Home Featuredଶ୍ରୀମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି, ଭକ୍ତଙ୍କ ସୁବିଧାକୁ ଦିଆଯାଇଛି ବିଶେଷ ଗୁରୁତ୍ୱ

ଶ୍ରୀମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି, ଭକ୍ତଙ୍କ ସୁବିଧାକୁ ଦିଆଯାଇଛି ବିଶେଷ ଗୁରୁତ୍ୱ

by Gulshan Pandey
0 comments

ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଆସନ୍ତା ଦେବସ୍ନାନ ପୂର୍ଣ୍ଣିମାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରାଯାଇଛି। ଶୁକ୍ରବାର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସ୍‌ଜେଟିଏ)ର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ମନ୍ଦିର, ଜିଲ୍ଲା ପ୍ରଶାସନ ଓ ପୁଲିସର ବରିଷ୍ଠ ଅଧିକାରୀଙ୍କ ସହ ମିଶି ପ୍ରସ୍ତୁତିର ଯାଞ୍ଚ କରିଥିଲେ।

ସମୀକ୍ଷା ବେଳେ ଦେବସ୍ନାନ ପୂର୍ଣ୍ଣିମାର ସମସ୍ତ ନୀତିକାନ୍ତି, ଭିଡ଼ ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା ଏବଂ ଭକ୍ତମାନଙ୍କ ଦର୍ଶନ ବ୍ୟବସ୍ଥା ଉପରେ ବିଶେଷ ଆଲୋଚନା କରାଯାଇଥିଲା।

ଅରବିନ୍ଦ ପାଢ଼ୀ କହିଛନ୍ତି ଯେ, ନୀତି ସବ୍‌-କମିଟି, ଛତିଶା ନିଯୋଗ ଏବଂ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପୂର୍ବରୁ ଚୂଡ଼ାନ୍ତ କରାଯାଇଥିବା ସମୟସୂଚୀ ଅନୁଯାୟୀ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ଚାଲିଛି। ସେ ଆଶା ପ୍ରକାଶ କରିଛନ୍ତି ଯେ ଦେବସ୍ନାନ ପୂର୍ଣ୍ଣିମାର ସମସ୍ତ କାର୍ଯ୍ୟକ୍ରମ ମଧ୍ୟ ନିର୍ଦ୍ଧାରିତ ସମୟରେ ଓ ଶୃଙ୍ଖଳାର ସହ ସମ୍ପନ୍ନ ହେବ।

ଦେବସ୍ନାନ ପୂର୍ଣ୍ଣିମା ଦିନ ଭକ୍ତମାନେ ଯେପରି ସହଜରେ ପହଣ୍ଡି, ମହାସ୍ନାନ ଏବଂ ବହୁ ପ୍ରତୀକ୍ଷିତ ହାତୀ ବେଶ ଦର୍ଶନ କରିପାରିବେ, ସେଥିପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଅରବିନ୍ଦ ପାଢ଼ୀ କହିଛନ୍ତି ଯେ, ଶ୍ରୀମନ୍ଦିର ପ୍ରଶାସନ, ପୁଲିସ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନର ପ୍ରସ୍ତୁତିକୁ ଆଜି ସମୀକ୍ଷା କରାଯାଇଛି। ସମ୍ପୃକ୍ତ ସେବାୟତ ନିଯୋଗ ସହ ନିରନ୍ତର ଯୋଗାଯୋଗ ରଖାଯାଇଛି ଏବଂ ସେମାନଙ୍କ ସହଯୋଗ ନିଆଯାଉଛି। ସମସ୍ତ ନୀତି ନିର୍ଦ୍ଧାରିତ ସମୟ ଅନୁସାରେ ଚାଲିଛି। ମହାପ୍ରଭୁଙ୍କ କୃପାରୁ ସମସ୍ତ କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଦେବସ୍ନାନ ପୂର୍ଣ୍ଣିମା ଦିନ ଭକ୍ତମାନେ ସିଂହଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରି ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିବେ। ଏହା ସହ ଅନେକ ଭକ୍ତ ବଡ଼ଦାଣ୍ଡରୁ ମଧ୍ୟ ଦର୍ଶନ କରିଥାନ୍ତି। ସେଥିପାଇଁ ସିଂହଦ୍ୱାର ସମ୍ମୁଖରେ ବ୍ୟାରିକେଡ୍ ଉପରେ ଲାଗିଥିବା ସେଡ୍‌କୁ ହଟାଇ ଦିଆଯିବ, ଯାହାଫଳରେ ବଡ଼ଦାଣ୍ଡରେ ଥିବା ଭକ୍ତମାନେ ସ୍ପଷ୍ଟ ଭାବେ ଦେବଦର୍ଶନ କରିପାରିବେ।

ଭିଡ଼ ନିୟନ୍ତ୍ରଣ ପାଇଁ ଦେବସ୍ନାନ ପୂର୍ଣ୍ଣିମା ଦିନ କେବଳ ସିଂହଦ୍ୱାର ଦେଇ ଭକ୍ତମାନଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ। ସ୍ନାନମଣ୍ଡପରେ ଦର୍ଶନ ସାରିବା ପରେ ସେମାନେ ମନ୍ଦିରର ଅନ୍ୟ ତିନୋଟି ଦ୍ୱାର ଦେଇ ବାହାରକୁ ବାହାରିବେ।

ଏହାଛଡ଼ା ମାର୍କେଟ ଛକରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଲଗାଯାଇଥିବା ବ୍ୟାରିକେଡ୍‌ର କିଛି ଅଂଶ ଖୋଲା ରଖାଯିବ। ଏହା ଦ୍ୱାରା ବଡ଼ଦାଣ୍ଡରେ ଠିଆ ହୋଇଥିବା ଭକ୍ତମାନେ ସ୍ନାନମଣ୍ଡପରେ ବିରାଜମାନ ମହାପ୍ରଭୁଙ୍କୁ ସହଜରେ ଦର୍ଶନ କରିପାରିବେ।

ଏହି ସମୀକ୍ଷା ବୈଠକରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ସେଣ୍ଟ୍ରାଲ ରେଞ୍ଜ ଆଇଜି ସତ୍ୟଜିତ ନାୟକ, ପୁରୀ ଏସ୍‌ପି ପ୍ରତୀକ ସିଂହଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଏବଂ ପୁଲିସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

You may also like

Leave a Comment