Home Featuredସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଆଦର୍ଶ ଆଗାମୀ ପିଢ଼ି ପାଇଁ ପ୍ରେରଣା: ମୁଖ୍ୟମନ୍ତ୍ରୀ

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଆଦର୍ଶ ଆଗାମୀ ପିଢ଼ି ପାଇଁ ପ୍ରେରଣା: ମୁଖ୍ୟମନ୍ତ୍ରୀ

by Lokanath Panigrahi
0 comments

‘ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ: କୃତି ଓ ବ୍ୟକ୍ତିତ୍ୱ’ ପୁସ୍ତକ ଉନ୍ମୋଚିତ; ଜନ୍ମ ଶତବାର୍ଷିକୀରେ ରାଜ୍ୟବ୍ୟାପୀ କାର୍ଯ୍ୟକ୍ରମର ଘୋଷଣା

ଭୁବନେଶ୍ୱର, ୨୮ ଜୁଲାଇ: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ତ୍ୟାଗ, ସଂଘର୍ଷ ଏବଂ ଜନଜାତି ସମାଜ ପ୍ରତି ସେବା ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସ୍ଥାନୀୟ ରେଳ ଅଡିଟୋରିୟମରେ ଆୟୋଜିତ ‘ବେଦାନ୍ତ କେଶରୀ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ: କୃତି ଓ ବ୍ୟକ୍ତିତ୍ୱ’ ପୁସ୍ତକ ଉନ୍ମୋଚନ ଅବସରରେ ସେ ଏହି ମତ ପ୍ରକାଶ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ, ଜଣେ ମହାପୁରୁଷଙ୍କ ଜୀବନୀ କେବଳ ଅତୀତର ବର୍ଣ୍ଣନା ନୁହେଁ, ବରଂ ଆଗାମୀ ପିଢ଼ି ପାଇଁ ମାର୍ଗଦର୍ଶକ। ସମାଜର ଅବହେଳିତ ବର୍ଗଙ୍କ କଲ୍ୟାଣ, ଜନଜାତି ସେବା ଓ ରାଷ୍ଟ୍ରଚେତନାର ବିକାଶରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଅବଦାନ ଚିରସ୍ମରଣୀୟ ବୋଲି ସେ କହିଥିଲେ।

ସେ କହିଥିଲେ ଯେ, ସ୍ୱାମୀ ଲକ୍ଷ୍ମଣାନନ୍ଦ କେବଳ ଜଣେ ସନ୍ନ୍ୟାସୀ ନଥିଲେ; କନ୍ଧମାଳର ବନବାସୀ ସମାଜ ପାଇଁ ସେ ଏକ ଆଧ୍ୟାତ୍ମିକ ମାର୍ଗଦର୍ଶକ ଏବଂ ସାମାଜିକ ପରିବର୍ତ୍ତନର ଅଗ୍ରଦୂତ ଥିଲେ। ଶିକ୍ଷା, ସେବା ଓ ସମାଜ ସଚେତନତା ମାଧ୍ୟମରେ ସେ ଅନେକ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସ୍ୱାମୀଜୀଙ୍କ ସ୍ମୃତିକୁ ଚିରସ୍ଥାୟୀ କରିବା ପାଇଁ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ତାଙ୍କ ନାମରେ ନାମିତ କରାଯାଇଛି। ଜଲେଶପଟ୍ଟା ଆଶ୍ରମର ବିକାଶ, ୩୦୦ ଆସନ ବିଶିଷ୍ଟ ଛାତ୍ରୀ ନିବାସ ଏବଂ ଜଳ ଯୋଗାଣ ସମେତ ବିଭିନ୍ନ ପ୍ରକଳ୍ପ ପାଇଁ ₹୧୩ କୋଟି ଅନୁମୋଦନ କରାଯାଇଛି। ଆସନ୍ତା ଅଗଷ୍ଟ ୨୧ରୁ ଆରମ୍ଭ ହେବାକୁ ଥିବା ସ୍ୱାମୀଜୀଙ୍କ ଜନ୍ମ ଶତବାର୍ଷିକୀ ବର୍ଷରେ ତାଙ୍କ ଆଦର୍ଶକୁ ଗାଁ ଗାଁ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନରେ ସେମିନାର ଓ କର୍ମଶାଳା ମାଧ୍ୟମରେ ପହଞ୍ଚାଯିବ ବୋଲି ସେ ଘୋଷଣା କରିଥିଲେ।

୨୦୦୮ରେ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ମାମଲା ସମ୍ବନ୍ଧୀୟ ଫାଇଲ୍ ନିଖୋଜ ହେବା କେବଳ ସାଧାରଣ ଅବହେଳା ନୁହେଁ। ଏହାର ତଦନ୍ତ କ୍ରାଇମବ୍ରାଞ୍ଚକୁ ଦିଆଯାଇଥିବା ବେଳେ ସତ୍ୟ ସାମ୍ନାକୁ ଆସିବ ଏବଂ ପ୍ରକୃତ ଦୋଷୀଙ୍କୁ କୌଣସି ପରିସ୍ଥିତିରେ ଛାଡ଼ି ଦିଆଯିବ ନାହିଁ ବୋଲି ସେ କହିଥିଲେ।

ପୁସ୍ତକର ଲେଖକ ବିପିନ ବିହାରୀ ନନ୍ଦ ଓ ବାଞ୍ଛାନିଧି ପଣ୍ଡାଙ୍କ ପ୍ରୟାସକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ଗ୍ରନ୍ଥ ଯୁବପିଢ଼ିଙ୍କ ମନରେ ରାଷ୍ଟ୍ରଭକ୍ତି, ତ୍ୟାଗ ଓ ଆଧ୍ୟାତ୍ମିକ ଚେତନାକୁ ଆହୁରି ସୁଦୃଢ଼ କରିବ।

କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକାର୍ଯ୍ୟବାହ ଦତ୍ତାତ୍ରେୟ ହୋସବୋଲେ କହିଥିଲେ, ସ୍ୱାମୀ ଲକ୍ଷ୍ମଣାନନ୍ଦ କେବଳ ଜଣେ ବ୍ୟକ୍ତି ନୁହେଁ, ସେ ଏକ ଚିନ୍ତାଧାରା ଓ ଶକ୍ତିର ପ୍ରତୀକ ଥିଲେ। ସମାଜସେବା, ଧର୍ମ ଜାଗରଣ ଓ ଗୋ-ରକ୍ଷା ପ୍ରତି ତାଙ୍କ ଅବଦାନ ଅନନ୍ୟ ବୋଲି ସେ କହିଥିଲେ।

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କୁ ସମାଜ ସଂସ୍କାରକ ଏବଂ ଜନଜାତି ସମାଜର ଉନ୍ନତି ପାଇଁ ଆଜୀବନ କାର୍ଯ୍ୟ କରିଥିବା ମହାନ ବ୍ୟକ୍ତିତ୍ୱ ବୋଲି ବର୍ଣ୍ଣନା କରିଥିଲେ। ତାଙ୍କ ଆଦର୍ଶ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ପ୍ରେରଣା ଯୋଗାଇବ ବୋଲି ସେ କହିଥିଲେ।

ଏହି ଅବସରରେ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ପରମହଂସ ପ୍ରଜ୍ଞାନାନନ୍ଦ, ସ୍ୱାମୀ ଜୀବନ ମୁକ୍ତାନନ୍ଦ, ମନସୁଖଲାଲ ସେଠିଆ ଓ ପୁସ୍ତକର ଉଭୟ ଲେଖକ ପ୍ରମୁଖ ଉପସ୍ଥିତ ଥିଲେ।

You may also like

Leave a Comment