ସୋସିଆଲ ମିଡିଆ ପରେ ଏବେ AI ଚାଟବଟ୍ ଉପରେ ମଧ୍ୟ କଟକଣା ଆରମ୍ଭ ହୋଇଛି। ନରୱେ ସରକାର ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ପିଲାମାନଙ୍କ ପାଇଁ ସ୍କୁଲରେ ଜେନେରେଟିଭ AI ଟୁଲ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଛନ୍ତି। ସାଧାରଣତଃ ଏହି ଶ୍ରେଣୀର ପିଲାମାନଙ୍କ ବୟସ ୧୩ ବର୍ଷରୁ କମ୍ ହୋଇଥାଏ।
ସରକାରଙ୍କ ସୂଚନା ଅନୁସାରେ, ଆସନ୍ତା ସେପ୍ଟେମ୍ବର ମାସରୁ ଏହି ନିୟମ ଲାଗୁ ହେବ। ଏହା ପରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ କୌଣସି ଛାତ୍ରଛାତ୍ରୀଙ୍କୁ ଜେନେରେଟିଭ AI ଟୁଲ୍ ବ୍ୟବହାର କରିବାକୁ ଅନୁମତି ମିଳିବ ନାହିଁ।
ନରୱେ ସରକାର କହିଛନ୍ତି ଯେ, ପିଲାମାନଙ୍କର ମୌଳିକ ଶିକ୍ଷାଦାନ କ୍ଷମତାକୁ ସୁରକ୍ଷିତ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ସରକାରଙ୍କ ମତରେ AI କିଛି କ୍ଷେତ୍ରରେ ପଢ଼ାଶୁଣାରେ ସାହାଯ୍ୟ କରିପାରେ, କିନ୍ତୁ ଛୋଟ ପିଲାମାନେ ପ୍ରଥମେ ନିଜେ ପଢ଼ିବା, ଲେଖିବା ଓ ଗଣିତ ଶିଖିବା ଉଚିତ।
ଗବେଷଣାରୁ ଜଣାପଡ଼ିଛି ଯେ, ସ୍କୁଲରେ AIର ଅତ୍ୟଧିକ ବ୍ୟବହାର କଲେ ପିଲାମାନଙ୍କ ଶିକ୍ଷାର କିଛି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ପ୍ରଭାବିତ ହୋଇପାରେ। ଏହାସହ ଛୋଟ ପିଲାମାନଙ୍କ ପାଖରେ AIକୁ ସଠିକ୍ ଓ ଦାୟିତ୍ୱବୋଧ ସହ ବ୍ୟବହାର କରିବା ପାଇଁ ଆବଶ୍ୟକ ବିଚାରଶକ୍ତି ମଧ୍ୟ ନଥାଏ।
ତେବେ ଏହି କଟକଣା କେବଳ ୧୩ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ଲାଗୁ ହେବ। ଏହାଠାରୁ ଅଧିକ ବୟସର ଛାତ୍ରଛାତ୍ରୀ AI ଟୁଲ୍ ବ୍ୟବହାର କରିପାରିବେ, କିନ୍ତୁ ସେମାନଙ୍କ ବ୍ୟବହାର ଉପରେ ସ୍କୁଲ କର୍ତ୍ତୃପକ୍ଷ ନଜର ରଖିବେ।
ଏହା ସହିତ ଶିକ୍ଷକମାନଙ୍କୁ ମଧ୍ୟ AI ବିଷୟରେ ତାଲିମ ଦିଆଯିବ। ଉଲ୍ଲେଖଯୋଗ୍ୟ ଯେ, ନରୱେର ଅନେକ ସ୍କୁଲରେ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ ପୂର୍ବରୁ କଟକଣା ରହିଛି।
AI ପରେ ଏବେ ୧୬ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ ମଧ୍ୟ କଡ଼ା ନିୟମ ଆଣିବାକୁ ନରୱେ ସରକାର ଚିନ୍ତା କରୁଛନ୍ତି।
ଅନ୍ୟପଟେ କାନାଡା ମଧ୍ୟ ନରୱେ ଭଳି ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ଏବଂ AI ଚାଟବଟ୍ ଉପରେ କଟକଣା ଲଗାଇବାକୁ ପ୍ରସ୍ତୁତି ଚଳାଇଛି। ଏଥିପାଇଁ ନୂଆ ଆଇନ ଆଣିବା ନେଇ ଚର୍ଚ୍ଚା ହେଉଛି।
ସରକାରଙ୍କ ମତରେ, ସୋସିଆଲ ମିଡିଆ ଓ AI ଚାଟବଟ୍ଗୁଡ଼ିକ ବ୍ୟବହାରକାରୀଙ୍କୁ ଦୀର୍ଘ ସମୟ ଧରି ଜଡ଼ି ରଖିବା ପାଇଁ ଡିଜାଇନ୍ କରାଯାଇଥାଏ। ଏହାର ପ୍ରଭାବ ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପଡ଼ିପାରେ ବୋଲି ସରକାର ଚିନ୍ତା ପ୍ରକାଶ କରିଛନ୍ତି।
AI ଏବଂ ସୋସିଆଲ ମିଡିଆର ବଢ଼ୁଥିବା ପ୍ରଭାବ ମଧ୍ୟରେ ପିଲାମାନଙ୍କ ସୁରକ୍ଷା ଓ ଶିକ୍ଷାକୁ ପ୍ରାଥମିକତା ଦେଇ ଏଭଳି ପଦକ୍ଷେପ ନିଆଯାଉଥିବା ଚର୍ଚ୍ଚା ହେଉଛି।
