Home Featuredକନ୍ଧମାଳ ପୁଲିସ ଟିମ୍‌ ଉପରେ ଗୁଳିମାଡ଼; ପୁଲିସ ଗାଡ଼ି ଭାଙ୍ଗି ଅଭିଯୁକ୍ତକୁ ଛଡ଼ାଇନେଲେ ଦୁର୍ବୃତ୍ତ

କନ୍ଧମାଳ ପୁଲିସ ଟିମ୍‌ ଉପରେ ଗୁଳିମାଡ଼; ପୁଲିସ ଗାଡ଼ି ଭାଙ୍ଗି ଅଭିଯୁକ୍ତକୁ ଛଡ଼ାଇନେଲେ ଦୁର୍ବୃତ୍ତ

by Lokanath Panigrahi
0 comments

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ଓଡ଼ିଶା ପୁଲିସ ଟିମ୍‌ ଉପରେ ଦୁର୍ବୃତ୍ତଙ୍କ ଆକ୍ରମଣ। କନ୍ଧମାଳ ପୁଲିସ ଏକ ଅଭିଯୁକ୍ତଙ୍କୁ ନେଇ ରିୱା ଯାଉଥିବା ବେଳେ ସିଦ୍ଧି ଜିଲ୍ଲାରେ ତାଙ୍କ ଗାଡ଼ିକୁ ଅଟକାଇ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ଆକ୍ରମଣକାରୀମାନେ ପୁଲିସ ଗାଡ଼ିର କାଚ ଭାଙ୍ଗିବା ସହ ଗୁଳି ଚଳାଇଥିଲେ। ପରେ ଅଭିଯୁକ୍ତକୁ ଜୋରଜବରଦସ୍ତି ଛଡ଼ାଇ ନେଇ ଫେରାର ହୋଇଯାଇଛନ୍ତି।

ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ସମୟରେ ରିୱା-ସିଦ୍ଧି ସୀମା ଅଞ୍ଚଳର ଛୁହିୟା ଘାଟୀ ନିକଟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଘଟଣା ପରେ ସିଦ୍ଧି ଓ ରିୱା ପୁଲିସର ବରିଷ୍ଠ ଅଧିକାରୀମାନେ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଫେରାର ଅଭିଯୁକ୍ତ ଓ ଆକ୍ରମଣକାରୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ଟିମ୍‌ ମୁତୟନ କରାଯାଇଛି।

ସୂଚନା ଅନୁସାରେ, ଏନ୍‌ଡିପିଏସ୍‌ ଆଇନ ଅଧୀନରେ କନ୍ଧମାଳ ପୁଲିସ ଗତ ଜୁନ୍‌ ୩୦ ତାରିଖରେ ମଧ୍ୟପ୍ରଦେଶରୁ ଆଦିତ୍ୟ ମିଶ୍ର ଓରଫ ରାକେଶ ଓରଫ ସାୱରିୟା ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଗଞ୍ଜେଇ ଚୋରାଚାଲାଣ ସମ୍ପର୍କିତ ମାମଲାରେ ଗିରଫ ପରେ ତାଙ୍କୁ ଓଡ଼ିଶା ଅଣାଯାଇଥିଲା।

ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ ରିୱା ଜିଲ୍ଲା କୋର୍ଟରେ ପୁଣି ହାଜର କରାଇବା ପାଇଁ କନ୍ଧମାଳ ପୁଲିସର ୮ ଜଣିଆ ଟିମ୍‌ ଅଭିଯୁକ୍ତଙ୍କୁ ନେଇ ଯାଉଥିଲା। ସେମାନେ ଛୁହିୟା ଘାଟୀ ଅତିକ୍ରମ କରୁଥିବା ସମୟରେ ୪ଟି ଗାଡ଼ିରେ ଆସିଥିବା ଦୁର୍ବୃତ୍ତମାନେ ପୁଲିସ ଗାଡ଼ିକୁ ପିଛା କରିଥିଲେ।

ପୁଲିସ ଗାଡ଼ିକୁ ଅଟକାଇବା ପରେ ଆକ୍ରମଣକାରୀମାନେ ପ୍ରଥମେ ଗାଡ଼ିର ଚକାକୁ ଗୁଳି କରି ପଙ୍କଚର କରିଥିବା ଅଭିଯୋଗ ହୋଇଛି। ଏହାପରେ ପୁଲିସ କର୍ମଚାରୀଙ୍କ ଦିଗକୁ ଲଙ୍କାଗୁଣ୍ଡ ସ୍ପ୍ରେ କରି ସେମାନଙ୍କୁ ଅସହାୟ କରିବାକୁ ଚେଷ୍ଟା କରିଥିଲେ।

ଆକ୍ରମଣକାରୀମାନେ ବେସ୍‌ବଲ୍‌ ବ୍ୟାଟ୍‌ରେ ପୁଲିସ ଗାଡ଼ିର କାଚ ଭାଙ୍ଗିବା ସହ ଭୟ ସୃଷ୍ଟି କରିବା ପାଇଁ ପ୍ରାୟ ୩ ରାଉଣ୍ଡ ଗୁଳି ଚଳାଇଥିବା ମଧ୍ୟ ଜଣାପଡ଼ିଛି। ଘଟଣା ପରେ ଆକ୍ରମଣକାରୀମାନେ ଅଭିଯୁକ୍ତ ଆଦିତ୍ୟଙ୍କୁ ସାଙ୍ଗରେ ନେଇ ସେଠାରୁ ଫେରାର ହୋଇଯାଇଥିଲେ।

ଘଟଣାକୁ ଗୁରୁତ୍ୱର ସହ ନେଇ ମଧ୍ୟପ୍ରଦେଶ ପୁଲିସ ପକ୍ଷରୁ ତଦନ୍ତ ଓ ତଲାସୀ ଅଭିଯାନ ଜୋରଦାର କରାଯାଇଛି। ଆକ୍ରମଣରେ ସାମିଲ ଥିବା ବ୍ୟକ୍ତି ଏବଂ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

You may also like

Leave a Comment