ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ଏବଂ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସଜାଗ ଥିବା ବେଳେ ସୋମବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସ୍ୱତନ୍ତ୍ର ସହାୟତା ଆୟୁକ୍ତ (SRC) କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି।
ବୈଠକରେ ବୈତରଣୀ ନଦୀର ବର୍ତ୍ତମାନ ଜଳସ୍ତର, ସମ୍ଭାବ୍ୟ ବନ୍ୟା ପ୍ରଭାବିତ ଅଞ୍ଚଳ, ଉଦ୍ଧାର ଓ ସ୍ଥାନାନ୍ତରଣ ବ୍ୟବସ୍ଥା, ଆଶ୍ରୟସ୍ଥଳ ପ୍ରସ୍ତୁତି, ରିଲିଫ୍ ସାମଗ୍ରୀର ମହଜୁଦ ଏବଂ ଓଡ୍ରାଫ୍ ସମେତ ଉଦ୍ଧାରକାରୀ ଦଳର ପ୍ରସ୍ତୁତି ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା।
ସମୀକ୍ଷା ପରେ ମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ସମ୍ଭାବ୍ୟ ବନ୍ୟା ପରିସ୍ଥିତି ବର୍ତ୍ତମାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ଆନନ୍ଦପୁର ଓ ଆଖୁଆପଡ଼ା ନିକଟରେ ବୈତରଣୀର ଜଳସ୍ତର ବଢ଼ିଥିଲେ ମଧ୍ୟ ତାହା ବିପଦ ସ୍ତରଠାରୁ ତଳେ ରହିଛି ବୋଲି ସେ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ମହାନଦୀ, ଦେବୀ, ଜଳକା, କୁଶଭଦ୍ରା, ଋଷିକୁଲ୍ୟା ଓ ଇବ୍ ସମେତ ଅନ୍ୟାନ୍ୟ ପ୍ରମୁଖ ନଦୀର ଜଳସ୍ତର ମଧ୍ୟ ବିପଦ ସୀମା ତଳେ ରହିଛି। ସମସ୍ତ ନଦୀର ଜଳସ୍ତର ଉପରେ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ନିରନ୍ତର ନଜର ରଖାଯାଉଛି।
ଲଗାଣ ବର୍ଷା ଯୋଗୁଁ କେତେକ ସ୍ଥାନରେ ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଥିବାରୁ ଜିଲ୍ଲା ପ୍ରଶାସନକୁ ତୁରନ୍ତ ସର୍ଭେ କରି କ୍ଷୟକ୍ଷତିର ଆକଳନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କ୍ଷୟକ୍ଷତିର ରିପୋର୍ଟ ଆସିବାର ୨୪ ଘଣ୍ଟା ମଧ୍ୟରେ କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ସେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଏହାସହ ଜଳସ୍ତର କମିବା ପରେ ସାପ କାମୁଡ଼ା ଘଟଣାକୁ ଦୃଷ୍ଟିରେ ରଖି ସମସ୍ତ ଡାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣର ଆଣ୍ଟିଭେନମ୍ ମହଜୁଦ ରଖିବାକୁ ମଧ୍ୟ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି।
ରଥଯାତ୍ରା ଶେଷ ପରେ ସମସ୍ତ ୩୦ଟି ଜିଲ୍ଲା ସହ ଏକ ବିସ୍ତୃତ ସମୀକ୍ଷା ବୈଠକ କରାଯାଇ ବର୍ଷାଜନିତ ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।
ସ୍ୱତନ୍ତ୍ର ସହାୟତା ଆୟୁକ୍ତ ରାଜେଶ ପ୍ରଭାକର ପାଟିଲ କହିଛନ୍ତି ଯେ, ପଲିଥିନ୍ ସମେତ ସମସ୍ତ ରିଲିଫ୍ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି ଏବଂ ଓଡ୍ରାଫ୍ ଟିମ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ନିୟମିତ ପୂର୍ବ ସତର୍କ ସୂଚନା ମଧ୍ୟ ପ୍ରଦାନ କରାଯାଉଛି।
ବୈଠକରେ ସ୍ୱତନ୍ତ୍ର ସହାୟତା ଆୟୁକ୍ତ ରାଜେଶ ପ୍ରଭାକର ପାଟିଲ, ଅତିରିକ୍ତ ସ୍ୱତନ୍ତ୍ର ସହାୟତା ଆୟୁକ୍ତ ପଦ୍ମନାଭ ବେହେରାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ଯାଜପୁର ଓ ଭଦ୍ରକ ଜିଲ୍ଲାପାଳଙ୍କ ସମେତ ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଭର୍ଚୁଆଲ୍ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ।
