ସ୍ୱାଧୀନ ଅଡିଟର୍ଙ୍କ ଦ୍ୱାରା AI ସିଷ୍ଟମ୍ ଯାଞ୍ଚ ଉପରେ ସହମତି; ଡାଟା ସେଣ୍ଟର ବିସ୍ତାରକୁ ମଧ୍ୟ ଆମେରିକୀୟ ରାଷ୍ଟ୍ରପତିଙ୍କ ସମର୍ଥନ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AIର ସୁରକ୍ଷିତ ବିକାଶ ଓ ବ୍ୟବହାରକୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ ଆମେରିକାରେ ଏକ ନୂଆ ସ୍ୱଇଚ୍ଛିକ ସୁରକ୍ଷା ଢାଞ୍ଚା ଉପରେ ସହମତି ହୋଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ହ୍ୱାଇଟ୍ ହାଉସରେ ପ୍ରମୁଖ ପ୍ରଯୁକ୍ତି କମ୍ପାନୀର କର୍ତ୍ତାମାନଙ୍କ ସହ ବୈଠକ ପରେ କହିଛନ୍ତି ଯେ, କମ୍ପାନୀଗୁଡ଼ିକ AI ପାଇଁ ସ୍ୱଇଚ୍ଛିକ ମାନଦଣ୍ଡ ଓ ନିୟନ୍ତ୍ରଣ ବ୍ୟବସ୍ଥା ଗଢ଼ିବାକୁ ସହମତ ହୋଇଛନ୍ତି। ଏହି ବୁଝାମଣାକୁ ଟ୍ରମ୍ପ “morally binding” ବୋଲି ବର୍ଣ୍ଣନା କରିଛନ୍ତି।
ଚୁକ୍ତି ଅନୁଯାୟୀ, AI ସିଷ୍ଟମ୍ଗୁଡ଼ିକ ନିର୍ମାତାମାନଙ୍କ ଉଦ୍ଦେଶ୍ୟ ଅନୁସାରେ କାମ କରୁଛି କି ନାହିଁ, ତାହା ସ୍ୱାଧୀନ ଅଡିଟର୍ଙ୍କ ମାଧ୍ୟମରେ ଯାଞ୍ଚ କରିବାକୁ କମ୍ପାନୀମାନେ କାମ କରିବେ। AI ଉପକରଣ ଅନିଚ୍ଛାକୃତ ଭାବେ କୌଣସି ପ୍ରଯୁକ୍ତି ବ୍ୟବସ୍ଥାକୁ ହ୍ୟାକ୍ କିମ୍ବା ଅନଧିକୃତ ଭାବେ ପ୍ରବେଶ ନକରିବା ପାଇଁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଉପରେ ସହମତି ହୋଇଛି। Metaର ମାର୍କ ଜୁକରବର୍ଗ କମ୍ପାନୀଗୁଡ଼ିକ ନିଜ AI ବ୍ୟବସ୍ଥା ପାଇଁ ଅଧିକ ମଜବୁତ ଆଭ୍ୟନ୍ତରୀଣ ନିୟନ୍ତ୍ରଣ ବିକାଶ କରିବେ ବୋଲି କହିଥିଲେ।
ହ୍ୱାଇଟ୍ ହାଉସ ବୈଠକରେ OpenAIର ଗ୍ରେଗ୍ ବ୍ରକମ୍ୟାନ୍, Anthropicର ଡାରିଓ ଆମୋଡେଇ, Metaର ମାର୍କ ଜୁକରବର୍ଗ, Googleର ସୁନ୍ଦର ପିଚାଇ ଏବଂ Nvidiaର ଜେନସେନ୍ ହୁଆଙ୍ଗଙ୍କ ସମେତ ପ୍ରମୁଖ ଟେକ୍ କର୍ତ୍ତାମାନେ ଯୋଗ ଦେଇଥିଲେ। ଟ୍ରମ୍ପ AI ଟୁଲ୍ର ସୁରକ୍ଷା ତଦାରଖ ପାଇଁ ଏକ ୧୦ ସଦସ୍ୟ ବିଶିଷ୍ଟ ବୋର୍ଡ ଗଠନ ବିଷୟରେ ବିଚାର କରୁଥିବା କହିଥିଲେ; ତେବେ ଏହାର ସଦସ୍ୟ କିଏ ହେବେ, ସେନେଇ ସେ ବିସ୍ତୃତ ସୂଚନା ଦେଇନଥିଲେ।
