ପାରାଦୀପ ବନ୍ଦରରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ପାନାମା ପତାକା ଲାଗିଥିବା ମାଲବାହୀ ଜାହାଜ ‘ଓସେନ୍ ୱିନର’ ଆଣ୍ଡାମାନ ନିକଟ ସମୁଦ୍ରରେ ବୁଡ଼ିଯାଇଥିବା ନିଶ୍ଚିତ ହୋଇଛି। ତେବେ ଘଟଣାର ଦେଢ଼ ଦିନ ପରେ ମଧ୍ୟ ଜାହାଜଟିକୁ ଠାବ କରିବାରେ ଉଦ୍ଧାରକାରୀ ଦଳ ସଫଳ ହୋଇନାହାନ୍ତି।
ଜାହାଜରେ ମୋଟ ୨୪ ଜଣ କର୍ମଚାରୀ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଲାଇଫ୍ ବୋଟ୍ରେ ସମୁଦ୍ରରେ ଭାସୁଥିବା ଦୁଇ ଜଣଙ୍କୁ ନୌସେନାର ବିମାନ ଚିହ୍ନଟ କରିଥିଲା। ପରେ ଏକ ବାଣିଜ୍ୟିକ ଜାହାଜର ସହାୟତାରେ ଉଭୟଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ଦୁଇଜଣ ଚୀନ ନାଗରିକ ବୋଲି ଜଣାପଡ଼ିଥିବାବେଳେ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ରେ ରଖାଯାଇଛି।
ଅନ୍ୟପକ୍ଷରେ ଜାହାଜରେ ଥିବା ଆଉ ୨୨ ଜଣ କର୍ମଚାରୀ ଏବେ ମଧ୍ୟ ନିଖୋଜ ଅଛନ୍ତି। ପାରାଦୀପଠାରୁ ପ୍ରାୟ ୨୪୦ ନଟିକାଲ୍ ମାଇଲ୍ ଦୂରରେ ଜାହାଜ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ସୂଚନା ମିଳିଛି।
ନିଖୋଜ କର୍ମଚାରୀଙ୍କ ସନ୍ଧାନ ପାଇଁ କୋଷ୍ଟଗାର୍ଡର ଏକାଧିକ ଜାହାଜ ଏବଂ ଭାରତୀୟ ନୌସେନାର P-8I ବିମାନ ନିୟୋଜିତ ହୋଇଛି। ସମୁଦ୍ରର ପ୍ରାୟ ୩ କିଲୋମିଟର ଅଞ୍ଚଳରେ ଅଶାନ୍ତ ପରିସ୍ଥିତି ଓ ଅଣ୍ଡରକରେଣ୍ଟ ଥିବାରୁ ଜାହାଜଟି ବୁଡ଼ିବା ପରେ ଧାରାରେ କିଛି ଦୂରକୁ ଚାଲିଯାଇଥିବା ଆଶଙ୍କା କରାଯାଉଛି।
କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ନିଖୋଜ ୨୨ ଜଣଙ୍କୁ ସୁରକ୍ଷିତ ଭାବେ ଖୋଜି ବାହାର କରିବା ପାଇଁ ନୌସେନା ଓ କୋଷ୍ଟଗାର୍ଡର ଉଦ୍ଧାର ଅଭିଯାନ ଜାରି ରହିଛି। ଉଦ୍ଧାର ହୋଇଥିବା ଦୁଇ କର୍ମଚାରୀଙ୍କ ଠାରୁ ତଥ୍ୟ ମିଳିବା ପରେ ଜାହାଜ ବୁଡ଼ିବାର ପ୍ରକୃତ କାରଣ ସମ୍ପର୍କରେ ଅଧିକ ସ୍ପଷ୍ଟତା ଆସିପାରେ।
