କଟକ, ୨୬ ଜୁନ:
କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ମାଣିଆବନ୍ଧ ଅଞ୍ଚଳର କୁଆଁପାଳ ଛକରେ ଶୁକ୍ରବାର ଏକ ଚାଞ୍ଚଲ୍ୟକର ଗୁଳିକାଣ୍ଡ ଘଟିଛି। ମାଣିଆବନ୍ଧ ସନ୍ତରାବାଡ଼ି ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ କାଳିଆ ଓରଫ ଶ୍ରୀକାନ୍ତ ଜେନା (୩୨)ଙ୍କୁ ଦୁର୍ବୃତ୍ତମାନେ ଅତର୍କିତ ଭାବେ ଗୁଳିମାଡ଼ କରିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, କାଳିଆ ଜେନା ତାଙ୍କ ପୁଅଙ୍କୁ ନେଇ ସେଲୁନକୁ ଚୁଟି କାଟିବା ପାଇଁ ଯାଉଥିବା ବେଳେ ଦୁଇଟି ବାଇକରେ ଆସିଥିବା ଚାରି ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ପ୍ରାୟ ୪ ରାଉଣ୍ଡ ଗୁଳି ଚଳାଇଥିଲେ। ଏହା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ଗୁଳି କାଳିଆ ଜେନାଙ୍କ ଛାତି ଓ ଗୋଡ଼ରେ ବାଜିଥିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ପ୍ରଥମେ ତାଙ୍କୁ ମାଣିଆବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକସ୍ଥିତ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗୁଳିମାଡ଼ର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ସହ ଘଟଣାର ସମସ୍ତ ଦିଗକୁ ନେଇ ପୋଲିସ ତଦନ୍ତ ଚଳାଇଛି।
ପ୍ରାଥମିକ ସୂଚନା ଅନୁଯାୟୀ, କାଳିଆ ଜେନାଙ୍କ ନାମରେ ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି। ତେବେ ଏହି ଗୁଳିମାଡ଼ ପଛରେ କେଉଁ କାରଣ ରହିଛି ଏବଂ କିଏ କିଏ ଏଥିରେ ସମ୍ପୃକ୍ତ, ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।
