ଭୁବନେଶ୍ୱର ରେଳ ଅଡିଟୋରିଅମରେ ଆୟୋଜିତ ୧୬ତମ ନିଯୁକ୍ତି ମେଳାରେ ୯ଟି ବିଭାଗର ମୋଟ ୧୩୨୬ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି। ଗୃହ ଓ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ, ଶକ୍ତି, କୃଷି, ସ୍ୱାସ୍ଥ୍ୟ, ମତ୍ସ୍ୟ ଓ ପ୍ରାଣିସମ୍ପଦ, କ୍ରୀଡ଼ା, ଦକ୍ଷତା ବିକାଶ ଏବଂ ଅବକାରୀ ବିଭାଗରେ ବିଭିନ୍ନ ପଦବୀରେ ଯୁବକ-ଯୁବତୀମାନେ ନିଯୁକ୍ତି ପାଇଛନ୍ତି। ଏଥିରେ କନିଷ୍ଠ ଯନ୍ତ୍ରୀ, ସହକାରୀ କୃଷି ଅଧିକାରୀ, ସହକାରୀ ପ୍ରାଧ୍ୟାପକ, ପ୍ରାଣିଧନ ନିରୀକ୍ଷକ, ଜୁନିଅର କୋଚ୍, ପ୍ରଶିକ୍ଷକ ଓ ଉପ-ନିରୀକ୍ଷକଙ୍କ ଭଳି ପଦ ସାମିଲ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଅନୁସାରେ, ୨୦୨୪ ଜୁନ୍ରୁ ଏପର୍ଯ୍ୟନ୍ତ ରାଜ୍ୟରେ ୪୫ ହଜାର ୪୦୮ ଜଣଙ୍କୁ ସରକାରୀ ନିଯୁକ୍ତି ମିଳିଛି। ଏହା ସହିତ ଶିଳ୍ପାୟନ ମାଧ୍ୟମରେ ବେସରକାରୀ କ୍ଷେତ୍ରରେ ମଧ୍ୟ ବ୍ୟାପକ ରୋଜଗାର ସୃଷ୍ଟି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ଗତ ଦୁଇ ବର୍ଷରେ ପ୍ରାୟ ୨୧ ଲକ୍ଷ କୋଟି ଟଙ୍କାର ନିବେଶ ଆସିଥିବା ଏବଂ ଏଥିରୁ ପ୍ରାୟ ୨୦ ଲକ୍ଷ ନିଯୁକ୍ତି ସୁଯୋଗ ଉତ୍ପନ୍ନ ହେବାର ଆଶା ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ନିକଟରେ ଦିଲ୍ଲୀ ଓ ନୋଇଡାରେ ହୋଇଥିବା ଫୁଡ୍ ପ୍ରୋସେସିଂ ରୋଡ୍ ଶୋ’ରେ ନିବେଶକଙ୍କ ସହ ଆଲୋଚନା ହୋଇଥିବା ସୂଚନା ଦିଆଯାଇଛି। ୪୬ଟି ବୈଠକରେ ୨୦୮ ଜଣ ନିବେଶକଙ୍କ ସହ ଆଲୋଚନା ଏବଂ ୩୮ଟି ଏମ୍ଓୟୁ ସ୍ୱାକ୍ଷର ହୋଇଛି। ଏହା ଜରିଆରେ ୬୬,୩୯୨ କୋଟି ଟଙ୍କାର ପ୍ରସ୍ତାବିତ ନିବେଶ ସହ ୫୪,୧୩୫ ନୂଆ ରୋଜଗାର ସୁଯୋଗ ସୃଷ୍ଟିର ଲକ୍ଷ୍ୟ ରହିଛି। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତର ଅଭିବୃଦ୍ଧିରେ ଓଡ଼ିଶାକୁ ଏକ ପ୍ରମୁଖ ଭୂମିକାରେ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଥିବା କୁହାଯାଇଛି। ନବନିଯୁକ୍ତମାନଙ୍କୁ ଦୁର୍ନୀତିଠାରୁ ଦୂରେ ରହି ସଚ୍ଚୋଟତା, ଶୃଙ୍ଖଳା ଓ ସେବା ମନୋଭାବ ସହ କାମ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
ନୂଆ ନିଯୁକ୍ତି ସହ ଯୁବଶକ୍ତିକୁ ସରକାରୀ ସେବାରେ ଯୋଡ଼ିବା ସହ ଶିଳ୍ପାୟନ ମାଧ୍ୟମରେ ବେସରକାରୀ ରୋଜଗାର ବୃଦ୍ଧି—ଉଭୟ ଦିଗରେ ଆଗକୁ ବଢ଼ୁଛି ଓଡ଼ିଶା। ଏହି ପ୍ରୟାସ ରାଜ୍ୟର ଯୁବପିଢ଼ି ପାଇଁ ଆଗାମୀ ଦିନରେ କେତେ ବଡ଼ ସୁଯୋଗ ଆଣୁଛି, ତାହା ଉପରେ ଏବେ ନଜର ରହିଛି।
