Home Odishaଓଏସ୍‌ଏସ୍‌ଏଫ୍‌ ଯବାନଙ୍କୁ ବଡ଼ ସୁରକ୍ଷା କବଚ: ₹୫୦ ଲକ୍ଷ ବୀମା ସହ SBIର ବିଶେଷ ସୁବିଧା

ଓଏସ୍‌ଏସ୍‌ଏଫ୍‌ ଯବାନଙ୍କୁ ବଡ଼ ସୁରକ୍ଷା କବଚ: ₹୫୦ ଲକ୍ଷ ବୀମା ସହ SBIର ବିଶେଷ ସୁବିଧା

by Akshay Maharana
0 comments

ଓଡ଼ିଶା ପୋଲିସ–SBI ମଧ୍ୟରେ MoU; ଏୟାର୍ ଆମ୍ବୁଲାନ୍ସ, ଉଚ୍ଚଶିକ୍ଷା ଓ ଚିକିତ୍ସା ପାଇଁ ମିଳିବ ଲକ୍ଷାଧିକ ଟଙ୍କାର ସହାୟତା, ଦୁର୍ଗମ ଅଞ୍ଚଳରେ ଓ ବିଶେଷକରି ନକ୍ସଲ ବିରୋଧୀ ଅଭିଯାନରେ ଦାୟିତ୍ୱ ତୁଲାଉଥିବା ଓଡ଼ିଶା ସ୍ପେଶାଲ୍ ଷ୍ଟ୍ରାଇକିଂ ଫୋର୍ସ (ଓଏସ୍‌ଏସ୍‌ଏଫ୍‌) ଯବାନଙ୍କ ପାଇଁ ଆସିଛି ବଡ଼ ସୁବିଧା। ଯବାନମାନଙ୍କୁ ଅତିରିକ୍ତ ଆର୍ଥିକ ସୁରକ୍ଷା ଏବଂ ବ୍ୟାଙ୍କିଙ୍ଗ ସୁବିଧା ଯୋଗାଇଦେବା ପାଇଁ ଓଡ଼ିଶା ପୋଲିସର ଅପରେସନ୍ସ ୱିଙ୍ଗ୍ ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (SBI) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ଭୁବନେଶ୍ୱରସ୍ଥିତ ଅପରେସନ୍ସ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ପୋଲିସ ପକ୍ଷରୁ ଆଇଜିପି (ଅପରେସନ୍ସ) ଡ. ଦୀପକ କୁମାର ଏବଂ SBI ପକ୍ଷରୁ ଡିଜିଏମ୍ ଆଶିଷ କୁମାର ମିଶ୍ର ଏହି MoUରେ ସ୍ୱାକ୍ଷର କରିଥିଲେ।

ଏହି ଚୁକ୍ତି ଅନୁଯାୟୀ ଓଏସ୍‌ଏସ୍‌ଏଫ୍‌ ଯବାନମାନେ SBIର Corporate Salary Package ଅଧୀନରେ ଏକାଧିକ ବିଶେଷ ସୁବିଧା ପାଇବେ। ସବୁଠାରୁ ବଡ଼ ସୁବିଧା ଭାବେ ₹୫୦ ଲକ୍ଷ ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ରହିଛି। ଏହାସହ ଜରୁରୀ ପରିସ୍ଥିତିରେ ଏୟାର୍ ଆମ୍ବୁଲାନ୍ସ ପାଇଁ ₹୧୦ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ, ସନ୍ତାନଙ୍କ ଉଚ୍ଚଶିକ୍ଷା ପାଇଁ ₹୧୦ ଲକ୍ଷ ପର୍ଯ୍ୟନ୍ତ ସହାୟତା ଏବଂ ପ୍ଲାଷ୍ଟିକ୍ ସର୍ଜରୀ ପାଇଁ ମଧ୍ୟ ₹୧୦ ଲକ୍ଷ ପର୍ଯ୍ୟନ୍ତ ସୁବିଧା ମିଳିବ।

ଏହା ବ୍ୟତୀତ ଯବାନଙ୍କ ପରିବାର ସଦସ୍ୟଙ୍କ ପାଇଁ ‘ରିଷ୍ଟେ ଆକାଉଣ୍ଟ’, ବ୍ୟକ୍ତିଗତ ଋଣ ଏବଂ ବାର୍ଷିକ ₹୧,୯୯୯ ପ୍ରିମିୟମ୍‌ରେ ₹୫ ଲକ୍ଷ ପର୍ଯ୍ୟନ୍ତ ଇଚ୍ଛାଧୀନ ସ୍ୱାସ୍ଥ୍ୟ ବୀମା ଭଳି ସୁବିଧା ମଧ୍ୟ ଉପଲବ୍ଧ ହେବ।

କାର୍ଯ୍ୟକ୍ରମରେ ନକ୍ସଲ ବିରୋଧୀ ଅଭିଯାନର ଡିଜିପି ସଞ୍ଜୀବ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ SBIକୁ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ, ଦୁର୍ଗମ ଅଞ୍ଚଳରେ କଠିନ ପରିସ୍ଥିତିରେ କାର୍ଯ୍ୟ କରୁଥିବା ଓଏସ୍‌ଏସ୍‌ଏଫ୍‌ ଯବାନଙ୍କ ପାଇଁ ଏହି ସୁବିଧାଗୁଡ଼ିକ ବେଶ୍ ଉପଯୋଗୀ ହେବ ଏବଂ ଏହା ସେମାନଙ୍କ ମନୋବଳକୁ ଆହୁରି ବଢ଼ାଇବ। ସରକାରଙ୍କ ପକ୍ଷରୁ ମିଳୁଥିବା ସୁବିଧା ବ୍ୟତୀତ ଏଗୁଡ଼ିକ ଅତିରିକ୍ତ ସୁବିଧା ଭାବେ ମିଳିବ।

ବର୍ତ୍ତମାନ ରାଜ୍ୟର ୪ଟି ଓଏସ୍‌ଏସ୍‌ଏଫ୍‌ ବାଟାଲିୟନ୍‌ରେ ପ୍ରାୟ ୪,୦୦୦ ପୂର୍ବତନ ସେନା ଓ CAPF ଯବାନ କାର୍ଯ୍ୟରତ ଅଛନ୍ତି। ସେମାନେ ରାଜ୍ୟର ବିଭିନ୍ନ ସୁରକ୍ଷା ସମ୍ବେଦନଶୀଳ ଅଞ୍ଚଳ ସହ ନକ୍ସଲ ବିରୋଧୀ ଅଭିଯାନରେ ନିୟୋଜିତ ଅଛନ୍ତି।

ଏହି MoU ଦ୍ୱାରା ଯବାନମାନଙ୍କ ଆର୍ଥିକ ଓ ସାମାଜିକ ସୁରକ୍ଷା ଆହୁରି ମଜବୁତ ହେବା ସହ ସେମାନଙ୍କ ପରିବାର ମଧ୍ୟ ଅତିରିକ୍ତ ସୁରକ୍ଷା କବଚ ପାଇବେ।

You may also like

Leave a Comment