଳ ଭୁବନେଶ୍ୱର ଓ କଟକରେ ସୀମିତ ନୁହେଁ। ରାଜ୍ୟର ବିଭିନ୍ନ ସ୍ଥାନରେ ଲୁଚି ରହିଥିବା ସନ୍ଦିଗ୍ଧ ବିଦେଶୀ ନାଗରିକଙ୍କୁ ଖୋଜି ବାହାର କରାଯାଉଛି। ଅବୈଧ ଭାବେ ବସବାସ କରୁଥିବା କୌଣସି ବିଦେଶୀ ନାଗରିକ ସମ୍ପର୍କରେ ସୂଚନା ମିଳିଲେ ତୁରନ୍ତ ତଦନ୍ତ କରାଯିବ ଏବଂ ଆଇନ ଅନୁଯାୟୀ ହିରାସତକୁ ନେଇ ଦେଶଛଡ଼ା କରାଯିବ। ଅବୈଧ ଅନୁପ୍ରବେଶକାରୀଙ୍କ ବିରୋଧରେ ଏହି ସ୍ୱତନ୍ତ୍ର ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି କମିଶନରେଟ୍ ପୁଲିସ ସ୍ପଷ୍ଟ କରିଛି।

You may also like

Leave a Comment