ସମ୍ପ୍ରତି AI ଏଜେଣ୍ଟମାନଙ୍କ ଅନିଚ୍ଛାକୃତ କିମ୍ବା ଅନଧିକୃତ କାର୍ଯ୍ୟକଳାପ ସମ୍ପର୍କିତ ଏକାଧିକ ଘଟଣା ସାମ୍ନାକୁ ଆସିବା ପରେ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। Anthropic ନିଜର ଏକ ମୂଲ୍ୟାୟନରେ Claude ମଡେଲ୍ଗୁଡ଼ିକ ଚାରିଟି ଘଟଣାରେ ତୃତୀୟପକ୍ଷ ସିଷ୍ଟମ୍କୁ ଅନଧିକୃତ ପ୍ରବେଶ କରିଥିବା କହିଛି। OpenAI ମଧ୍ୟ ନିଜ AI ଏଜେଣ୍ଟ ସହ ଜଡ଼ିତ ଅପ୍ରତ୍ୟାଶିତ ଅନଲାଇନ୍ କାର୍ଯ୍ୟକଳାପର ପରିସର ଯାଞ୍ଚ କରୁଛି।
ଅନ୍ୟପଟେ, AIର ବ୍ୟାପକ ବ୍ୟବହାର ପାଇଁ ଆବଶ୍ୟକ ଡାଟା ସେଣ୍ଟରଗୁଡ଼ିକର ଦ୍ରୁତ ବିସ୍ତାରକୁ ଟ୍ରମ୍ପ ପୁଣିଥରେ ସମର୍ଥନ କରିଛନ୍ତି। ଆମେରିକାର ବିଭିନ୍ନ ଅଞ୍ଚଳରେ ଡାଟା ସେଣ୍ଟରର ବିଦ୍ୟୁତ୍ ଚାହିଦା, ୟୁଟିଲିଟି ଖର୍ଚ୍ଚ ଓ ସ୍ଥାନୀୟ ପ୍ରଭାବକୁ ନେଇ ପ୍ରତିବାଦ ଦେଖାଯାଉଛି। ଏହା ସତ୍ତ୍ୱେ ଟ୍ରମ୍ପ କହିଛନ୍ତି, ବଡ଼ ପ୍ରଯୁକ୍ତି କମ୍ପାନୀମାନେ ଡାଟା ସେଣ୍ଟର ହେଉଥିବା ସମୁଦାୟଗୁଡ଼ିକ ପାଇଁ ଆର୍ଥିକ ଅବଦାନ ଦେବେ।
AI ସୁରକ୍ଷାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ମଧ୍ୟ ଚିନ୍ତା ରହିଛି। ସେପ୍ଟେମ୍ବର ୧୭ରୁ ୨୦ ମଧ୍ୟରେ ହୋଇଥିବା Reuters/Ipsos ସର୍ବେକ୍ଷଣରେ ପ୍ରାୟ ୭୩ ପ୍ରତିଶତ ଉତ୍ତରଦାତା AI କମ୍ପାନୀଗୁଡ଼ିକ ସମାଜ ପାଇଁ ଗୁରୁତର କ୍ଷତି ରୋକିବାରେ ପର୍ଯ୍ୟାପ୍ତ ପଦକ୍ଷେପ ନେଉନାହାନ୍ତି ବୋଲି ଚିନ୍ତା ପ୍ରକାଶ କରିଥିଲେ। ୫୫ ପ୍ରତିଶତ AI ବିକାଶର ଗତି କମାଇବା ଭଲ ହେବ ବୋଲି କହିଥିଲେ।
ଏହା ସହ ଟ୍ରମ୍ପ ପ୍ରଶାସନ କେନ୍ଦ୍ର ସରକାରୀ ଏଜେନ୍ସିଗୁଡ଼ିକୁ “Artificial Intelligence” ବଦଳରେ “Super Intelligence” ଶବ୍ଦ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛି। ସେପ୍ଟେମ୍ବର ୨୯ରେ ଜାରି ହୋଇଥିବା କାର୍ଯ୍ୟନିର୍ଦ୍ଦେଶରେ ସରକାରୀ ଯୋଗାଯୋଗ, ୱେବସାଇଟ୍, ରିପୋର୍ଟ ଓ ନୀତିଗତ ଦଲିଲରେ ସମ୍ଭବ ସୀମା ପର୍ଯ୍ୟନ୍ତ “Super Intelligence” ଏବଂ “SI” ବ୍ୟବହାର କରିବାକୁ କୁହାଯାଇଛି।
