Home FeaturedNEET-UG ପୁନଃ ପରୀକ୍ଷା ଜୁନ୍ ୨୧ରେ, ଓଡ଼ିଶାରେ ୫୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା; ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

NEET-UG ପୁନଃ ପରୀକ୍ଷା ଜୁନ୍ ୨୧ରେ, ଓଡ଼ିଶାରେ ୫୬ ହଜାରରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା; ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

by Gulshan Pandey
0 comments

ଭୁବନେଶ୍ୱର: ଆସନ୍ତା ଜୁନ୍ ୨୧ ତାରିଖରେ ଦେଶବ୍ୟାପୀ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (NEET-UG) ପୁନଃ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଶ୍ନପତ୍ର ଲିକ୍ ଘଟଣା ପରେ ମେ ୩ ତାରିଖରେ ହୋଇଥିବା ପରୀକ୍ଷାକୁ ବାତିଲ କରାଯାଇଥିଲା। ଏହାପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ପୁନଃ ପରୀକ୍ଷା ଆୟୋଜନ କରାଯାଉଛି।

ଏହି ପରୀକ୍ଷା ପାଇଁ ଓଡ଼ିଶାରୁ ୫୬ ହଜାରରୁ ଅଧିକ ମେଡିକାଲ୍ ଆଶାୟୀ ପଞ୍ଜିକରଣ କରିଥିବାବେଳେ ଦିଲ୍ଲୀରୁ ୫୮ ହଜାର ୬୪୩ ଜଣ ପ୍ରାର୍ଥୀ ପରୀକ୍ଷା ଦେବେ। ଦେଶର ସବୁଠାରୁ ବଡ଼ ପ୍ରବେଶିକା ପରୀକ୍ଷା ଭାବେ ପରିଚିତ NEET-UG ମାଧ୍ୟମରେ ଏମ୍‌ବିବିଏସ୍ ସମେତ ବିଭିନ୍ନ ସ୍ନାତକ ମେଡିକାଲ୍ ପାଠ୍ୟକ୍ରମରେ ନାମଲେଖା ସୁଯୋଗ ମିଳିଥାଏ।

ଓଡ଼ିଶାରେ ବହୁ ସଂଖ୍ୟକ ପରୀକ୍ଷାର୍ଥୀ ଅଂଶଗ୍ରହଣ କରୁଥିବାରୁ ପରୀକ୍ଷାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ରାଜ୍ୟ ସରକାର ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ରହି ପରୀକ୍ଷା ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ।

ସେହିପରି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଭର୍ଚୁଆଲ୍ ମାଧ୍ୟମରେ ସମସ୍ତ ଜିଲ୍ଲାପାଳଙ୍କ ସହ ସିଧାସଳଖ ଆଲୋଚନା କରି ଜିଲ୍ଲା ସ୍ତରର ପ୍ରସ୍ତୁତିର ସମୀକ୍ଷା କରିଥିଲେ। ପରୀକ୍ଷା ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଜୁନ୍ ୧୯ ତାରିଖ ସୁଦ୍ଧା ନିଜ ନିଜ ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାପରେ ଜୁନ୍ ୨୦ ତାରିଖରେ ସମସ୍ତ ପରୀକ୍ଷା କର୍ମଚାରୀଙ୍କୁ ନେଇ ମକ୍ ଡ୍ରିଲ୍ କରାଯିବ।

ଚଳିତ ବର୍ଷ NEET-UG ପାଇଁ ଦେଶବ୍ୟାପୀ ୨୨.୭ ଲକ୍ଷରୁ ଅଧିକ ପ୍ରାର୍ଥୀ ପଞ୍ଜିକରଣ କରିଛନ୍ତି। NTA ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ହିନ୍ଦୀ ଭାଷାଭାଷୀ ଆଠଟି ରାଜ୍ୟରୁ ପ୍ରାୟ ୪୪ ପ୍ରତିଶତ ପ୍ରାର୍ଥୀ ଆସିଥିବାବେଳେ ଦକ୍ଷିଣ ଭାରତର ପାଞ୍ଚଟି ରାଜ୍ୟରୁ ୨୩.୮ ପ୍ରତିଶତ ପ୍ରାର୍ଥୀ ପଞ୍ଜିକରଣ କରିଛନ୍ତି। ଦେଶର ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ରତି ତିନି ଜଣରେ ଜଣେ କେବଳ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ ରାଜସ୍ଥାନରୁ ଆସିଛନ୍ତି।

ଉତ୍ତର ପ୍ରଦେଶରୁ ସର୍ବାଧିକ ୩ ଲକ୍ଷ ୫୬ ହଜାର ୨୯୧ ଜଣ ପ୍ରାର୍ଥୀ ପରୀକ୍ଷା ଦେବେ। ଏହାପରେ ମହାରାଷ୍ଟ୍ରରୁ ୨ ଲକ୍ଷ ୨୨ ହଜାର ୯୦୫ ଜଣ ଏବଂ ରାଜସ୍ଥାନରୁ ୨ ଲକ୍ଷ ୩ ହଜାର ୪୭୦ ଜଣ ପ୍ରାର୍ଥୀ ପରୀକ୍ଷାରେ ଅଂଶ ନେବେ। ବିହାରରୁ ୧ ଲକ୍ଷ ୫୬ ହଜାର ୬୧ ଜଣ, କର୍ଣ୍ଣାଟକରୁ ୧ ଲକ୍ଷ ୪୫ ହଜାର ୪୬୬ ଜଣ, ତାମିଲନାଡୁରୁ ୧ ଲକ୍ଷ ୪୨ ହଜାର ୪୮୯ ଜଣ, ମଧ୍ୟପ୍ରଦେଶରୁ ୧ ଲକ୍ଷ ୧୮ ହଜାର ୧୬୨ ଜଣ ଓ କେରଳରୁ ୧ ଲକ୍ଷ ୧୩ ହଜାର ୬୦୯ ଜଣ ପ୍ରାର୍ଥୀ ପରୀକ୍ଷା ଦେବେ।

ଓଡ଼ିଶାରେ ପରୀକ୍ଷାର୍ଥୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନକୁ ପର୍ଯ୍ୟାପ୍ତ ବସ୍ ବ୍ୟବସ୍ଥା କରିବାକୁ କୁହାଯାଇଛି। ଯାହାଦ୍ୱାରା ପରୀକ୍ଷାର୍ଥୀମାନେ ସମୟରେ ପରୀକ୍ଷା କେନ୍ଦ୍ରରେ ପହଞ୍ଚିପାରିବେ। ଏହାସହ ସମସ୍ତ ପରୀକ୍ଷା କେନ୍ଦ୍ରକୁ ପୂର୍ବରୁ ସାନିଟାଇଜ୍ କରିବା, ବିଶୁଦ୍ଧ ପିଇବା ପାଣି ଓ ଆବଶ୍ୟକ ଚିକିତ୍ସା ସୁବିଧା ଉପଲବ୍ଧ କରାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଜୁନ୍ ୨୧ ତାରିଖରେ ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ୧୫ ମିନିଟ୍ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ଦେଶର ଲକ୍ଷାଧିକ ମେଡିକାଲ୍ ଆଶାୟୀଙ୍କ ପାଇଁ ଏହି ପରୀକ୍ଷା ଭବିଷ୍ୟତ ଗଠନର ଏକ ଗୁରୁତ୍ୱପୂର୍ଣ୍ଣ ପଡ଼ାଯାଇଥିବାରୁ ସମସ୍ତଙ୍କ ନଜର ଏହା ଉପରେ ରହିଛି।

You may also like

Leave a Comment