Home Featuredଆଗାମୀ ୨୪ ଘଣ୍ଟାରେ ଲଘୁଚାପ ସମ୍ଭାବନା; ଦୁଇ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ସତର୍କତା

ଆଗାମୀ ୨୪ ଘଣ୍ଟାରେ ଲଘୁଚାପ ସମ୍ଭାବନା; ଦୁଇ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ସତର୍କତା

by Lokanath Panigrahi
0 comments

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଅଞ୍ଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଏହାର ପ୍ରଭାବରେ ଜୁଲାଇ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷାର ପ୍ରକୋପ ଜାରି ରହିବ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ୧୪ ଓ ୧୫ ଜୁଲାଇ ପାଇଁ ବିଭିନ୍ନ ଜିଲ୍ଲାରେ ରେଡ୍, ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି କରାଯାଇଛି।

ରେଡ୍ ଆଲର୍ଟ

୧୪ ଜୁଲାଇରେ ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଥିବାରୁ ରେଡ୍ ଆଲର୍ଟ ଜାରି ହୋଇଛି। ୧୫ ଜୁଲାଇରେ ଜଗତସିଂହପୁର ପାଇଁ ମଧ୍ୟ ରେଡ୍ ୱାର୍ଣ୍ଣିଂ ବଳବତ୍ତର ରହିବ।

ଅରେଞ୍ଜ ଆଲର୍ଟ

୧୪ ଜୁଲାଇରେ ବାଲେଶ୍ୱର, ଯାଜପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହିପରି ୧୫ ଜୁଲାଇରେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କେନ୍ଦୁଝର, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଢେଙ୍କାନାଳରେ ଅରେଞ୍ଜ ଆଲର୍ଟ ଜାରି ରହିବ।

ୟେଲୋ ଆଲର୍ଟ

୧୪ ଜୁଲାଇରେ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ ଓ ରାୟଗଡ଼ାରେ ୟେଲୋ ଆଲର୍ଟ ଜାରି କରାଯାଇଛି। ୧୫ ଜୁଲାଇରେ ବାଲେଶ୍ୱର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ମୟୂରଭଞ୍ଜ, ବୌଦ୍ଧ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ଏହି ସତର୍କତା ଜାରି ରହିବ।

ରଥଯାତ୍ରା ଦିନ ବର୍ଷା ସମ୍ଭାବନା

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଜୁଲାଇ ୧୬ରେ ରଥଯାତ୍ରା ସମୟରେ ମଧ୍ୟ ବର୍ଷାର ପ୍ରଭାବ ଜାରି ରହିପାରେ। କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକ ପାଇଁ ଅରେଞ୍ଜ ଆଲର୍ଟ ରହିଥିବାବେଳେ ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର ସମେତ ଅନ୍ୟ କେତେକ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି।

ମତ୍ସ୍ୟଜୀବୀଙ୍କ ପାଇଁ ସତର୍କବାଣୀ

ଲଘୁଚାପ ପ୍ରଭାବରେ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବା ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ। ଏହି କାରଣରୁ ଜୁଲାଇ ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି।

ଏପର୍ଯ୍ୟନ୍ତ ରାଜ୍ୟରେ ମୌସୁମୀ ବର୍ଷା ସ୍ୱାଭାବିକଠାରୁ ସାମାନ୍ୟ ଅଧିକ ରେକର୍ଡ କରାଯାଇଛି। ଜୁନ୍ ୧ରୁ ବର୍ତ୍ତମାନ ସୁଦ୍ଧା ୩୫୪.୭ ମିଲିମିଟର ବର୍ଷା ହୋଇଥିବାବେଳେ ସ୍ୱାଭାବିକ ପରିମାଣ ୩୪୫.୫ ମିଲିମିଟର ଥିଲା, ଯାହାଠାରୁ ପ୍ରାୟ ୪ ପ୍ରତିଶତ ଅଧିକ।

You may also like

Leave a Comment